ସ୍ବାଧୀନତାର ମହାନାୟକ: ସ୍ବାମୀ ବିବେକାନନ୍ଦ

ସ୍ବାମୀ ବିବେକାନନ୍ଦ ସନାତନ ଧର୍ମକୁ ବିଶ୍ବ ଦରବାରରେ ପରିଚିତ କରାଇଥିବା ଆଧ୍ୟାତ୍ମିକ ଧର୍ମଗୁରୁ ଭାବରେ ପ୍ରସିଦ୍ଧ। ଆଧୁନିକ ଭାରତ ଗଠନରେ ସ୍ବାମୀ ବିବେକାନନ୍ଦଙ୍କର ବହୁବିଧ ଅବଦାନ ରହିଥିଲା। ସେ ମଧ୍ୟରୁ ଗୋଟିଏ ହେଲା ତାଙ୍କର ବ୍ୟକ୍ତିତ୍ବ ଓ ଅତୁଲ୍ୟ ରାଷ୍ଟ୍ରଭକ୍ତିର ଆଦର୍ଶ ପିଢ଼ି ପରେ ପିଢ଼ି ସ୍ବାଧୀନତା ସଂଗ୍ରାମୀଙ୍କୁ ସିଧାସଳଖ ଅନୁପ୍ରାଣିତ କରିଥିଲା। ଏଥିପାଇଁ ତାଙ୍କୁ ଭାରତ ସ୍ବାଧୀନତା ସଂଗ୍ରାମର ଦିଗ୍‌ଦର୍ଶକ ଭାବେ ଗ୍ରହଣ କରାଯାଏ। ସ୍ବାମୀ ବିବେକାନନ୍ଦ ୧୮୬୩ ଜାନୁଆରି ୧୨ ତାରିଖରେ ତତ୍କାଳୀନ ବେଙ୍ଗଲ ପ୍ରଦେଶର କଲିକତାଠାରେ ନରେନ୍ଦ୍ରନାଥ ଦତ୍ତ ନାମରେ ଜନ୍ମଗ୍ରହଣ କରିଥିଲେ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ହେବା ପରେ ସ୍ବାମୀ ବିବେକାନନ୍ଦ ନାମ ଧାରଣ କରିଥିଲେ। ସନ୍ନ୍ୟାସୀ ପାଲଟିବା ପରେ ସେ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିଥିଲେ। ସେ ସ୍ବାଧୀନତା ସଂଗ୍ରାମରେ ସିଧାସଳଖ ଯୋଗ ଦେଇ ନ ଥିଲେ ସତ କିନ୍ତୁ ଭାରତର ଆଧ୍ୟାତ୍ମିକ ଜାଗରଣ ଜନକ ଭାବେ ସ୍ବାଧୀନତା ସଂଗ୍ରାମ ଉପରେ ତାଙ୍କର ସୁଦୂରପ୍ରସାରୀ ତଥା ଗଭୀର ପ୍ରଭାବକୁ ଐତିହାସିକ ତଥା ସ୍ବୟଂ ଜାତୀୟତାବାଦୀମାନେ ସ୍ବୀକାର କରିଛନ୍ତି। ବାସ୍ତବରେ ସ୍ବାମୀଜୀଙ୍କ ଜୀବଦ୍ଦଶାରେ ସ୍ବାଧୀନତା ସଂଗ୍ରାମ ସେତେଟା ଗତିଶୀଳ ହୋଇ ନ ଥିଲା। ୧୯୦୨ ମସିହାରେ ମାତ୍ର ୩୯ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା।

କିନ୍ତୁ ସେ ଛାଡ଼ିଯାଇଥିବା ସାମାଜିକ, ରାଜନୈତିକ ଓ ଆଧ୍ୟାତ୍ମିକ ଛାପ ଭାରତୀୟମାନଙ୍କୁ ସ୍ବାଧୀନତାଚେତା କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ। ଔପନିବେଶିକ ଭାରତରେ ଜାତୀୟତାବାଦ ବିଚାରଧାରା ପ୍ରସାରରେ ତାଙ୍କର ଅଦ୍ବିତୀୟ ଅବଦାନ ରହିଥିଲା। ସେ ଭାରତ ସମେତ ଆମେରିକା, ଇଂଲଣ୍ଡ୍ ଆଦି ଦେଶର ଲୋକଙ୍କୁ ବ୍ରିଟିସ୍ ଶାସନାଧୀନ ଭାରତୀୟଙ୍କର ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କରିଥିଲେ। ସ୍ବାଧୀନତା ହାସଲ ଲାଗି ଲୋକଙ୍କୁ ପ୍ରଥମେ ନିଃସ୍ବାର୍ଥପର, ନିର୍ଭୀକ ଓ ସାହସୀ କରିବାକୁ ହେବ ବୋଲି ସେ ପ୍ରସ୍ତାବ ଦେଇଥିଲେ। ନେତାଜୀ ସୁଭାଷ ବୋଷ ବିବେକାନନ୍ଦଙ୍କ ଏହି ଆଦର୍ଶକୁ ହୃଦୟରେ ସ୍ଥାପିତ କରି ପୂର୍ଣ୍ଣ ସ୍ବରାଜର ଲଢ଼େଇରେ ଲମ୍ଫ ପ୍ରଦାନ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଅରବିନ୍ଦ ଘୋଷ, ବାଘା ଯତୀନ, ହେମଚନ୍ଦ୍ର ଘୋଷଙ୍କ ଭଳି ଜାତୀୟତାବାଦୀଙ୍କୁ ସେ ଅନୁପ୍ରାଣିତ କରିଥିଲେ। ବିବେକାନନ୍ଦଙ୍କ ଜାତୀୟତାବାଦ ଭାରତୀୟ ଅଧ୍ୟାତ୍ମ୍ୟ ଓ ନୈତିକତା ଉପରେ ପର୍ଯ୍ୟବସିତ ଥିଲା। ସେ କହୁଥିଲେ, “ଭାରତ ପ୍ରଥମେ ରାଜନୈତିକ ଦୃଷ୍ଟିରୁ ମୁକ୍ତ ହେବା ଆବଶ୍ୟକ, କାରଣ ଏକ ଔପନିବେଶିକ ଦେଶକୁ ପୃଥିବୀର କୌଣସି ଦେଶ ସମ୍ମାନ କରିବେ ନାହିଁ। ମୁଁ ସୁନିଶ୍ଚିତ ଯେ ଭାରତର ସ୍ବାଧୀନତା ହାସଲର ଦିନ ବେଶୀ ଦୂର ନୁହେଁ।” ସ୍ବାମୀ ବିବେକାନନ୍ଦଙ୍କ ଆଧ୍ୟାତ୍ମିକ ଜାଗରଣ ସ୍ବାଧୀନତା ସଂଗ୍ରାମର ବଳିଷ୍ଠ ଉତ୍‌ପ୍ରେରକ ସାଜି ଶେଷରେ ଭାରତକୁ ବ୍ରିଟିସ୍ ଶାସନମୁକ୍ତ କରିବାରେ ସହାୟକ ହୋଇଥିଲା।

ସମ୍ବନ୍ଧିତ ଖବର