ଲୋକଙ୍କ ଟାହି ଟାପରାକୁ ଖାତିର ନ କରି ଏବଂ ଘରକୋଣରେ ନ ବସି ସମାଜର ରୀତିନୀତି ବଦଳାଇ ଜୀବନ ସଂଗ୍ରାମ ଜାରି ରଖିଛନ୍ତି ସୁକୁରୀ। ଶାରୀରିକ ଭାବରେ ଭିନ୍ନକ୍ଷମ ହେଲେବି ସେ ମାନସିକ ଭାବେ ବେଶ୍ ସଶକ୍ତ। ସେଥିପାଇଁ କାହା ଉପରେ ନିର୍ଭର ନ କରି ନିଜ ଗୋଡ଼ରେ ଛିଡ଼ାହେବା ପାଇଁ ପ୍ରଚେଷ୍ଟା କରିଛନ୍ତି। ସ୍ବାଭିମାନୀ ମହିଳାଭାବେ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ପରିବର୍ତ୍ତନର ରାହା। ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍ସ ମିଶନ ସହାୟତାରେ ସେ ସାଜିଛନ୍ତି ସ୍ୱାବଲମ୍ବୀ। ନିଜ ଗାଁ ତଥା ଆଖପାଖ ଗାଁରେ ସେ ପାଲଟିଛନ୍ତି ଉଦାହରଣ। ଜୀବନଯୁଦ୍ଧରେ ପାଲଟିଛନ୍ତି ସେ ସଫଳ ଯୋଦ୍ଧା। ଚାଷକୁ ସେ ବୃତ୍ତି ଭାବେ ଆପଣାଇଛନ୍ତି। କ୍ଷେତରେ ମାଣ୍ଡିଆ ହସିବା ସହ ତାଙ୍କ ମୁହଁରେ ହସ ଫୁଟିଛି। ଜୀବନ ସଂଘର୍ଷରେ ନିଜର ସ୍ଥିତି ଜାହିର କରି ସେ ଏବେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।
କୋରାପୁଟ ଜିଲ୍ଲା ଲମ୍ପତାପୁଟ ବ୍ଲକ୍ ଡଲିଗୁଡ଼ା ଗ୍ରାମର ସୁକୁରୀ ଓଡ଼ାରୀ। ବୟସ ୩୫ ବର୍ଷ। ପିଲାଟି ଦିନରୁ ସେ ଭିନ୍ନକ୍ଷମ। କଥା କହିବା, ଶୁଣିବା ଏବଂ ନିଜ ଭାବନାକୁ ପରିପ୍ରକାଶ କରିବାରେ ସେ ଅକ୍ଷମ। ମାତ୍ର ଦୃଢ଼ ଇଚ୍ଛାଶକ୍ତି ଓ ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍ସ ମିଶନ ସହଯୋଗରେ ଆଜି ସେ ଆତ୍ମନିର୍ଭରଶୀଳ। ନିଜର ଅଦମ୍ୟ ପରିଶ୍ରମ ବଳରେ ୩ ବର୍ଷରୁ ଊର୍ଦ୍ଧ୍ବ ହେବ ମାଣ୍ଡିଆ ଚାଷ କରି କ୍ଷେତରେ ଫଳାଇଛନ୍ତି ସୁନାର ଫସଲ। ଓଡ଼ିଶା ମିଲେଟ୍ସ ମିଶନ ମାଧ୍ୟମରେ ‘ଶ୍ରୀ’ ପଦ୍ଧତିରେ ମାଣ୍ଡିଆ ଚାଷ କରିବାର ପ୍ରଶିକ୍ଷଣ ନେଇଛନ୍ତି। ନିଜସ୍ୱ ଉଦ୍ୟମରେ ୧ ଏକର ଜମିରେ ମାଣ୍ଡିଆ ଲଗାଇ ଲାଭବାନ୍ ହୋଇପାରିଛନ୍ତି। କେବଳ ଅନ୍ୟର ଠାରରେ କଥା ବୁଝୁଥିବା ସୁକୁରୀ ମାଣ୍ଡିଆ ଚାଷ କରି ସଫଳ ହୋଇପାରିଛନ୍ତି। ଗତବର୍ଷ ୭ କୁଇଣ୍ଟାଲ ମାଣ୍ଡିଆ ମଣ୍ଡିରେ ବିକ୍ରି କରିଥିବା ବେଳେ ସୁକୁରୀ ଚଳିତ ବର୍ଷ ୯ କୁଇଣ୍ଟାଲ ମାଣ୍ଡିଆ ଅମଳ କରି ବିକ୍ରି କରିଛନ୍ତି। ଗତବର୍ଷ ସେ ମାଣ୍ଡିଆ ବିକ୍ରି କରି ୨୪ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରିଥିଲେ। ଚାଷଜମିରେ ଜୈବିକ ଖତ ପ୍ରୟୋଗ କରି ଅତ୍ୟାଧୁନିକ ପଦ୍ଧତିରେ ମାଣ୍ଡିଆ ଚାଷ କରୁଛନ୍ତି। ମାଣ୍ଡିଆ ଚାଷ ସହିତ ସିଲେଇ କାମ କରି ମାସକୁ ୫-୬ ହଜାର ଟଙ୍କା ରୋଜଗାର କରୁଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପୁଷ୍ଟିଶସ୍ୟକୁ ଚାଷକ୍ଷେତ ତଥା ଖାଦ୍ୟଥାଳିରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ନିଆଯାଉଛି ପଦକ୍ଷେପ।
ଚାଷୀମାନଙ୍କୁ ଏସ୍ଏମ୍ଆଇ ପଦ୍ଧତିରେ ପୁଷ୍ଟିଶସ୍ୟ ଚାଷ କରି ଅଧିକ ଉତ୍ପାଦନ ପାଇଁ ଦିଆଯାଉଛି ପ୍ରଶିକ୍ଷଣ। ସୁକୁରୀ ଏହି ପ୍ରଶିକ୍ଷଣ ପାଇ ସଫଳତାର ପଥରେ ଆଗେଇଚାଲିଛନ୍ତି। ଭିନ୍ନକ୍ଷମ ହୋଇଥିବାରୁ ଥଟ୍ଟା ପରିହାସ କରୁଥିବା ଗାଁ ଲୋକେ ଆଜି କୃଷି କ୍ଷେତ୍ରରେ ସୁକୁରୀଙ୍କ ସଫଳତାକୁ ଦେଖି ଆଶ୍ଚର୍ଯ୍ୟ। ବାପାମାଆ ଚାଲିଯିବା ପରେ ଭାଇଭାଉଜଙ୍କ ଉପରେ ବୋଝ ନ ପାଲଟି ସେ ନିଜ ଉଦ୍ୟମରେ ସଫଳ ହୋଇପାରିଛନ୍ତି। ଏ ସମ୍ପର୍କରେ ସୁକୁରୀଙ୍କ ଭାଉଜ ସୁକାନ୍ତି ଓଡ଼ାରୀ କହନ୍ତି, ‘ଛୁଆଟି ବେଳୁ ସୁକୁରୀ କଥା କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ। ଏଥିପାଇଁ ଗାଁ ଲୋକଙ୍କ ଠାରୁ ବହୁ ଟାହିଟାପରା ତାଙ୍କୁ ଶୁଣିବାକୁ ମିଳିଛି। ହେଲେ ପୁଷ୍ଟିଶସ୍ୟ ଚାଷ ତାଙ୍କୁ ନୂଆ ଦିଶା ଦେଖାଇଛି। ଜୈବିକ ପଦ୍ଧତିରେ ମାଣ୍ଡିଆ ଚାଷ କରି ସଫଳତା ହାସଲ କରିପାରିଛନ୍ତି। ଆମ ଉପରେ କେବେ ନିର୍ଭର ହୋଇନାହାନ୍ତି। ଓଡ଼ିଶା ମିଲେଟ୍ସ ମିଶନ ତାଙ୍କ ପାଇଁ ବରଦାନ ସାଜିଛି’।
ରିପୋର୍ଟ- ଐଶ୍ବର୍ଯ୍ୟା ପରିଜା