ନୂଆଦିଲ୍ଲୀ: ଆପଣଙ୍କ ମଧ୍ୟରୁ ଅନେକ ପ୍ରତିଦିନ ଖାଦ୍ୟ ବିତରଣ ଆପରୁ ଖାଦ୍ୟ ଅର୍ଡର କରିଥାଆନ୍ତି। ଏହି ଖାଦ୍ୟ ବିତରଣ କମ୍ପାନିରେ ଚାକିରି କରୁଥିବା ଏମିତି ଅନେକ କର୍ମଚାରୀ ଅଛନ୍ତି ଯେଉଁମାନଙ୍କ ଜୀବନ ସଂଘର୍ଷ ଭରା ରହିଛି।
ମୟଙ୍କ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସ୍ୱିଗି ଡେଲିଭରି ଏଜେଣ୍ଟ ପଙ୍କଜ ଏବଂ ତାଙ୍କ ଛୋଟ ଝିଅ ଟୁନ୍ ଟୁନଙ୍କ କାହାଣୀ ସେୟାର କରିଛନ୍ତି।

Advertisment

ମୟଙ୍କ ପୋଷ୍ଟରେ ଉଲ୍ଲେଖ କରି କହିଛନ୍ତି, ‘ମୁଁ ଗୋଟିଏ ଦିନ ସ୍ୱିଗିରୁ ଖାଦ୍ୟ ଅର୍ଡର କରିବା ସମୟରେ ପଙ୍କଜ ନାମକ ଜଣେ ଡେଲିଭରି ପାର୍ଟନର ମୋ ପାଇଁ ଖାଦ୍ୟ ନେଇ ଆସିଥିଲେ। 

ମୁଁ ତାଙ୍କ ଠାରୁ ଖାଦ୍ୟ ସଂଗ୍ରହ ପାଇଁ ଯେତେବେଳେ କୋଠାରୁ ତଳକୁ ଯାଇଥିଲି ଦେଖିଲି ଡେଲିଭରି ବୟ ଜଣକ ବାଇକ ସାମ୍ନାରେ ତାଙ୍କର ଛୋଟ ଝିଅକୁ ବସାଇଛନ୍ତି। ମୁଁ ତାଙ୍କୁ ଡିୟୁଟି ସମୟରେ ଝିଅକୁ ଆଣିବାର କାରଣ ପଚାରିବାରୁ ସେ କହିଥିଲେ, ‘ ଝିଅର ଜନ୍ମ ସମୟରେ ତାର ମା’ର ମୃତ୍ୟୁ ହୋଇଯାଇଥିଲା। ସେବେଠାରୁ ମୁଁ ଝିଅକୁ ଉଭୟ ବାପା ଓ ମା’ର ସ୍ନେହ ଦେଇ ଆସୁଛି।ଘରେ ଝିଅର ଯତ୍ନ ନେବା ପାଇଁ କେହି ନାହାନ୍ତି। ତେଣୁ ପ୍ରତିଦିନ ଡିୟୁଟି ଆସିବା ସମୟରେ ଝିଅକୁ ସାଙ୍ଗରେ ଧରି ଆସିଥାଏ। ଛୁଆର ଖାଇବା ସମୟ ହେଲେ କୌଣସି ଏକ ସ୍ଥାନ ଦେଖି ତାକୁ ଖୁଆଇ ଦେଇଥାଏ। ପୁଣି ମୋ କାମରେ ଆଗକୁ ବଢ଼ିଥାଏ। 

ମନରେ ଅନେକ କଷ୍ଟ ଓ ଯନ୍ତ୍ରଣା ଅଛି। ଏସବୁ ମୋତେ ଛାତି ତଳେ ଜାବୁଡ଼ି ଧରି ଆଗକୁ ବଢ଼ିବାକୁ ପଡ଼ୁଛି। ମୁଁ ମୋ ଝିଅକୁ ଦେଖି ଜୀବନ କାଟି ଦେଉଛି।’