ଭାଇରାଲ୍‌‌ ପୋଷ୍ଟ୍‌: ମଧ୍ୟରାତ୍ରରେ ଭାଇଭଉଣୀଙ୍କୁ ମାନବିକତାର ହାତ ବଢ଼ାଇ ଚର୍ଚ୍ଚାରେ ସ୍ବିଗି ଡେଲିଭରି ବୟ

ମୁମ୍ବାଇ: ଦୟା ଏକ ଏପରି ସ୍ବଭାବ, ଯାହାକି ସହୃଦୟ ବ୍ୟକ୍ତିଙ୍କ ଭୂଷଣ ହୋଇଥାଏ। ବ୍ୟକ୍ତି ଭିତ‌ରେ ଦୟା ମନୋଭାବ ରହିଲେ ତାହା ସେହି ବ୍ୟକ୍ତିକୁ ଅନ୍ୟ ସମସ୍ତଙ୍କଠାରୁ ନିଆରା ସଜାଇଥାଏ। ସ୍ବିଗିର ଜଣେ ଡେଲିଭରି ବୟ ନିଜର ଦୟା ମନଭୋବ ‌ଯୋଗୁ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌  ଭାଇରାଲ୍‌ ହେବାରେ ଲାଗିଛନ୍ତି।  ମୁମ୍ବାଇର ଅକ୍ଷିତା ଚଙ୍ଗନ ନାମ୍ନୀ ଜଣେ ମହିଳା ସାମାଜିକ ଗଣମାଧ୍ୟମରେ ନିଜ କାହାଣୀ ବଖାଣି କହିଛନ୍ତି କି ସେ ଓ ତାଙ୍କ ଭାଇ ଘରକୁ ଫେରୁଥିବା ‌ବେଳେ ମଧ୍ୟରାତ୍ରରେ ବାଇକ୍‌ରୁ ପେଟ୍ରୋଲ୍‌ ସରିଯିବା ପରେ ଅସୁବିଧାର ସମ୍ମୁଖୀନ ହେବା ସମୟରେ ସେମାନଙ୍କୁ ମାନବିକତାର ହାତ ବଢ଼ାଇଥିଲେ ସ୍ବିଗି ଡେଲିଭରି ବୟ ରୋଶନ ଦଲ୍‌ଭି।

ରୋଶନ ନିଜ ଗାଡ଼ିରୁ ପେଟ୍ରାଲ୍‌ କାଢ଼ି ଭାଇଭଉଣୀଙ୍କୁ ଦେଇ ସେମାନଙ୍କ ସଂକଟକୁ ଟାଳି ଦେଇଥିଲେ ବୋଲି ଅକ୍ଷିତ‌ା ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି। ଅବଶ୍ୟ ଅକ୍ଷିତାଙ୍କ ଏହି ପୋଷ୍ଟ୍‌ ଏକ ମାସ ତଳର। ମାତ୍ର ନିକଟରେ ପୋଷ୍ଟ୍‌ଟି ଭାଇରାଲ୍‌ ହେବାରେ ଲାଗିଛି।

Shiksha News

ଅକ୍ଷିତା ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘ସେଦିନ ତାପମାତ୍ରା ୧୭ ଡିଗ୍ରିରୁ ତଳକୁ ଖସି ସାରିଥିବା ସାଙ୍ଗକୁ ରାତି ପାଖାପାଖି ୧୨.୩୦ ହୋଇଥିଲା। ଏକ ନିଛାଟିଆ ରାସ୍ତାରେ ଗାଡ଼ିରୁ ତେଲ ସରିଯିବାରୁ ମୁଁ ଓ ମୋ ଭାଇ ଅଧା ରାସ୍ତାରେ ଅଟକିଗଲୁ। କେହି କୁଆଡ଼େ ବି ଦିଶୁନଥାନ୍ତି। ସେତିକି ବେଳେ ସ୍ବିଗିର ଜଣେ ଡେଲିଭରି ବୟ ସେହି ବାଟ ଦେଇ ଯାଉଥିଲେ। ସେ ଆମକୁ ସାହାଯ୍ୟ କରିବ‌ାକୁ ଆଗେଇ ଆସି ନିଜ ବ୍ୟାଗ୍‌ରୁ ଏକ ପାଣି ବୋତଲ କାଢ଼ି ତାଙ୍କ ଗାଡ଼ିରୁ ପେଟ୍ରୋଲ୍‌ ଗାଳି ଆମ ଗାଡ଼ିରେ ଭର୍ତ୍ତି କରିଥିଲେ। ଫଳରେ ଅ‌ାମେ ଘରେ ପହଞ୍ଚିବାରେ ସମର୍ଥ ହେଲୁ।’

ଅକ୍ଷିତା ଡେଲିଭରି ବୟ ରୋଶନଙ୍କର କିଛି ଫଟୋ ତାଙ୍କ ଲିଙ୍କ୍‌ଡିନ୍‌ ଆକାଉଣ୍ଟ୍‌ରେ ସେୟାର କରି ଖୁବ୍ ପ୍ରଶଂସା କରିଛନ୍ତି। ସେ ‌ଆହୁରି ବି ଲେଖିଛନ୍ତି ଯେ ‘ମୁଁ ପୂର୍ବରୁ ଶୁଣିଥିଲି ଡେଲିଭରି ବୟ ସବୁ ହସ ବାଣ୍ଟନ୍ତି। ତାହା ଏବେ ନିଜେ ଅନୁଭବ କରିପାରିଲି।’

ସମ୍ବନ୍ଧିତ ଖବର