ଚେନ୍ନାଇ: ଖରାପ ବା ଭଲ ସମୟ ସବୁଦିନ ରହେ ନାହିଁ। ଏହା ପରିବର୍ତ୍ତନଶୀଳ। ରାତି ହେଲେ ଦିନ ଆସିବା ଭଳି ଖରାପ ସମୟ ପରେ ଭଲ ସମୟ ବି ଆସେ। ବେଳେବେଳେ ଏଭଳି ଭାବେ ଭାଗ୍ୟ ବଦଳେ, ଯାହାର କଳ୍ପନା ସାଧାରଣ ମଣିଷ କେବେ କରିନଥାଏ। କିଛି ସେଭଳି ଘଟିଛି ଚେନ୍ନାଇର ଲୋକେଶ କୁମାରଙ୍କ ସହ। କିଛି ମାସ ତଳେ ଘର ଘର ବୁଲି ଖାଦ୍ୟ ବିତରଣ କାମ କରୁଥିବା ଲୋକେଶ ଆଜି ଏକ ବଡ଼ କ୍ରିକେଟ ଟିମରେ ସ୍ଥାନ ପାଇଛନ୍ତି। ତାଙ୍କୁ ନେଦରଲ୍ୟାଣ୍ଡ କ୍ରିକେଟ ଟିମରେ 'ନେଟ ବୋଲର' ଭାବେ ସ୍ଥାନ ମିଳିଛି।
ନେଦରଲ୍ୟାଣ୍ଡ ଦଳ ଦ୍ୱାରା ୪ଜଣ 'ନେଟ ବୋଲର'ଙ୍କୁ ଚୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଲୋକେଶ। ଏହି ଖବର ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଡଚ୍ ଦଳ ନିଶ୍ଚିତ କରିଛି। ଲୋକେଶ ବର୍ତ୍ତମାନ ନେଦରଲ୍ୟାଣ୍ଡର ବ୍ୟାଟ୍ସମ୍ୟାନମାନଙ୍କୁ ବିଶ୍ୱକପ ପୂର୍ବରୁ ନେଟରେ ହେବାକୁ ଥିବା ଅଭ୍ୟାସରେ ସାହାଯ୍ୟ କରିବେ।
Thank you for the overwhelming response to our net bowlers hunt, India. Here the 4 names who will be part of the team's #CWC23 preparations. 🙌 @ludimospic.twitter.com/arLmtzICYH
— Cricket🏏Netherlands (@KNCBcricket) September 19, 2023
ଏହି ପଦବୀ ହାସଲ କରିବା ଲୋକେଶଙ୍କ ପାଇଁ ସହଜ ନଥିଲା। ଏଥିପାଇଁ ଲୋକେଶଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ପାଖାପାଖି ୧୦ହଜାର ଲୋକଙ୍କ ସହ ଲୋକେଶ 'ନେଟ ବୋଲର' ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏଥିପାଇଁ ସେ ଏକ ଭିଡିଓ ଅପଲୋଡ୍ କରିଥିଲେ ଯେଉଁଥିରେ ନେଦରଲ୍ୟାଣ୍ଡ ଦଳ ଦ୍ୱାରା ତାଙ୍କ ବୋଲିଂର ମୂଲ୍ୟାଙ୍କନ କରାଯାଇଥିଲା ଏବଂ ତାଙ୍କୁ ଏହି ସୁଯୋଗ ଦିଆଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଏକ୍ସ(ଟ୍ବିଟରରେ) ଲୋକେ ତାଙ୍କର ପ୍ରଶଂସା କରିବା ଆରମ୍ଭ କରିଛନ୍ତି।