ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ଜେଟ୍‌ ପ୍ରପଲ୍‌ସନ୍‌ ଲାବରେଟୋରି ‘ସୁଇମ୍‌’ (ସେନ୍‌ସିଙ୍ଗ୍‌ ୱିଥ୍ ଇଣ୍ଡିପେଣ୍ଡେଣ୍ଟ୍‌ ମାଇକ୍ରୋସୁଇମର୍‌) ନାମରେ ରୋବଟ୍‌ର ପରୀକ୍ଷା କରିଛି। ଅନ୍ୟ ଗ୍ରହ ଓ ଉପଗ୍ରହର ଜଳଭାଗର ଅଭ୍ୟନ୍ତରକୁ ପ୍ରବେଶ କରି ତଥ୍ୟ ସଂଗ୍ରହ କରିବ ଏହି ରୋବଟ୍‌। ସମୁଦ୍ରପୃଷ୍ଠରେ ସ୍ବଂୟକ୍ରିୟ ଅନୁସନ୍ଧାନ ଚଳାଇବା ପାଇଁ ଏହି ରୋବଟ୍‌ ଡିଜାଇନ୍‌ କରାଯାଇଛି।

Advertisment

‘ସୁଇମ୍’ ଅନ୍ୟ ଗ୍ରହ ଓ ଉପଗ୍ରହର ଜଳଭାଗକୁ ପ୍ରବେଶ କରି ତଥ୍ୟ ସଂଗ୍ରହ କରିବ

‘କାଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି’ ଦ୍ବାରା ୨୩ ମିଟର୍‌ ଦୀର୍ଘ ଏକ ସୁଇମିଙ୍ଗ୍‌ ପୁଲ୍‌ରେ ‘ସୁଇମ୍‌’ର ପ୍ରାଥମିକ ପରୀକ୍ଷଣ କରାଯାଇଛି। ‘ଜେଟ୍‌ ପ୍ରପଲ୍‌ସନ୍‌ ଲାବରେଟୋରି’ର ପ୍ରମୁଖ ଗବେଷକ ଇଥାନ୍‌ ସାଲର୍‌ କହନ୍ତି, ମହାଜାଗତିକ ପିଣ୍ଡରେ ଜୀବସତ୍ତା ଚିହ୍ନଟ ଲାଗି ଉଦ୍ଦିଷ୍ଟ ଅଭିଯାନରେ ଏ ରୋବଟ୍‌ ବ୍ୟବହୃତ ହେବ। ବୃହସ୍ପତିର ଉପଗ୍ରହ ‘ୟୁରୋପା’ରେ ଥିବା ସମୁଦ୍ରରେ ‘ସୁଇମ୍‌’କୁ ପ୍ରଥମେ ଅବତରଣ କରାଯାଇପାରେ। ସାଲାର୍‌ ଗୁରୁତ୍ବାରୋପ କରି କହିଛନ୍ତି, ଆମ ଜାଣିବାରେ ଜଳ ହେଉଛି ଜୀବନ ନିମନ୍ତେ ଗୋଟାଏ ଗୁରୁତ୍ବପୂର୍ଣ୍ଣ ଉପାଦାନ। ସୁତରାଂ ମହାଜାଗତିକ ଜୀବସତ୍ତା ସନ୍ଧାନ ନିମନ୍ତେ ସମୁଦ୍ର ହେଉଛି ଉପଯୁକ୍ତ ସ୍ଥାନ। ଇଲେକ୍ଟ୍ରୋନିକ୍ସ୍‌ ଓ ସାଧାରଣ ଥ୍ରିଡି-ପ୍ରିଣ୍ଟେଡ୍‌ ସାମଗ୍ରୀରେ ନିର୍ମିତ ‘ସୁଇମ୍‌’ର ପ୍ରାରମ୍ଭିକ ପ୍ରତିରୂପ ଖୁବ୍‌ ଚମତ୍କାର ନୈପୁଣ୍ୟ ପ୍ରଦର୍ଶନ କରିଛି। ସମ୍ପ୍ରତି ପ୍ରାୟ ୪୨ ସେଣ୍ଟିମିଟର୍‌ ଦୀର୍ଘ ଏହି ରୋବଟିକ୍‌ ସନ୍ତରଣକାରୀର ଆକାର ପରବର୍ତ୍ତୀ ସମୟରେ ୧୨ ସେଣ୍ଟିମିଟର୍‌କୁ ହ୍ରାସ କରାଯିବ। ପୃଥିବୀଠାରୁ କୋଟି କୋଟି ମାଇଲ୍‌ ଦୂର‌ରେ ଆପଣାଛାଏଁ କାର୍ଯ୍ୟ କରିବା ପାଇଁ ଏଥିରେ ସବୁ ବ୍ୟବସ୍ଥା କରାଯାଇଛି। ଏଥିରେ ଖଞ୍ଜାଯାଇଥିବା ସେନ୍‌ସର୍‌ ଦ୍ବାରା ‘ସୁଇମ୍‌’ ଅତ୍ୟାବଶ୍ୟକ ତଥ୍ୟାବଳି ସଂଗ୍ରହ କରିବ।

ଜର୍ଜିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଗବେଷକଙ୍କ ଦ୍ବାରା ବିକଶିତ ମଲ୍‌ଟି-ସେନ୍‌ସର୍‌ ଚିପ୍‌ ଲଗାଯାଇ ‘ସୁଇମ୍‌’ର ଦକ୍ଷତା ବୃଦ୍ଧି କରାଯାଇଛି। ଏହି ଚିପ୍‌ ତାପମାତ୍ରା, ଚାପ, ପିଏଚ୍‌ ଓ ରାସାୟନିକ ସଂରଚନା ଆଦି ମାପି ପାରିବ। ପରିଶେଷରେ ୱୟାର୍‌ଲେସ୍‌ କମ୍ୟୁନିକେସନ୍‌ ସିଷ୍ଟମ୍‌ ବଳରେ ‘ସୁଇମ୍‌’ ପୃଥିବୀକୁ ତଥ୍ୟ ପ୍ରେରଣ କରିବ। ‘କମ୍ପ୍ୟୁଟର୍‌ ସିମୁଲେସନ୍‌’ ମାଧ୍ୟମରେ ୟୁରୋପାର ମଧ୍ୟାକର୍ଷଣ ଶକ୍ତି ଓ ଚାପ ଭଳି ପରିବେଶ ସୃଷ୍ଟି କରାଯାଇ ‘ସୁଇମ୍‌’ର ପରୀକ୍ଷଣ କରାଯାଉଛି।। ‘ନାସା’ର ୟୁରୋପା କ୍ଲିପର୍‌ ଯାନରେ ଯାତ୍ରା କରି ୨୦୩୦ରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ‘ସୁଇମ୍‌’ରେ ବହୁ ଶକ୍ତିଶାଳୀ ବୈଜ୍ଞାନିକ ଯନ୍ତ୍ରପାତି ରଖାଯିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅନ୍ୟ ଉପଗ୍ରହର ସମୁଦ୍ର ଅନ୍ବେଷଣ କରିବା ଲାଗି ମାତ୍ର ଗୋଟିଏ ନୁହେଁ, ‘ସୁଇମ୍‌’ର ଗୋଟିଏ ଦଳ ପଠାଯିବ।