‘ପାଦସ୍ପର୍ଶ ବେଳେ ଲାଗିଲା ବାଗ୍‌ଦେବୀଙ୍କ ପାଦ ସ୍ପର୍ଶ କରୁଛି’

୧୯୫୯/୬୦ରେ ମୁଁ ମୁମ୍ବାଇରେ ରହୁଥିଲି। ସେତେବେଳେ ମୁଁ ପ୍ରଫେସର ବି.ଆର୍‌. ନବରଙ୍ଗଙ୍କ ଠାରୁ ହିନ୍ଦୁସ୍ଥାନୀ କ୍ଲାସିକାଲ୍‌ ଶିକ୍ଷା କରୁଥିଲି। ଲତା ମଙ୍ଗେସ୍‌କରଙ୍କ ପାଦ ସ୍ପର୍ଶ କରିବା ପାଇଁ ପ୍ରବଳ ଉତ୍କଣ୍ଠା ଥିଲା। ହାଜିଅଲ୍ଲୀ ନିକଟ ମହାଲକ୍ଷ୍ମୀ ମନ୍ଦିର ପାଖରେ ପ୍ରଫେସର ନବରଙ୍ଗ ମୋ ପାଇଁ ଏକ ଟ୍ୟୁସନ୍ ବୁଝିଦେଇଥିଲେ। ମୁଁ ସେଠାରୁ ଫେରିବା ବେଳେ ଲତାଜୀଙ୍କ ଘର ପଡ଼େ। ମୁଁ ଫୁଟ୍‌ପାଥ୍‌ରେ ଠିଆ ହୋଇ ତାଙ୍କ ଅଭ୍ୟାସ ଶୁଣେ। ଏକଥା ପ୍ରଫେସର ନବରଙ୍ଗ ଜାଣିପାରିଲେ ଓ ମୋତେ ଲତାଜୀଙ୍କୁ ଭେଟ କରାଇବେ ବୋଲି କହିଥିଲେ। ଲତାଜୀ ପ୍ରଫେସର ନବରଙ୍ଗଙ୍କଠାରୁ ସଂଗୀତ ଶିକ୍ଷା କରୁଥିଲେ। ପ୍ରଫେସର ମୋ ବିଷୟରେ କହିବାରୁ ଲତାଜୀ ମୋତେ ଡକାଇଲେ। ମୋତେ ତାଙ୍କୁ ଭେଟିବାର ସୌଭାଗ୍ୟ ମିଳିଲା। ତାଙ୍କ ଘରେ ପ୍ରଫେସର ନବରଙ୍ଗଙ୍କ ପାଖରେ ବସିଥାଏ। ସେ ପ୍ରଫେସରଙ୍କ ପାଦ ସ୍ପର୍ଶ କରିବା ପାଇଁ ଆସିବା ସମୟରେ ମୁଁ ଲତାଜୀଙ୍କ ପାଦକୁ ଛୁଇଁଲି। ପାଦ ସ୍ପର୍ଶ ବେଳେ ଲାଗିଲା, ମୁଁ ବାଗ୍‌ଦେବୀଙ୍କ ପାଦ ସ୍ପର୍ଶ କରୁଛି। ସେ ସମୟରେ ମୋ ଆଖିରୁ ଧାର୍‌ ଧାର୍‌ ଲୁହ ଗଡୁଥାଏ। ଏହା ତାଙ୍କ ପାଦରେ ପଡ଼ିବାରୁ ସେ ବିଚଳିତ ହୋଇଥିଲେ।

କହିଲେ, ଗୁରୁଜୀ ମୋର କିଛି ଭୁଲ ହେଲାକି? ଏ ଭଉଣୀ କାନ୍ଦୁଛି କାହିଁକି? ପ୍ରଫେସର ନବରଙ୍ଗ ବୁଝାଇଥିଲେ, ଭୁଲ ନୁହେଁ, ତୁମକୁ ଭେଟିବାର ଯେଉଁ ଆକାଂକ୍ଷା ଥିଲା, ତାହା ପୂରଣ ହେବାରୁ ଏହା ଆନନ୍ଦର ଅଶ୍ରୁ ବାହାରିଛି। ଏହା ଥିଲା ମୋର ପ୍ରଥମ ଦେଖା। ପରେ ସପ୍ତାହକୁ ଦୁଇ ଥର ତାଙ୍କ ଘରକୁ ଯାଇ ତାଙ୍କ ଅଭ୍ୟାସ ଶୁଣିବାର ଅନୁମତି ବି ମିଳିଲା। ଅଭ୍ୟାସ କରିବା ପୂର୍ବରୁ ସେ ଗୁରୁମାନଙ୍କୁ ଓ ତାନ୍‌ପୁରାକୁ ମୁଣ୍ଡିଆ ମାରି ଅଭ୍ୟାସ ଆରମ୍ଭ କରନ୍ତି। କାହାକୁ କିଛି କହନ୍ତି ନାହିଁ। ଖାଲି ସେତିକି ନୁହେଁ, ତାଙ୍କ ବାବା ଦୀନାନାଥ ମଙ୍ଗେସ୍‌କରଙ୍କ ଶ୍ରାଦ୍ଧରେ ମଧ୍ୟ ସଂଗୀତ ପରିବେଷଣ ପାଇଁ ଲତାଜୀ ମୋତେ କହିଲେ। ତାଙ୍କ ଘରେ ଗୀତ ଗାଇ ବେଶ୍ ଭାଗ୍ୟବାନ ମନେ କରିଥିଲି। ସେ ମଧ୍ୟ ଖୁସି ହେଲେ।

ପରେ ମୋ ଠାରୁ ‘କଦମ୍ବ ବନେ ବଂଶୀ ବାଜିଲା…’ ସମେତ କିଛି ସମ୍ବଲପୁରୀ ସଂଗୀତ ଶୁଣି‌ଥିଲେ। ଖୁସି ହେବା ସହିତ ମୋତେ ଉତ୍ସାହିତ କରିଥିଲେ। ମୁଁ ଓଡ଼ିଶା ଆସି ପୁଣି ମୁମ୍ବାଇ ଗଲାବ‌େଳେ ତାଙ୍କ ପାଇଁ ପୁରୀ ଖଜା ସହ ରାଧାକୃଷ୍ଣ ମୂର୍ତ୍ତି ନେଇ ତାଙ୍କୁ ଉପହାର ସ୍ବରୂପ ଦେଇଥିଲି। ମୋତେ ଆଲିଙ୍ଗନ କରି କହିଲେ, ‌ତୁମେ ଜଗନ୍ନାଥଙ୍କୁ ଛୁଇଁ ଆସିଛ, ମୁଁ ତୁମଙ୍କୁ ସ୍ପର୍ଶ କରି ଜଗନ୍ନାଥଙ୍କ ଆଶୀର୍ବାଦ ପାଇଲି। ସଂଗୀତ ବିଷୟରେ ତାଙ୍କୁ କିଛି ପଚାରିଲେ, କୁହନ୍ତି ଶିଖାଇବାର ଯୋଗ୍ୟତା ମୋର ନାହିଁ, ଯାହା କିଛି ଗାଉଛି, ଗୁରୁମାନଙ୍କ ଆଶୀର୍ବାଦରୁ। କିନ୍ତୁ କଥା ଛଳ‌ରେ, ଅନେକ କିଛି ଶିଖାଇଥାନ୍ତି। ତାଙ୍କର ସୁବୁଠୁ ମହାନ ଗୁଣ ହେଲା, ସେ କାହାକୁ ନ୍ୟୁନ ବୋଲି ଭାବନ୍ତି ନାହିଁ କି କାହାର ନିନ୍ଦା କରନ୍ତି ନାହିଁ। ତାଙ୍କ ସହ ୪ବର୍ଷ କାଟିଛି। ଅନେକ କିଛି ଶିଖିଛି। ସଂଗୀତ ଅଭ୍ୟାସ ବେଳେ ଗୁରୁମାନଙ୍କ ସମେତ ଲତାଙ୍କୁ ସ୍ମରଣ କରେ। ତାଙ୍କ କଥାକୁ ମନେ ପକାଇ ଅଭ୍ୟାସ କରେ। ଏବେ ମୋ ମୁଣ୍ଡରୁ ତାଙ୍କ ଆଶୀର୍ବାଦର ହାତ ଉଠିଗଲା ଭଳି ଅନୁଭବ ହେଉଛି। ସେ ଥିଲେ ସାକ୍ଷାତ ବାଗ୍‌ଦେବୀ। ଗତକାଲି ସରସ୍ବତୀ ପୂଜା ଥିଲା। ମୀରାବାଇ ଶ୍ରୀକୃଷ୍ଣଙ୍କ ଦେହରେ ଲୀନ ହେଲା ଭଳି ଲତାଜୀଙ୍କ ମାସରସ୍ବତୀଙ୍କ ଦେହରେ ଲୀନ ହୋଇଛନ୍ତି।

ଡକ୍ଟର ଶ୍ୟାମାମଣୀ ପଟ୍ଟନାୟକ
ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତ ବିଶାରଦ

ସମ୍ବନ୍ଧିତ ଖବର