ବୈଜ୍ଞନିକମାନେ ଏକ ନୂତନ କୌଶଳ ବିକଶିତ କରିଛନ୍ତି, ଯାହା ଦ୍ବାରା ମାତ୍ର ୧୫ ମିନିଟ୍‌ରେ ହୀରା ପ୍ରସ୍ତୁତି ସମ୍ଭବ ହୋଇପାରିଛି। ସେମାନେ ସାଧାରଣ ବାୟୁମଣ୍ଡଳୀୟ ଚାପରେ ଏବଂ କୌଣସି ରତ୍ନପଥରର ଉପଯୋଗ ବିନା ମଧ୍ୟ ବିଜ୍ଞାନାଗାରରେ କୃତ୍ରିମ ଉପାୟରେ ହୀରାଖଣ୍ଡ ବିକଶିତ କରିବାରେ ସଫଳ ହୋଇଛନ୍ତି। ସାଧାରଣତଃ ପ୍ରାକୃତିକ ହୀରାଖଣ୍ଡଗୁଡ଼ିକ ଭୂପୃଷ୍ଠର ଶହ ଶହ ମାଇଲ ତଳେ ଭୂଗର୍ଭରେ ତରଳ ଅବସ୍ଥାରେ ତାପ ଓ ଚାପର ବଶବର୍ତ୍ତୀ ହୋଇ ଉଜ୍ଜ୍ବଳ ରୂପ ଧାରଣ କରିଥା’ନ୍ତି। ଏହି ପ୍ରକ୍ରିୟାରେ ଅନେକ ଗିଗାପାସ୍କାଲ ପରି ଚାପ ଓ ପ୍ରାୟ ୧,୫୦୦ ଡିଗ୍ରି ସେଲସିଅସ୍‌ରୁ ଅଧିକ ତାପମାତ୍ରା ପରି ପରିବେଶ ଆବଶ୍ୟକ ହୋଇଥାଏ। ଅବଶ୍ୟ ଆଜିକାଲି ପ୍ରାୟ ୯୯ ପ୍ରତିଶତ ହୀରା କୃତ୍ରିମ ଉପାୟରେ ପ୍ରସ୍ତୁତ କରାଯାଉଛି।

Advertisment

ବର୍ତ୍ତମାନ ବିଶ୍ବ ବଜାରରେ ଉପଲବ୍ଧ ହୀରାର ୧୭% ବିଜ୍ଞାନାଗାରରେ ପ୍ରସ୍ତୁତ। ୨୦୧୬ରେ କୃତ୍ରିମ ହୀରା ବଜାରର ଆକାର ୧ ବିଲିଅନ୍‌ ଡଲାର୍‌ ଥିବା ବେଳେ ୨୦୨୨ ବେଳକୁ ତାହା ୧୨ ବିଲିଅନ୍‌ ଡଲାର ଛୁଇଁଛି।

ଏଥିରେ ଅତ୍ୟୁଚ୍ଚ ଚାପ ଓ ଅତ୍ୟୁଚ୍ଚ ତାପମାତ୍ରା ବା ଏଚ୍‌ପିଏଚ୍‌ଟି ନାମକ ଏକ ନୂତନ ପଦ୍ଧତିରେ ତରଳ ଧାତବ ଲୌହରେ ତରଳ ଅଙ୍ଗାରକକୁ ଢଳାଯାଇ ତାହାକୁ ଏକ କ୍ଷୁଦ୍ର ମଞ୍ଜି ବା ପ୍ରାରମ୍ଭିକ ହୀରାରେ ପରିଣତ କରାଯାଉଛି, ପରେ ତାହାକୁ ବିଜ୍ଞାନାଗାରରେ ବଡ଼ ଆକାର ଦିଆଯାଉଛି। ମାତ୍ର ଏହି ପ୍ରକ୍ରିୟା ପାଇଁ ଅତ୍ୟୁଚ୍ଚ ତାପମାତ୍ରା ଓ ବାହ୍ୟ ଚାପ ବଜାୟ ରଖିବା ଏକ କଷ୍ଟସାଧ୍ୟ ବ୍ୟାପାର। ଏଥି ସହିତ ଏଥିରେ ବ୍ୟବହୃତ ଉପାଦାନଗୁଡ଼ିକ ମଧ୍ୟ ହୀରାର ଆକାରକୁ ପ୍ରଭାବିତ କରିଥା’ନ୍ତି। ଏଚ୍‌ପିଏଚ୍‌ଟି ପଦ୍ଧତିରେ ମାତ୍ର ଗୋଟିଏ ଘନସେଣ୍ଟିମିଟର ପରିମିତ ଏକ ଛୋଟ ହୀରାଖଣ୍ଡ ପ୍ରସ୍ତୁତ କରିବା ପାଇଁ ସପ୍ତାହେ କି ଦୁଇ ସପ୍ତାହ ସମୟ ଲାଗିଥାଏ।

ଅପରପକ୍ଷେ, କେମିକାଲ୍ ଭେପର୍‌ ଡିକମ୍ପୋଜିସନ୍ (ସିଭିଡି) ନାମକ ଅନ୍ୟତମ କୃତ୍ରିମ ପ୍ରକ୍ରିୟାରେ ଯଦିଓ ଉଚ୍ଚ ତାପମାତ୍ରା ଓ ଉଚ୍ଚ ଚାପ ପରି ଆବଶ୍ୟକତାକୁ ଦୂର କରାଯାଇପାରୁଛି, ତେବେ ହୀରା ପ୍ରସ୍ତୁତି ପାଇଁ ଏଥିରେ ଏକ କ୍ଷୁଦ୍ର ମଞ୍ଜି ହୀରାର ଆବଶ୍ୟକ ପଡ଼ିଥାଏ। ମାତ୍ର କୋରିଆର ବୈଜ୍ଞାନିକମାନଙ୍କ ଦ୍ବାରା ବିକଶିତ ନୂତନ କୌଶଳରେ ଉଭୟ ଏଚ୍‌ପିଏଚ୍‌ଟି ଓ ସିଭିଡି ପରି ସଂଶ୍ଳେଷଣ ପ୍ରକ୍ରିୟାର ବିଭିନ୍ନ ପ୍ରତିବନ୍ଧକକୁ ଦୂର କରାଯିବା ସହ ମାତ୍ର ୧୫ ମିନିଟରେ କ୍ଷୁଦ୍ର ଆକାରର ହୀରାପଥର ମିଳିପାରୁଛି।