ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ର ସାରଥି ‘ମାତଳି’

ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥର ସାରଥି ହେଉଛନ୍ତି ‘ମାତଳି’। ତାଳଧ୍ୱଜର ରଥ ଆବରଣ ନୀଳ-ଲୋହିତ। ଏଥିରେ ‘ନୀଳ’ ହେଉଛି ସବୁଜ ରଙ୍ଗ। ଏଣୁ ଶ୍ରୀବଳଭଦ୍ରଙ୍କ ରଥର ରଙ୍ଗ ସବୁଜ ଓ ଲାଲ। ଲାଲ ସବୁ ରଥର ସାଧାରଣ ରଙ୍ଗ। ଏଣୁ ଏହି ରଥରେ ସବୁଜ ହିଁ ମୁଖ୍ୟ ରଙ୍ଗ। ସେଥିପାଇଁ ତାଳଧ୍ୱଜ ରଥର ସାରଥି ‘ମାତଳି’ ବି ସବୁଜ ରଙ୍ଗର ପୋଷାକ ପରିଧାନ କରିଥାନ୍ତି।

ବଳରାମ ଦାସଙ୍କ ‘ରାମାୟଣ’ର ଅନ୍ୟ ଦୁଇଟି ନାମ ହେଉଛି ‘ଜଗମୋହନ ରାମାୟଣ’ ଓ ‘ଦାଣ୍ଡି ରାମାୟଣ’। ସେଥିରେ ‘ତାଳଧ୍ୱଜ’ ରଥର ଉଲ୍ଲେଖ ଅଛି। ‘ଲଙ୍କାକାଣ୍ଡ’ର ମହୀରାବଣ ଉପାଖ୍ୟାନ ଏହାର ଦୃଷ୍ଟାନ୍ତ। ମହୀରାବଣ ପଦ୍ମବ୍ୟୂହ ରଚନା କରି ଲକ୍ଷ୍ମଣ, ହନୁମାନ ଓ ସୁଷେଣଙ୍କୁ ହରଣ କରି ନେଇ ସୁଦେବୀଙ୍କ ସୁଲଙ୍କା ପୁରରେ ରଖିଥିଲା। ସୁଦେବୀ ଲକ୍ଷ୍ମଣଙ୍କ ସେବା କରି ମୁକ୍ତି ପାଇଲେ ଏବଂ ସ୍ୱର୍ଗପୁରକୁ ଯାଇ ଇନ୍ଦ୍ରଙ୍କୁ କହିଲେ- ମହୀରାବଣ ବଧ ପାଇଁ ଲକ୍ଷ୍ମଣଙ୍କୁ ଆପଣଙ୍କର ରଥଟି ଦରକାର। ତାହା ଶୁଣି ଦେବରାଜ ଇନ୍ଦ୍ର ଦ୍ୱାରୀକୁ ଡକାଇ, ‘ତାଳଧ୍ୱଜ’ ରଥକୁ ମଣ୍ଡଣି, ସାଜେଣି କରି ଲକ୍ଷ୍ମଣଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ରଥର ସାରଥି ଥିଲେ ‘ମାତଳି’।

ବଳରାମ ଦାସଙ୍କ ରାମାୟଣ ଅନୁସାରେ- ତ୍ରେତୟା ଯୁଗର ବଡ଼ ଭାଇ ଶ୍ରୀରାମ କଳିଯୁଗରେ ହୋଇଛନ୍ତି ସାନଭାଇ ଶ୍ରୀଜଗନ୍ନାଥ ଏବଂ ସାନଭାଇ ଲକ୍ଷ୍ମଣ ହୋଇଛନ୍ତି ବଡ଼ଭାଇ ବଳରାମ (ଶ୍ରୀବଳଭଦ୍ର)। ଶ୍ରୀମନ୍ଦିରର ସୁପ୍ରସିଦ୍ଧ ‘ରଘୁନାଥ ବେଶ’ରେ ତାହାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ତେଣୁ, ସେହିଅନୁସାରେ, ଶ୍ରୀଗୁଣ୍ଡିଚାଯାତ୍ରାରେ ଶ୍ରୀବଳଭଦ୍ର ତାଳଧ୍ୱଜ ରଥରେ ବିଜେ କରିଥାନ୍ତି ଏବଂ ସେହି ରଥର ସାରଥି ହୋଇଥାନ୍ତି ‘ମାତଳି’।

ସମ୍ବନ୍ଧିତ ଖବର