୯୦୦ ବର୍ଷ ବଞ୍ଚିଥିବା ଜଣେ ସିଦ୍ଧ ଯୋଗୀ

ଜଣେ ସିଦ୍ଧ ଯୋଗୀ ୯୦୦ ବର୍ଷ ବଞ୍ଚି ଥିଲେ। ଏ କଥା ବିଶ୍ୱାସଯୋଗ୍ୟ ମନେ ନ ହେଉଥିଲେ ବି ସତ୍ୟ। ସେ ସିଦ୍ଧ ଯୋଗୀ ହେଉଛନ୍ତି ଦେଓରାହା ବାବା। ସେ ୧୯୯୦ରେ ଶରୀର ତ୍ୟାଗ କରିଥିଲେ ବି ତାଙ୍କ ଶିଷ୍ୟମାନେ ଏବେ ସୁଦ୍ଧା ତାଙ୍କ ବାଣୀ ପ୍ରଚାର କରୁଛନ୍ତି। ପ୍ରାୟ ୨୫୦ ବର୍ଷ ତଳର କିଛି ନଥିପତ୍ରରେ ମଧ୍ୟ ତାଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି।

ତାଙ୍କ ଶିଷ୍ୟମାନେ କହନ୍ତି: ବାବା କଦାପି କୌଣସି ବସ୍ତ୍ର ପିନ୍ଧୁ ନ ଥିଲେ। ସେ କାଠ ତିଆରି ଏକ ମଞ୍ଚାରେ ବାସ କରୁଥିଲେ। ଗାଧୋଇବା ଦୈନିକ ସେ ଥରେ ମାତ୍ର ତଳକୁ ଓହ୍ଲାଉ ଥିଲେ। ଶିଷ୍ୟମାନେ କହନ୍ତି, ସେ ଈଶ୍ୱରଙ୍କର ଅବତାର ହୋଇଥିବାରୁ ଜଡ଼ବସ୍ତୁ ଉପରେ ତାଙ୍କର ନିୟନ୍ତ୍ରଣ ଥିଲା। ସେ ତାଙ୍କର ଇଚ୍ଛା ନ ଥିଲେ ଜଣେ କ୍ୟାମେରା ଧରି ତାଙ୍କର ଯେତେ ଫଟୋ ଉଠାଇଲେ ମଧ୍ୟ ତାହା କ୍ୟାମେରାରେ ଥିବା ଫିଲ୍ମରେ ଦିଶୁ ନ ଥିଲା। ବନ୍ଧୁକରୁ ଫୁଟି ଆସୁଥିବା ଗୁଳି ଉପରେ ମଧ୍ୟ ତାଙ୍କର ନିୟନ୍ତ୍ରଣ ଥିଲା। ସେ ଇଚ୍ଛା ନ କଲେ ରିଭଲ୍‌ଭର୍‌ରେ ଥିବା ଗୁଳି ମଧ୍ୟ ଫୁଟୁ ନ ଥିଲା।

କୁମ୍ଭ ମେଳା ସମୟରେ ସେ ଦୁଇ ମାସ ଧରି ଆହ୍ଲାବାଦରେ ବସୁଥିଲେ। ମାସେ ଗଙ୍ଗା କୂଳରେ, ମାସେ ଯମୁନା କୂଳରେ।
ମଞ୍ଚାରେ ବସି ହିଁ ସେ ଶିଷ୍ୟଗଣଙ୍କୁ ପ୍ରବଚନ ଦେଉଥିଲେ।

କିଂବଦନ୍ତି କହେ, ଇଚ୍ଛା ପ୍ରମାଣେ ସେ ଯୁଆଡ଼େ ନାହିଁ ସିଆଡ଼େ ଯାଇ ପାରୁଥିଲେ। ତାଙ୍କ ମଞ୍ଚା ଆଖପାଖରେ ଥିବା ବଗିଚାର ଗଛବୃଚ୍ଛରେ କଣ୍ଟା ରହୁ ନ ଥିଲା। ବାବା ଲୋକମାନଙ୍କ ମନକଥା ଜାଣି ପାରୁଥିଲେ। ପଶୁପକ୍ଷୀମାନଙ୍କର ମନକଥା ବି ବୁଝି ପାରୁଥିଲେ। ଦୁଗ୍ଧ ଓ ମହୁ ଛଡ଼ା ସେ ଅନ୍ୟ କିଛି ଆହାର କରୁ ନ ଥିଲେ। ଯେଡ଼େ ଉଚ୍ଚ ପଦପଦବୀରେ ଥାଆନ୍ତୁ, ଯେଡ଼େ ବଳବାନ ହୋଇ ଥାଆନ୍ତୁ- ସଭିଏଁ ବାବାଙ୍କ ଆଗରେ ନତମସ୍ତକ ହେଉଥିଲେ।

ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଏବଂ ଲାଲୁ ପ୍ରସାଦ ଯାଦବ ଆଦି ନେତା ମଧ୍ୟ ତାଙ୍କର ଶିଷ୍ୟ ହୋଇଥିଲେ। କିଂବଦନ୍ତି କହେ ସେ ପାଣିରୁ ଜାତ ହୋଇଥିଲେ। ବୃନ୍ଦାବନ ଠାରେ ସେ ୩୦ ମିନିଟ୍‌ ଧରି ପାଣିରେ ବୁଡ଼ି ରହିପାରୁଥିଲେ।

ସମ୍ବନ୍ଧିତ ଖବର