୧୯୪୭ ଅକ୍ଟୋବର ୨୦ ତାରିଖରେ ହଠାତ୍ ପାକିସ୍ତାନ ପଟୁ ଭାରତ ଉପରେ ଆକ୍ରମଣ ହୋଇଥିଲା। ଯୁଦ୍ଧ ଇତିହାସରେ ଏହା ଏକ ଅଳ୍ପ-ଆଲୋଚିତ ଅଧ୍ୟାୟ ହୋଇଥିଲେ ହେଁ କଶ୍ମୀରରେ ପ୍ରବଳ ପରାକ୍ରମ ସହ ଲଢ଼ି ବିଜୟର ଦିଶା ଦେଖାଇ ସହିଦ ହୋଇଥିବା ଜମାଦାର ନନ୍ଦ ସିଂଙ୍କ ବୀରତ୍ବର କାହାଣୀ କିନ୍ତୁ ଚିରସ୍ମରଣୀୟ ହୋଇ ରହିଛି। ‘‘ସୱା ଲାଖ୍ ସେ ଏକ୍ ଲଢ଼ାଉଁ, ତବ୍ ହି ଗୋବିନ୍ଦ ସିଂହ ନାମ୍ କହାଉଁ’’। ଏହି ଧ୍ବନି ଦେଇ ଯୁଦ୍ଧଭୂମିରେ ଜମାଦାର ନନ୍ଦ ସିଂହ ଯେଭଳି ହାତାହାତି ଯୁଦ୍ଧରେ ପାକ୍ ସୈନିକଙ୍କ ସଂହାର କରିଥିଲେ, ତାହା ମନେ ପକାଇଲେ ଲୋମଟାଙ୍କୁରି ଉଠେ। ସେନା ଦିବସ ପାଳନ ଅବସରରେ ବ୍ରିଟେନ୍ ସେନା ପ୍ରଦତ୍ତ ଭିକ୍ଟୋରିଆ କ୍ରସ୍ ଓ ଭାରତୀୟ ସେନାର ମହାବୀର ଚକ୍ର ସାମରିକ ସମ୍ମାନ ଲାଭ କରିଥିବା ମହାନ୍ ଯୋଦ୍ଧା ଜମାଦାର ନନ୍ଦ ସିଂହଙ୍କ ବୀରତ୍ୱ ଗାଥାର ସ୍ମୃତିଚାରଣ ବହୁ ପ୍ରାସଙ୍ଗିକତା ବହନ କରେ।
ପଞ୍ଜାବର ଭଟିଣ୍ଡା ଜିଲ୍ଲାର ବାହାଦୁରପୁର ଗାଁର ଗୌରବ ନନ୍ଦ ସିଂହ। ୧୯୧୪ ମସିହା ସେପ୍ଟେମ୍ବର ୨୪ ତାରିଖରେ ତାଙ୍କର ଜନ୍ମ। ୧୯୩୩ ମସିହା ମାର୍ଚ ୨୪ ତାରିଖରେ ସେ ଶିଖ୍ ରେଜିମେଣ୍ଟ୍ର ପ୍ରଥମ ଶିଖ୍ ବାଟାଲିଅନ୍ରେ ଯୋଗଦେଇଥିଲେ। ଦ୍ବିତୀୟ ବିଶ୍ୱଯୁଦ୍ଧ ବେଳେ ଜମାଦାର ନନ୍ଦ ସିଂହ ଭାରତୀୟ ସେନା ପକ୍ଷରୁ ବ୍ରହ୍ମଦେଶରେ ଜାପାନୀମାନଙ୍କ ବିପକ୍ଷରେ ହୋଇଥିବା ଅପରେସନ୍ରେ ଅଂଶଗ୍ରହଣ କରିଥିଲେ,ସେତେବେଳେ ତାଙ୍କ ପଦବି ଥିଲା- ଆକ୍ଟିଙ୍ଗ୍ ନାଏକ। ୧୯୪୪ ମାର୍ଚ ମାସରେ ଜାପାନୀମାନେ ବ୍ରହ୍ମଦେଶର ଅତ୍ୟନ୍ତ ତୀଖ ପାର୍ବତ୍ୟାଞ୍ଚଳ ‘ହିଣ୍ଡିଆ ହିଲ୍ସ’ ଅକ୍ତିଆର କରିନେଇଥିଲେ। ଏକ୍ଟିଙ୍ଗ୍ ନାଏକ ନନ୍ଦ ସିଂହଙ୍କ ପ୍ଲାଟୁନ୍କୁ ସେହି ସ୍ଥାନ ଅକ୍ତିଆର କରିବା ପାଇଁ ନିର୍ଦ୍ଦେଶ ଦିଆଗଲା। ଲକ୍ଷ୍ୟସ୍ଥଳ ଆଡ଼କୁ ଅଗ୍ରସର ହେବା ବେଳକୁ ଘନଘନ ମେସିନ୍ ଗନ୍ ଓ ରାଇଫଲ୍ ଗୁଳି ବର୍ଷିଲା ଏବଂ ନନ୍ଦ ସିଂହଙ୍କ ଦଳର ଅଧିକାଂଶ ସଦସ୍ୟ ମୃତ୍ୟୁବରଣ କଲେ କିମ୍ବା ଆହତ ହେଲେ। ଆହତ ହୋଇଥିବା ନନ୍ଦ ସିଂହ ଏକୁଟିଆ ଆଗକୁ ବଢ଼ିଚାଲିଲେ। ସେ ପ୍ରଥମ ଟ୍ରେଞ୍ଚ୍ଟି ଦଖଲ କରି ସେଥିରେ ଥିବା ଦୁଇଜଣ ଜାପାନୀ ସୈନିକଙ୍କୁ ନିଜ ବାୟୋନେଟ୍ ଭୁଷି ହତ୍ୟା କଲେ। ଦ୍ବିତୀୟ ଓ ତୃତୀୟ ଟ୍ରେଞ୍ଚ୍କୁ ଅଗ୍ରସର ହେବା ସମୟରେ ସେ ଲଗାତାର ଜାପାନୀ ସୈନିକଙ୍କ ଗ୍ରେନେଡ୍ ଓ ଗୁଳିଗୋଳାର ମୁକାବିଲା କରି ଗୁରୁତର ହେଲେ। ଏହାସତ୍ତ୍ବେ ସେ ଏକୁଟିଆ ପ୍ରତିପକ୍ଷ ସୈନିକଙ୍କୁ ବାୟୋନେଟ୍ ଦ୍ୱାରା ହତ୍ୟା କରି ଘାଟି ଦଖଲ କଲେ।
ଗୁରୁତର ଆହତ ହୋଇଥିବା ସତ୍ତ୍ବେ ମୃତ୍ୟୁକୁ ଖାତିର ନକରି ନନ୍ଦ ସିଂହ ଅବିଶ୍ୱସନୀୟ ସାହସିକତା ଓ ବୀରତ୍ବ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲେ। ୧୯୪୪ ମସିହା ମାର୍ଚ ୧୧-୧୨ ତାରିଖରେ ବ୍ରହ୍ମଦେଶର ଆରାକାନ୍ରେ ଜାପାନୀ ସେନା ବିପକ୍ଷରେ ପ୍ରଦର୍ଶନ କରିଥିବା ଅଭୂତପୂର୍ବ ଶୌର୍ଯ୍ୟ ପାଇଁ ତାଙ୍କୁ ବ୍ରିଟେନ୍ର ସର୍ବୋଚ୍ଚ ସମ୍ମାନ ‘ଭିକ୍ଟୋରିଆ କ୍ରସ୍’ ପ୍ରଦାନ କରାଯାଇଥିଲା। ୧୯୪୭ ମସିହା ଅକ୍େଟାବର ମାସରେ ପାକିସ୍ତାନର ଆଦିବାସୀମାନେ ଯୋଜନାବଦ୍ଧ ଭାବରେ ଜମ୍ମୁ ଓ କଶ୍ମୀର ଆକ୍ରମଣ କଲେ। ଏହା ଥିଲା ପ୍ରଥମ ଭାରତ-ପାକ୍ ଯୁଦ୍ଧ ଏବଂ ଇତିହାସ ଏହି ଯୁଦ୍ଧକୁ ବିଶେଷ ପ୍ରାଧାନ୍ୟ ଦେଇନାହିଁ। ନନ୍ଦ ସିଂହଙ୍କ ପ୍ରଥମ ଶିଖ୍ ୟୁନିଟ୍ ସେତେବେଳେ ଜମ୍ମୁ ଓ କଶ୍ମୀରରେ ମୁତୟନ ଥିଲା। ଡିସେମ୍ବର ୧୨ ତାରିଖ ଦିନ ଶିଖ୍ ରେଜିମେଣ୍ଟ୍ କଶ୍ମୀରର ଉରି ଦେଇ ଯାଉଥିବା ବେଳେ ପୂର୍ବ ନିର୍ମିତ ଗୁପ୍ତ ବଙ୍କର୍ରେ ଲୁଚିଥିବା ପାକିସ୍ତାନୀ ସେନା ଆଗୁଆ ପ୍ରଥମ ଶିଖ୍ ୟୁନିଟ୍ ଉପରେ ଆକ୍ରମଣ କଲା। ଫଳସ୍ବରୂପ ଘଟଣାସ୍ଥଳରେ ହିଁ ୧୦ ଜଣ ଭାରତୀୟ ସୈନିକ ସହିଦ ହେଲେ ଏବଂ ୧୫ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଆହତ ଭାରତୀୟ ସୈନିକମାନେ ଶତ୍ରୁର ବଙ୍କର୍ଠାରୁ ମାତ୍ର ୧୦ ଗଜ ଦୂରତ୍ବ ଭିତରେ ପଡ଼ିରହିଥିଲେ।
ପାକିସ୍ତାନୀମାନେ ଆହତ ଭାରତୀୟ ସୈନିକଙ୍କୁ ଟାଣିନେଇ ଅସ୍ତ୍ରଶସ୍ତ୍ର ଲୁଟ୍ କରିନେବାକୁ ଚାହୁଥିଲେ। ଶତ୍ରୁ ସେନାର ମୁକାବିଲା କରିବାକୁ ଆଗରେ ରହିଥିବା ଭାରତୀୟ ପ୍ଲାଟୁନ୍ଗୁଡ଼ିକ ମଧ୍ୟରୁ ଗୋଟିକର ନେତୃତ୍ବ ନେଇଥିଲେ ନନ୍ଦ ସିଂହ। ଅତ୍ୟନ୍ତ ପରାକ୍ରମ ସହିତ ନନ୍ଦ ସିଂହ ପାକିସ୍ତାନୀ ସେନା ଉପରେ ଆକ୍ରମଣ କଲେ। ସେମାନଙ୍କ ସହ ମୁହାଁମୁହିଁ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ବାୟୋନେଟ୍ ସାହାଯ୍ୟରେ ପାଞ୍ଚଜଣ ପାକିସ୍ତାନୀଙ୍କ ଜୀବନ ନେଇଥିଲେ। କିନ୍ତୁ ଏତିକିବେଳେ ପରମବୀର ନନ୍ଦ ସିଂହ ଗୋଟିଏ ବଙ୍କର୍ ଉପରେ ଠିଆ ହୋଇ ଶତ୍ରୁମାନଙ୍କ ଗତିବିଧି ନିରୀକ୍ଷଣ କରୁଥିବା ବେଳେ ହଠାତ୍ ଶତ୍ରୁପକ୍ଷର ମେସିନ୍ ଗନ୍ ଗୁଳି ତାଙ୍କ ବକ୍ଷ ଭେଦ କରିଥିଲା ଏବଂ ସେ ସହିଦ େହାଇଗଲେ। ତାଙ୍କର ଅଦମ୍ୟ ସାହସରେ ଅନୁପ୍ରାଣିତ ହୋଇ ତାଙ୍କର ସାଥୀ ସେନା ମଧ୍ୟ ଦୁଇଗୁଣା ବଳଖଟାଇ ଲଢ଼ିଥିଲେ ଏବଂ ଶତ୍ରୁମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲେ। ଶେଷରେ ଶତ୍ରୁପକ୍ଷ ଛତ୍ରଭଙ୍ଗ ଦେଇଥିଲା। ଭାରତୀୟ ସେନାର ବିଜୟ ହୋଇଥିଲା। ତାଙ୍କର ବୀରତ୍ୱ ପାଇଁ ସେ ଭାରତର ଦ୍ବିତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ‘ମହାବୀର ଚକ୍ର’ ଉପାଧିରେ ଭୂଷିତ ହୋଇଥିଲେ। ‘ଭିକ୍ଟୋରିଆ କ୍ରସ୍’ ଓ ‘ମହାବୀର ଚକ୍ର ସମ୍ମାନ’ ପାଇଥିବା ଏକମାତ୍ର ସୈନିକ ଭାବେ ଦୁର୍ଦ୍ଧର୍ଷ ଯୋଦ୍ଧା ଜମାଦାର ନନ୍ଦ ସିଂହଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି।