ଏମାନେ ଅତି ପ୍ରଖର, ବିଚକ୍ଷଣ ଓ କାର୍ଯ୍ୟ ସିଦ୍ଧି କରିବା କୌଶଳରେ ବେଶ୍ ପାରଙ୍ଗମ। ଏମାନଙ୍କୁ ଆଗାଥା କ୍ରିଷ୍ଟିଙ୍କ ଗୁଇନ୍ଦା ଉପନ୍ୟାସର ଗୁଇନ୍ଦା ଚରିତ୍ର ‘ମିସ୍ ମାର୍ପଲ୍’ର ନୂଆ ଅବତାର କହିଲେ ଅତ୍ୟୁକ୍ତି ହେବନାହିଁ। ଏ ତିନି ମିସ୍ ମାର୍ପଲ୍ଙ୍କ ଗୁଇନ୍ଦା ବନିବା କାହାଣୀ କିନ୍ତୁ ଭିନ୍ନ। ଭାବନା ପଲ୍ଲବୀ ସାମ୍ବାଦିକତାରୁ ଗୁଇନ୍ଦା ବୃତ୍ତିକୁ ଆସିଥିବା ବେଳେ ତାରାଲିକା ଲାହିଡ଼ୀଙ୍କ ପୂର୍ବ ପେସା ଥିଲା ସ୍କୁଲ୍ ଶିକ୍ଷୟିତ୍ରୀ। ମାତ୍ର, ଗୁଇନ୍ଦା ବାପର ଝିଅ ତନୟା ପୁରୀ ପିଲାଦିନରୁ ଅନୁସନ୍ଧାନ ବୃତ୍ତିକୁ ଆପଣାଇବା ଲାଗି ସ୍ଥିର କରିଥିଲେ।
ସମାଜସେବୀ ବାପା ଓ କିରଣ ବେଦୀଙ୍କଦ୍ବାରା ଉଦ୍ବୁଦ୍ଧ ଭାବନା ପାଲିୱାଲ୍ ପିଲାଦିନରୁ ହିଁ ସମାଜରେ ନିଜ ଛାପ ଛାଡ଼ିଯିବାର ଅଭିଳାଷ ରଖିଥିଲେ। ଅଭିଳାଷ ପୂରଣ ଆଶାରେ ଆଗ୍ରାରୁ ବଡ଼ଭାଇଙ୍କ ସଙ୍ଗରେ ଚାଲିଆସିଲେ ଦିଲ୍ଲୀ। ଏକ ସମ୍ବାଦପତ୍ରରେ ରିପୋର୍ଟର୍ ଭାବେ କାର୍ଯ୍ୟ କଲେ। କିନ୍ତୁ, ତାଙ୍କର ହୃଦ୍ବୋଧ ହେଲା, ଏ କାମ ତାଙ୍କ ଜୀବନର ଲକ୍ଷ୍ୟ ନୁହେଁ। ଏମିତି ଦିନେ ସେ ଖବରକାଗଜରେ ପ୍ରକାଶିତ ବିଜ୍ଞାପନରେ ଦେଖିଲେ, ଗୋଟାଏ ଗୁଇନ୍ଦା ଏଜେନ୍ସି ମହିଳା ଓ ପୁରୁଷ ଗୁଇନ୍ଦା ପ୍ରାର୍ଥୀ ଖୋଜୁଛି। ଏହା ତାଙ୍କ ପାଇଁ ଆହ୍ବାନ ଥିଲା, ଯାହାକୁ ସେ ଗ୍ରହଣ କଲେ। ପ୍ରାଇଭେଟ୍ ଡିଟେକ୍ଟିଭ୍ ବୃତ୍ତିକୁ ଆପଣାଇ ନେଲେ ଭାବନା।
ବେଶ୍ କିଛି ବର୍ଷ ଗୁଇନ୍ଦାଗିରି କରିଥିବା ପାଲିୱାଲ୍ କହନ୍ତି, ଏ ବୃତ୍ତିରେ ପ୍ରଧାନ କଥା ହେଲା ଉପସ୍ଥିତ ବୁଦ୍ଧି। ମୋର ପ୍ରଥମ ମାମଲାରେ ଜଣେ ଝିଅର ସନ୍ଧାନ ନେବା ପାଇଁ ଦାୟିତ୍ବ ଦିଆଯାଇଥିଲା। ମୁଁ ଓ ମୋ ସହଯୋଗୀ ସେଲ୍ସ୍ଗାର୍ଲସ୍ ବେଶ ହୋଇ ନିର୍ଦ୍ଧାରିତ ଠିକଣାରେ ପହଞ୍ଚିଲୁ। ଝିଅର ମାଆ ଝିଅ ବିଷୟରେ କହିଲେ। ସେ ଝିଅ ବିଷୟରେ ପ୍ରକୃତ ତଥ୍ୟ ଦେବା ବେଳକୁ ତା’ର ବାପା ଆସିଗଲେ। ହତ୍ୟା ଧମକ ଦେଇ ସେ ଆମ ପରିଚୟ ଜାଣିବାକୁ ଚାହିଁଲେ। ଏ ସମୟରେ ଆତ୍ମବିଶ୍ବାସ ଓ ଉପସ୍ଥିତ ବୁଦ୍ଧିହିଁ ଆମକୁ ରକ୍ଷା କଲା। ସେ ଯେତେ ପଚାରିଲେ ବି ଆମେ ପ୍ରକୃତ ପରିଚୟ ଦେଲୁନାହିଁ। ଶେଷରେ ସେଠାରୁ ବର୍ତ୍ତିବାରେ ସଫଳ ହୋଇଥିଲି।
ଲୋକଙ୍କଠାରୁ ସୂଚନା ସଂଗ୍ରହ କରିବାକୁ ସବୁ ପ୍ରକାର ପରିସ୍ଥିତି ଦେଇ ଯିବାକୁ ହୁଏ। ଗୋଟାଏ ମାମଲା ପାଇଁ ମତେ ଛଦ୍ମବେଶୀ ଚାକରାଣୀ ହେବାକୁ ପଡ଼ିଥିଲା। ଘଟଣାସ୍ଥଳ ନିକଟରେ ଛୋଟିଆ ଘରଟିଏ ଭଡ଼ା ନେଇ ଚାକରାଣୀ କାର୍ଯ୍ୟ କରୁଥିବା ଅନ୍ୟ ମହିଳାଙ୍କ ସହିତ ରହିଥିଲି। ଆଉ କେତେକ ମାମଲାରେ ଏନ୍ଜିଓ କର୍ମୀ, ଶିକ୍ଷୟିତ୍ରୀ ଓ ଅଙ୍ଗନବାଡ଼ି କର୍ମଚାରୀ ଭାବେ ବେଶପୋଷାକ ବି ସାଜିବାକୁ ପଡ଼ିଛି ବୋଲି କହନ୍ତି ଭାବନା।
ସେ କହନ୍ତି, ‘‘ଆଗରୁ ମହିଳାମାନେ ନିର୍ଯାତିତା ହେଉଥିଲେ। ଏବେ ପୁରୁଷମାନେହିଁ ଅଧିକ ନିର୍ଯାତିତ ହେଉଛନ୍ତି। ସ୍ତ୍ରୀମାନେ ବିଶ୍ବାସଘାତକତା କରୁଛନ୍ତି। ପରକୀୟା ପ୍ରୀତି ବୃଦ୍ଧି ପାଉଛି। କିନ୍ତୁ, କୋର୍ଟ କଚେରିକୁ ନ ନେଇ ମୁଁ ଅଧିକାଂଶ ମାମଲା ଆପୋସ ସମାଧାନ କରାଏ।’’
ଭାବନା ଦୀର୍ଘ ଦିନ ଧରି ଆପଣା ବୃତ୍ତି ବିଷୟରେ ପରିବାର ଲୋକଙ୍କୁ ଜଣାଇ ନ ଥିଲେ। ଖବରକାଗଜରେ ତାଙ୍କ ଫଟୋ ଦେଖି ବଡ଼ଭାଇହିଁ ପ୍ରଥମେ ସେ ଗୁଇନ୍ଦାଗିରି କରୁଥିବା ଜାଣିପାରିଲେ। ୨୦୦୦ ମସିହାରୁ ଗୁଇନ୍ଦାଗରି କରୁଥିବା ପାଲିୱାଲ୍ଙ୍କ ଆତ୍ମସନ୍ତୋଷ ଏତିକି ଯେ, ପରିଶେଷରେ ସେ ସତ୍ୟ ଜଣାଇବାରେ ସମର୍ଥ ହେଉଛନ୍ତି।
ବାପା ଗୁଇନ୍ଦାକୁ ଝିଅ ଗୁଇନ୍ଦା
ବାପାଙ୍କ ରାସ୍ତାରେ ଯାଇ ତନୟା ପୁରୀ ଗୁଇନ୍ଦା ବୃତ୍ତି ଆପଣାଇଛନ୍ତି। ବାପା ବଳଦବେ ପୁରୀ ଜଣେ ପ୍ରଖ୍ୟାତ ଗୁଇନ୍ଦା। ତନୟା କହନ୍ତି, ‘‘ବାପା କେମିତି ବିଭିନ୍ନ ମାମଲାର ରହସ୍ୟ ଭେଦ କରନ୍ତି, ତାହା ମୋତେ କହନ୍ତି। ପୁଣି ମନରୁ ଫାନ୍ଦି ମତେ ବହୁ ମାମଲା ଦିଅନ୍ତି ଓ ତା’ର ସମାଧାନ କରିବାକୁ କହନ୍ତି। ସେଥିରୁ ହିଁ ମୋର ଗୁଇନ୍ଦାଗିରି ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା।’’
କିନ୍ତୁ, ତାଙ୍କର ପ୍ରକୃତ ଗୁଇନ୍ଦାଗିରି ଆରମ୍ଭ ହେଲା ଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ କଲେଜ୍ ଫର୍ ଓମ୍ୟାନ୍ରେ ମାସ୍ କମ୍ୟୁନିକେସନ୍ ପଢୁଥିବା ବେଳେ। ବାପା ୨୦ ବର୍ଷୀୟା ତନୟାଙ୍କୁ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଜଣେ ଝିଅ ଉପରେ ନଜର ରଖିବାକୁ କହିଲେ। କାରଣ, ସେ ଝିଅ କାହା ସହିତ ଡେଟିଙ୍ଗ୍ରେ ଯାଉଛି ବୋଲି ତା’ ବାପାମାଆ ସନ୍ଦେହ କରୁଥିଲେ। ଏହି ମାମଲାରେ ସଫଳ ହୋଇଥିଲେ ତନୟା ପୁରୀ।
ତା’ପରେ ଖୁବ୍ ଶୀଘ୍ର ନିଜସ୍ବ ଗୁଇନ୍ଦା ଏଜେନ୍ସି ଖୋଲି ତନୟା କେତେକ ତରୁଣୀ ଗୁଇନ୍ଦାଙ୍କୁ ଚାକିରି ଦେଲେ। ୨୦୧୪ରୁ ଗୁଇନ୍ଦାଗିରି କରୁଥିବା ତନୟା କହନ୍ତି, ‘‘ଏ ବୃତ୍ତିରେ ସୁରକ୍ଷା ଆଗ। କେତେକ ଗୁଇନ୍ଦା ଆଗରୁ ମାର୍ସାଲ୍ ଆର୍ଟ ଶିଖିଛନ୍ତି। କେତେକ ପରେ ଶିଖୁଛନ୍ତି। ଗୋଟାଏ ବଡ଼ କଥା ହେଲା, ସେମାନେ ନଜର ରଖିଥିବା ବ୍ୟକ୍ତିବିଶେଷଙ୍କଦ୍ବାରା ଯେପରି ଧରା ନ ପଡ଼ନ୍ତି। ଏସବୁ ପରିସ୍ଥିତିର ମୁକାବିଲା ପାଇଁ ସେମାନେ ଉତ୍ତମ ତାଲିମ ପାଇଛନ୍ତି। ଏ ବୃତ୍ତିରେ ଅସଲ କଥା ହେଉଛି ଆଦୌ ତ୍ରୁଟି ନ କରିବା। ଜଣେ ଗୁଇନ୍ଦା ଏଭଳି ତୀକ୍ଷ୍ଣ ହେବା କଥା, ଯେମିତି ଆଖପାଖ ଲୋକେ ତା’ର କାର୍ଯ୍ୟକଳାପ ବୁଝି ନ ପାରିବେ। ଏ ବୃତ୍ତି ଟେଲିଭିଜନ୍ ଓ ସିନେମାେର ପ୍ରଦର୍ଶିତ ପୁଲିସ ସହିତ ମିଶି କାମ କରୁଥିବା ଗୁଇନ୍ଦାଙ୍କ କାମ ପରି ନୁହେଁ। ବାସ୍ତବ କଥା ହେଲା, ଏଥିପାଇଁ ପରିସ୍ଥିତି ଓ ପରିବେଶ ସହିତ ଖାପ ଖୁଆଇ କାମ କରିବାକୁ ପଡ଼େ।
‘ଆସୋସିଏସନ୍ ଅଫ୍ ପ୍ରାଇଭେଟ୍ ଡିଟେକ୍ଟିଭ୍ ଏଣ୍ଡ୍ ଇନ୍ଭେଷ୍ଟିଗେଟର୍ସ’ର ଉପାଧ୍ୟକ୍ଷ ଥିବା ପୁରୀଙ୍କ ବାପା କହନ୍ତି, ‘‘ଏବେ ଅନେକ ତରୁଣୀ ଗୁଇନ୍ଦା ହେବାକୁ ଆଗ୍ରହ ଦେଖାଉଛନ୍ତି। ପ୍ରଥମେ ସ୍ନାତକ ହାସଲ କରି ତା’ପରେ ଆମ ପ୍ରତିଷ୍ଠାନରେ କାମ କର ବୋଲି ମୁଁ ସେମାନଙ୍କୁ କହୁଛି। ବିଭିନ୍ନ ସ୍ଥାନକୁ ଅନାୟାସରେ ଯାଇ ପାରୁଥିବାରୁ ମହିଳା ଗୁଇନ୍ଦାମାନେ ପୁରୁଷମାନଙ୍କଠାରୁ କିଛି ମାତ୍ରାରେ ଆଗୁଆ ଅଛନ୍ତି। ଗୁଇନ୍ଦା ବୃତ୍ତିରେ ମହିଳାମାନଙ୍କ ପାଇଁ ବହୁତ ସୁଯୋଗ ରହିଛି। ମହିଳା ଗୁଇନ୍ଦାଙ୍କ ଚାହିଦା ବି ବୃଦ୍ଧି ପାଉଛି।’’
ଶିକ୍ଷୟିତ୍ରୀରୁ ଗୁଇନ୍ଦା
ଆହ୍ଲାବାଦରେ ଜନ୍ମିତ ଓ ଲାଳିତପାଳିତ ସାଧାରଣ ପରିବାରର ଝିଅ ତାରାଲିକା ଲାହିଡ଼ୀ। ଇଂରାଜୀ ସାହିତ୍ୟରେ ସ୍ନାତେକାତ୍ତର କରିବା ପରେ ୧୯୮୬ରେ ବାହା ହୋଇ ସେ ଦିଲ୍ଲୀ ଚାଲି ଆସିଲେ। ସେଠାରେ ସାମୟିକ ଶିକ୍ଷୟିତ୍ରୀ ହିସାବରେ ସେ ଗୋଟାଏ ସ୍କୁଲ୍ରେ ଇଂରାଜୀ ପଢ଼ାଇଲେ। ତା’ପରେ ୧୯୮୯ରେ ସେ ସିକ୍ୟୁରିଟି ସମସ୍ବନ୍ଧୀୟ ଗ୍ୟାଜେଟ୍ ବ୍ୟବସାୟ କରୁଥିବା ଗୋଟାଏ ଗୁଇନ୍ଦା ଏଜେନ୍ସିରେ ଏକ୍ଜିକ୍ୟୁଟିଭ୍ ଚାକିରି ପାଇଲେ।
ସେଠାରେ ଚାକିରି କରିବା ବେଳେ ତାଙ୍କୁ ପ୍ରଥମେ ଯେଉଁ ମାମଲା ମିଳିଥିଲା ତାହା ଥିଲା ଆହ୍ଲାବାଦର ଗୋଟାଏ ବ୍ୟାଙ୍କ୍ ଚୋରି ଘଟଣା। ସେ କହନ୍ତି, ମୋ ଘର ଆହ୍ଲାବାଦ ହୋଇଥିବାରୁ ଏଜେନ୍ସି ଭାବିଲା, ଏ ଦାୟିତ୍ବ ନିର୍ବାହ କରିବାକୁ ମୁଁ ଉପଯୁକ୍ତ। ମୁଁ ଆହ୍ଲାବାଦ ଯାଇ ୧୦ ଦିନଯାଏ ସେ ମାମଲାରେ କାମ କଲି। ରିପୋର୍ଟ ଦାଖଲ କରିବା ପରେ କମ୍ପାନି ଗୁଇନ୍ଦାଗିରି କରିବା ପାଇଁ ମତେ ନିଯୁକ୍ତି ଦେଲା। ସେବେଠୁ ଆରମ୍ଭ ହେଲା ମୋର ଗୁଇନ୍ଦାଗିରି।
ଘରକୁ ଫେରି ସ୍ବାମୀଙ୍କୁ ଏକଥା କହିବାରୁ ସେ ରାଜି ହେଲେ, କିନ୍ତୁ କହିଲେ ନିଷ୍ପତ୍ତି ନେବା ଆଗରୁ ସୁବିଧା ଅସୁବିଧା ପରଖି ନିଅ। ତାଙ୍କ ଯୋଗୁଁ ହିଁ ଆଜି ମୁଁ ଗୁଇନ୍ଦା ମାମଲା ନେଇ ବିଦେଶ ଯାଇପାରୁଛି ବୋଲି କହନ୍ତି ତାରାଲିକା।
କ୍ରୀଡ଼ା ସାମଗ୍ରୀ ଉତ୍ପାଦନ କାରଖାନାରେ ଶିଶୁଶ୍ରମିକ ରାକେଟ୍ ଠାରୁ ଆରମ୍ଭ କରି ନରହତ୍ୟା ତଦନ୍ତ ପର୍ଯ୍ୟନ୍ତ ବିଭିନ୍ନ ଧରଣର ମାମଲା ସମାଧାନ କରିଛନ୍ତି ଶ୍ରୀମତୀ ଲାହିଡ଼ୀ। ଅନେକ ମାମଲା ତଦନ୍ତ କରିବାକୁ ସେ ବିଦେଶ ମଧ୍ୟ ଯାଇଛନ୍ତି। ସେ କହନ୍ତି, ଯେଉଁ ଦେଶକୁ ଯିବ ସେଠାକାର ଆଇନକାନୁନ ବିଷୟରେ ଅବଗତ ହେବା ନିହାତି ଆବଶ୍ୟକ। ଗୁଇନ୍ଦାଗିରି ଲାଗି ‘ୟୁଏଇ’ ଭଳି ଦେଶ ବଡ଼ ଅଡୁଆ। ଧରାପଡ଼ିଗଲେ ଅନେକ ସମସ୍ୟା ଉପୁଜେ।
ଆପଣା ସୁରକ୍ଷା ପ୍ରସଙ୍ଗରେ କହିବା ବେଳେ ଲାହିଡ଼ୀ କହନ୍ତି, ଗୋଟାଏ ମାମଲାର ତଦନ୍ତ କରିବା ଲାଗି ମତେ ତିନି ଥର କାର୍ ପରିବର୍ତ୍ତନ କରିବା ସହିତ ଯାତ୍ରାପଥ ଧରା ନ ପଡ଼ିବା ଲାଗି ୫/୬ କିଲୋମିଟର୍ ଚାଲି ଚାଲି ଯିବାକୁ ପଡ଼ିଛି।
୬ ବର୍ଷ କାମ କରିବା ପରେ ଲାହିଡ଼ୀ ଚାକରି ଛାଡ଼ି ୧୯୯୫ରେ ନିଜସ୍ବ ଗୁଇନ୍ଦା ଏଜେନ୍ସି ‘ନ୍ୟାସ୍ନାଲ୍ ଡିଟେକ୍ଟିଭ୍ସ୍ ଆଣ୍ଡ୍ କର୍ପୋରେଟ୍ କନ୍ସଲ୍ଟାଣ୍ଟ୍ସ୍’ ଆରମ୍ଭ କରିଛନ୍ତି।