‘ଯଶୋମତୀ ମଈୟା ସେ ବୋଲେ ନନ୍ଦଲାଲା, ରାଧା କ୍ୟୁଁ ଗୋରୀ ମୈଁ କ୍ୟୁଁ କାଲା…।’’ ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସ୍କର୍ ଗାଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ସତ୍ୟମ୍ ଶିବମ୍ ସୁନ୍ଦରମ’ର ଏହି ଗୀତ ଖୁବ୍ ଲୋକପ୍ରିୟ। ଗୀତରେ ଶିଶୁ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କୁ ପଚାରୁଛନ୍ତି- ମା, ରାଧା କାହିଁକି ଗୋରୀ ଓ ମୁଁ କାହିଁକି କଳା? ଏହି ପ୍ରଶ୍ନର ଉତ୍ତରରେ କୃଷ୍ଣ ସନ୍ତୁଷ୍ଟ ନ ହେବାରୁ ମା’ ଯଶୋଦା ବାଳଗୋପାଳଙ୍କ ମୁହଁରେ କଳାରଙ୍ଗ ଲେପି ଦେଉଛନ୍ତି। କିଂବଦନ୍ତି କହେ, ଏହି ରଙ୍ଗଲେପନ ଘଟଣାରୁ ହିଁ ହୋଲିଖେଳର ଅୟମାରମ୍ଭ। ତେଣୁ ଆଜି ଲୋକପ୍ରିୟ ପର୍ବ ହୋଲିରେ ପ୍ରଚଳିତ ରଙ୍ଗଖେଳ ପ୍ରେକ୍ଷାପଟ୍ଟରେ ରହିଛି ରାଧାକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା ଓ କୃଷ୍ଣ-ଯଶୋଦାଙ୍କ ବାତ୍ସଲ୍ୟ ମମତାର ଗାଥା।
ଆମ ଦେଶରେ ରଙ୍ଗଖେଳର ପରମ୍ପରା ଶହ ଶହ ବର୍ଷ ଧରି ଚଳିଆସୁଛି। ଆମ ଓଡ଼ିଶାରେ ଦୋଳ ପୂର୍ଣ୍ଣିମାରେ ଠାକୁରଙ୍କୁ ଫଗୁ-ଅବିର ଲାଗି ହେଉଥିବା ବେଳେ ତା’ପର ଦିନ ସାର୍ବଜନୀନ ରଙ୍ଗଲେପନ ପର୍ବ ହୋଲି ପାଳନ କରାଯାଏ। ବସନ୍ତଋତୁରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ ବସନ୍ତ ଉତ୍ସବ ବୋଲି ଅଭିହିତ କରାଯାଏ। ଆମ ପରମ୍ପରାରେ ହୋଲି ଦିନ ଅବିର ବା ଫଗୁ ବୋଳାବୋଳିରେ ଆବାଳବୃଦ୍ଧବନିତା ସାମିଲ୍ ହୁଅନ୍ତି। ଏବେ ବଜାରରୁ ଆମେ ରଙ୍ଗବେରଙ୍ଗର ସୁବାସିତ ଫଗୁ କିଣି ଆଣୁଛୁ, କିନ୍ତୁ ଆଦ୍ୟାବସ୍ଥାରେ ରଙ୍ଗର ଉତ୍ସ ଥିଲା ପ୍ରକୃତି । କେବଳ ଉଦ୍ଭିଦ ଓ ବୃକ୍ଷଲତାରୁ ହିଁ ରଙ୍ଗ ପ୍ରସ୍ତୁତ କରାଯାଉଥିଲା। ନିମପତ୍ର ଗୁଣ୍ଡରୁ ସବୁଜ ରଙ୍ଗ ଓ ହଳଦୀଗୁଣ୍ଡରୁ ତିଆରି ହେଉଥିଲା ହଳଦିଆ ଓ ଲାଲ୍ ରଙ୍ଗ। ହଳଦୀରେ ଚୂନ ମିଶାଇ ଦେଲେ ତାହା ଲାଲ୍ ହୋଇ ଯାଉଥିଲା। ଗୁଣ୍ଡ ବ୍ୟତୀତ ଗଛଲତାର ବିଭିନ୍ନ ଅଂଶ ବଟାଯାଇ ତରଳ ରଙ୍ଗ ମଧ୍ୟ ତିଆରି କରାଯାଉଥିଲା। ଏଥିପାଇଁ ଗେଣ୍ଡୁଫୁଲ ପାଖୁଡ଼ା, ପଳାଶ, ଡାଳିମ୍ବ ଓ ରକ୍ତଚନ୍ଦନ ବ୍ୟବହାର ହେଉଥିଲା। ନୀଳଗଛରୁ ନୀଳ ରଙ୍ଗ ଓ ଅଙ୍ଗାରରୁ କଳା ରଙ୍ଗ ପ୍ରସ୍ତୁତ ହେଉଥିଲା। ପଳାଶ ଫୁଲରୁ ପ୍ରସ୍ତୁତ ରଙ୍ଗରେ ହୋଲି ଖେଳିବା ଦ୍ବାରା ଶରୀରରେ ଗରମ ସହ୍ୟ କରିବାର କ୍ଷମତା ବୃଦ୍ଧି ପାଏ ତଥା ମାନସିକ ସନ୍ତୁଳନ ବଜାୟ ରହିଥାଏ। ଶାସ୍ତ୍ରରେ ମଧ୍ୟ ପଳାଶ ଫୁଲରେ ହୋଲି ଖେଳିବା କଥା ଉଲ୍ଲେଖ ଅଛି।
‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ରେ ପ୍ରଦତ୍ତ ତଥ୍ୟ ଅନୁସାରେ, ଆରାରୁଟ୍ ଓ ସିଙ୍ଗଡ଼ା ଚୂନାରେ ରଙ୍ଗ ମିଶାଇ ଅବିର ପ୍ରସ୍ତୁତ କରାଯାଏ। ଅବିର ମୁହଁରେ ମାରିଲେ ଚକ୍ଚକ୍ ଦେଖାଯିବା ଲାଗି ସେଥିରେ ଅଭ୍ରକୁ ଗୁଣ୍ଡ କରି ମିଶାଯାଏ। କେହି କେହି କେବଳ ଅଭ୍ର ଚୂନାକୁ ଧଳା ଅବିର ରୂପେ ଓ ନେଳି, ହଳଦିଆ ରଙ୍ଗ ମିଶା ଚୂନାକୁ ନେଳି ଓ ହଳଦିଆ ଅବିର ରୂପେ ବ୍ୟବହାର କରନ୍ତି। ଅବିର ବସନ୍ତରୋଗର ପ୍ରତିଷେଧକ ବୋଲି କଥିତ ଅଛି। ସମୟକ୍ରମେ ବିକଶିତ ହେଲା ରାସାୟନିକ ରଙ୍ଗ ପ୍ରସ୍ତୁତିର ନାନାବିଧ ଉପାୟ। ବିଭିନ୍ନ ରସାୟନ ମିଶାଯାଇ ରଙ୍ଗକୁ ଉଜ୍ଜ୍ୱଳ କରାଗଲା। ବ୍ୟାବସାୟିକ ଚାହିଦାକୁ ଲକ୍ଷ୍ୟ କରି ବହୁ ବିଦେଶୀ କମ୍ପାନି ମଧ୍ୟ ହୋଲି ପାଇଁ ରଙ୍ଗ ପ୍ରସ୍ତୁତ କଲେ। ଆଜିକାଲି ଯେଉଁ ଅବିର ଖେଳାଯାଉଛି ତାହା ଖାଦ୍ୟ, ଔଷଧ ଏବଂ କସ୍ମେଟିକ୍ ନିମନ୍ତେ ବ୍ୟବହାର କରାଯାଉଥିବା ରଙ୍ଗରୁ ତିଆରି। ଏହି ରଙ୍ଗକଣିକାଗୁଡ଼ିକୁ ଆମେରିକାରେ କୁହାଯାଏ ଏଫ୍ଡି ଆଣ୍ଡ୍ ସି କଲର୍ସ। ଏହି ରଙ୍ଗକଣିକାରେ ଶତକଡ଼ା ୯୫ ଭାଗ ମକାମଣ୍ଡ ବା କର୍ଣ୍ଣଫ୍ଲୋର୍ ମିଶାଯାଇ ଅବିର ତିଆରି କରାଯାଉଛି ବୋଲି ଦାବି କରାଯାଉଛି। ଓଡ଼ିଶାରେ ତିଆରି ହୁଏନି ଅବିର
ଓଡ଼ିଶାରେ ହୋଲି ଧୁମ୍ଧାମ୍ରେ ପାଳନ କରାଯାଏ ସତ, କିନ୍ତୁ ରଙ୍ଗ ବାହାରୁ ଆସିଥାଏ। ଏ ନେଇ ଜଟଣୀର ଜନୈକ ରଙ୍ଗ ହୋଲ୍ସେଲର୍ ଲଲାଟେନ୍ଦୁ ବେବର୍ତ୍ତା କହନ୍ତି, ‘‘ରାଜସ୍ଥାନ, ଉତ୍ତରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ରରୁ ଏଠାକୁ ରଙ୍ଗ ଆସିଥାଏ। ଏଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଦୋକାନୀମାନେ ତାହା କିଣିଥାଆନ୍ତି। ସାଧାରଣ ଅବିରର ହୋଲ୍ସେଲ୍ ମୂଲ୍ୟ ୫ କି.ଗ୍ରା.କୁ ୪୨୦ ଟଙ୍କା। ଶସ୍ତା ଶ୍ରେଣୀର ୧୦ କି.ଗ୍ରା. ଅବିର ୨୭୦ ଟଙ୍କାରେ ବିକ୍ରି ହେଉଛି। ଏଥିରେ କୌଣସି ରାସାୟନିକ ପଦାର୍ଥ ମିଶୁନାହିଁ। ହର୍ବାଲ୍ ଫଗୁ ହିଁ ଆମେ ବିକ୍ରି କରିଥାଉ। ଏହା ବ୍ୟବହାର କଲେ କୌଣସି କ୍ଷତି ହେବ ନାହିଁ।’’ ହାତ ତିଆରି ରଙ୍ଗରେ ହର୍ବାଲ୍ ହୋଲି ରାସାୟନିକ ରଙ୍ଗ ତ୍ୱଚାର କ୍ଷତି କରିଥାଏ। ତେଣୁ ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ। ଆଉ ଏଥିପାଇଁ ନିଜେ ଘରେ ତିଆରି କରନ୍ତୁ ରଙ୍ଗ।
ହଳଦିଆ: ପ୍ରାକୃତିକ ଭାବେ ହଳଦିଆ ରଙ୍ଗ ତିଆରି କରିବା ପାଇଁ ଏକ ଭାଗ ହଳଦୀରେ ଦୁଇ ଭାଗ ବେସନ ମିଶାଇ ଅବିର ଭଳି ରଙ୍ଗ ତିଆରି କରନ୍ତୁ। ଏହା ବ୍ୟତୀତ ଗେଣ୍ଡୁଫୁଲ ଏବଂ ଡାଲିଆ ଫୁଲକୁ ଭଲ ଭାବେ ଶୁଖାଇ ଗୁଣ୍ଡ କରି ହଳଦିଆ ରଙ୍ଗ ତିଆରି କରିପାରିବେ।
ଲାଲ୍: ମନ୍ଦାରଫୁଲକୁ ଭଲ ଭାବେ ଶୁଖାଇ ଗୁଣ୍ଡ କରିଦେଲେ ଲାଲ୍ ରଙ୍ଗ ପ୍ରସ୍ତୁତ ହୋଇପାରିବ। ରକ୍ତ ଚନ୍ଦନରେ ଚାଉଳ ଗୁଣ୍ଡ ମିଶାଇ ଲାଲ୍ ରଙ୍ଗ ପ୍ରସ୍ତୁତ କରିପାରିବେ। ଆପଣଙ୍କୁ ଯଦି ପାଣି ରଙ୍ଗ ପସନ୍ଦ ହୋଇଥାଏ ତେବେ ଡାଳିମ୍ବ ଚୋପାକୁ ସିଝାଇ ତା’ର ପାଣିକୁ ଲାଲ୍ ରଙ୍ଗ ଭାବେ ବ୍ୟବହାର କରିପାରିବେ।
ସବୁଜ: ପାଳଙ୍ଗ, ନିମ୍ବ ଆଦି ବିଭିନ୍ନ ପ୍ରକାରର ସବୁଜ ପତ୍ରକୁ ଗୁଣ୍ଡ କରି ଏହି ରଙ୍ଗ ତିଆରି କରନ୍ତୁ। ମେହେନ୍ଦୀ ପାଉଡର୍ରେ ମଧ୍ୟ ସବୁଜ ରଙ୍ଗ ତିଆରି କରି ପାରିବେ।
ମାଜେଣ୍ଟା: ବିଟ୍କୁ ଛୋଟ ଛୋଟ କରି କାଟି ସାରା ରାତି ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ବିଟ୍କୁ ଛାଣି ମାଜେଣ୍ଟା ରଙ୍ଗ ପାଇପାରିବେ।