ଅନେକ ଯାହାକୁ ଅସାଧ୍ୟ ବୋଲି କହନ୍ତି ମାତ୍ର ୧୯ ବର୍ଷ ବୟସରେ ସେ ସବୁ ସାଧିଛନ୍ତି ଚେନ୍ନାଇର ମହମୁଦ୍ ଅାକ୍ରମ୍। ୪୦୦ ଭାଷା ପଢ଼ିବା, ଲେଖିବା ଓ ଟାଇପ୍ କରିବା ଦକ୍ଷତା ସହିତ ୪୬ଟି ଭାଷାରେ ଅନର୍ଗଳ କଥା କହିବା ଭାଷା ପ୍ରତି ଥିବା ତାଙ୍କ ମୋହକୁ ପ୍ରତିପାଦନ କରୁଛି। ମହମୁଦ୍ଙ୍କ କୃତିତ୍ବ ତାଙ୍କୁ ବିଶ୍ବ ରେକର୍ଡ ଓ ପୁରସ୍କାର ପ୍ରଦାନ କରାଇବା ସହିତ ବିଶ୍ବ ଭାଷାବିତ୍ମାନଙ୍କ ସମ୍ମାନଭାଜନ କରାଇଛି। ତାଙ୍କ କଥା ଖାଲି ତାଙ୍କ ସଫଳତା ବିଷୟକ ନୁହେଁ, ଜନତାଙ୍କୁ ଏକତ୍ର କରୁଥିବା ବିବିଧ ଭାଷା ପ୍ରତି ସଶ୍ରଦ୍ଧସମ୍ମାନବୋଧ ମଧ୍ୟ। ଭାଷା ପ୍ରତି ଆକ୍ରମଙ୍କର ବାଲ୍ୟାବସ୍ଥାରୁ ମୋହ ଆସିଯାଇଥିଲା। ଏ କ୍ଷେତ୍ରରେ ତାଙ୍କର ତତ୍ତ୍ବାବଧାନ କରିଥିଲେ ୧୬ଟି ଭାଷା ଜାଣିଥିବା ତାଙ୍କ ବାପା ଶିଲ୍ବୀ ମୋଝିପ୍ପ୍ରିୟାନ୍। ପିଲାଦିନ କଥା ମନେ ପକାଇ ଅାକ୍ରମ୍ କହନ୍ତି, ‘‘ଚାରି ବର୍ଷ ବୟସରେ ମୋର ଭାଷା ଶିକ୍ଷା ଆରମ୍ଭ ହେଲା। ବାପାମାଆ ମତେ ତାମିଲ୍ ଓ ଇଂରାଜୀ ବର୍ଣ୍ଣମାଳା ଶିଖାଇଲେ। ଛଅ ଦିନରେ ମୁଁ ଇଂରାଜୀ ବର୍ଣ୍ଣମାଳାରେ ଧୁରନ୍ଧର ହୋଇଗଲି। ସେମାନେ ଆଚମ୍ବିତ ହୋଇଗଲେ।’’ ସେମିତି ମାତ୍ର ୩ ସପ୍ତାହ ମଧ୍ୟରେ ସେ ୨୯୯ଟି ତାମିଲ ବର୍ଣ୍ଣମାଳା ବି ଶିଖିଗଲେ।
ଛଅ ବର୍ଷ ବୟସ ବେଳକୁ ଭାଷା ଜ୍ଞାନରେ ସେ ବାପାଙ୍କୁ ଟପିଯାଇଥିଲେ ଏବଂ ନିଜେ ଆହୁରି ଅଧିକ ଭାଷା ଶିଖିବାକୁ ମନବଳାଇଲେ। ନିଜ ଉଦ୍ୟମରେ ଛଅରୁ ଆଠ ବର୍ଷ ବୟସ ମଧ୍ୟରେ ଅାକ୍ରମ୍ ୫୦ଟି ଭାଷା ଶିଖିଯାଇଥିଲେ। ଏଥିପାଇଁ ସେ କେତେକ ପାଠ୍ୟପୁସ୍ତକ ଓ ଭାଷା ଲେଖାପଢ଼ା ପାଇଁ ଉଦ୍ଦିଷ୍ଟ ଅନ୍ଲାଇନ୍ ଏନ୍ସାଇକ୍ଲୋପିଡିଆ ‘ଓମ୍ନିଗ୍ଲଟ୍’ ଉପରେ ନିର୍ଭର କରିଥିଲେ। ଏ ସାଧନା ତାଙ୍କୁ ମାତ୍ର ୮ ବର୍ଷ ବୟସରେ ସର୍ବକନିଷ୍ଠ ବହୁଭାଷୀ ଟାଇପିଷ୍ଟ୍ ଭାବେ ବିଶ୍ବ ରେକର୍ଡ ପ୍ରଦାନ କରାଇଲା। ସେ କଥା ମନେପକାଇ ସେ କହନ୍ତି, ‘‘ଭିନ୍ନ ଭିନ୍ନ ଭାଷା ଟାଇପ୍ କରି ଓ ପଠନ କରି ମୁଁ ୟୁଟ୍ୟୁବ୍ରେ ଅପ୍ଲୋଡ୍ କଲି। ତାହା ଦେଖି ପଞ୍ଜାବର ଗୋଟାଏ ବିଶ୍ବ ରେକର୍ଡ ସଙ୍ଗଠନ ମତେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କଲା ଏବଂ ସେଥିରେ ମୁଁ ସଫଳ ହେଲି।’’ ଘଣ୍ଟାଏ ଭିତରେ ୨୦ଟି ଭାଷାରେ ଜାତୀୟ ସଙ୍ଗୀତ ଲେଖି ୧୦ ବର୍ଷ ବୟସରେ ଅାକ୍ରମ୍ ଦ୍ବିତୀୟ ବିଶ୍ବ ରେକର୍ଡ ହାସଲ କଲେ। ଭାଷା ଶିକ୍ଷା ପାଇଁ ତାଙ୍କର ଆଗ୍ରହ କ୍ରମଶଃ ବଢ଼ି ଚାଲିଲା ଏବଂ ୧୨ ବର୍ଷ ବୟସ ବେଳକୁ ସେ ୪୦୦ଟି ଭାଷାରେ ପଢ଼ା, ଲେଖା ଓ ଟାଇପ୍ ଶିଖିଯାଇଥିଲେ। ଜର୍ମାନିରେ ୭୦ ଜଣ ଭାଷାବିତ୍ଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରି ସେ ତୃତୀୟ ବିଶ୍ବ ରେକର୍ଡ ଅର୍ଜନ କଲେ।
ବିମୁଗ୍ଧ ଅାକ୍ରମ୍ କହନ୍ତି, ତିନି ମିନିଟ୍ ମଧ୍ୟରେ ଯେତେ ପାର ସେତେ ଭାଷାରେ ଅନୁବାଦ କରିବା ପାଇଁ ଆମକୁ ଗୋଟିଏ ବାକ୍ୟ ଦିଆଯାଇଥିଲା। ସର୍ବାଧିକ ଭାଷାରେ ସେ ବାକ୍ୟ ଅନୁବାଦ କରି ମୁଁ ‘ଜର୍ମାନି ୟଙ୍ଗ୍ ଟାଲେଣ୍ଟ୍ ଆୱାର୍ଡ’ ବିଜୟୀ ହେଲି। ସେଥିରେ ଭାଷା ବିଶେଷଜ୍ଞମାନେ ବି ମୋ ବେଗର ସମକକ୍ଷ ହୋଇପାରି ନ ଥିଲେ। ବିଭିନ୍ନ ଭାଷା ପ୍ରତି ଆକ୍ରମଙ୍କ ଆବେଗ ବଢ଼ି ଚାଲିବାରୁ ଚିରାଚରିତ ଶିକ୍ଷା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟିହେଲା। ଚେନ୍ନାଇରେ ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। କ୍ରମେ ସେ ହୃଦୟଙ୍ଗମ କଲେ ଯେ ତାଙ୍କର ଆବେଗ ଭିନ୍ନ ଆଭିମୁଖ୍ୟ ଆବଶ୍ୟକ କରୁଛି। ତେଣୁ, କେବଳ ଭାଷା ଶିକ୍ଷା ଉପରେ ଧ୍ୟାନ ଦିଆଯାଉଥିବା ସ୍କୁଲ୍ରେ ସେ ପଢ଼ିବାକୁ ଚାହିଲେ। କିନ୍ତୁ, ଭାରତରେ ସେଭଳି ସ୍କୁଲ୍ ନ ପାଇବାରୁ ଇସ୍ରାଏଲ୍ର ଗୋଟାଏ ସ୍କୁଲ୍ରେ ଅନ୍ଲାଇନ୍ ମାଧ୍ୟମରେ ଆରବୀୟ, ସ୍ପେନୀୟ ଓ ଫରାସୀ ଭାଷାରେ ପାଠ ପଢ଼ିଲେ। ଭାଷା କ୍ଷେତ୍ରରେ ସଫଳ ହେଲେ ସୁଦ୍ଧା ତାଙ୍କର ହୃଦ୍ବୋଧ ହୋଇଛି ଯେ, ଚିରାଚରିତ ବିଦ୍ୟାଳୟ ଶିକ୍ଷାରୁ ପ୍ରାପ୍ତ ସାର୍ଟିଫିକେଟ୍ ଜୀବନ ପାଇଁ କେଡ଼େ ତାତ୍ପର୍ଯ୍ୟପୂର୍ଣ୍ଣ। ଜୀବନ ନିର୍ବାହ ନିମନ୍ତେ ବେଳେ େବଳେ ତାହା ପ୍ରତିଭାଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ। ପୁନଶ୍ଚ ସେ ସାଧାରଣ ବିଦ୍ୟାଳୟରେ ନାଁ ଲେଖାଇବାକୁ ଚାହିଲେ। କିନ୍ତୁ, ତାଙ୍କୁ ଷଷ୍ଠ ଶ୍ରେଣୀରେ ହିଁ ନାଁ ଲେଖାଇବାକୁ ପଡ଼ିବ ବୋଲି ଭାରତରେ ଥିବା ସବୁ ବିଦ୍ୟାଳୟ କହିଲେ। ତେଣୁ ସେ ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଙ୍ଗ୍’ରେ ନାଁ ଲେଖାଇ ପରୀକ୍ଷା ଦେଇ ସାଧାରଣ ପାଠପଢ଼ା ସମାପ୍ତ କରି ଡିଗ୍ରି ହାସଲ କଲେ। ଆଉ ସେ କହନ୍ତି, ଏତେ ଭାଷା ଶିଖିଥିଲେ ବି ମାତୃଭାଷା ତାମିଲ ହିଁ ତାଙ୍କର ସବୁଠୁ ପ୍ରିୟ ଭାଷା।