ଟଲ୍‌ ମ୍ୟାନ୍‌

ସର୍ଟ ମ୍ୟାନ୍‌ଙ୍କ ଶ୍ରଦ୍ଧାଞ୍ଜଳି

ଜାତୀୟ ରାଜନୀତିରେ ବେଶ୍‌ ପ୍ରତିଷ୍ଠା ଅର୍ଜନ କରିଥିବା ଚାରି ଜଣ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ତେଣୁ ସେମାନଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ରହିଥିଲା। ସେମାନଙ୍କ ଭାଷଣର କିଛି କିଛି ଧାଡ଼ି ନିମନ୍ତ୍ରିତ ଅତିଥିମାନଙ୍କୁ ବେଶ୍‌ ଆମୋଦିତ କରିଥିଲା। ପ୍ରଣବ ମୁଖାର୍ଜୀ କହିଥିଲେ, ‘ମୋ ପରି ଜଣେ ‘ସର୍ଟ ମ୍ୟାନ୍‌’(କ୍ଷୁଦ୍ର ଲୋକ) ବିଜୁ ବାବୁଙ୍କ ପରି ‘ଟଲ୍‌ ମ୍ୟାନ୍‌’(ଡେଙ୍ଗା ଲୋକ)ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଏକ ନିଆରା ଅନୁଭବ।’ ସୀତାରାମ ୟେଚୁରୀ କହିଥିଲେ, ‘ବିଜୁ ବାବୁ ଯେତେବେଳେ ନିର୍ବାଚନ ଲଢ଼ୁଥିଲେ, ମୁଁ ସେତେବେଳେ ଜନ୍ମ ହୋଇଥିଲି।’ ଏଚ୍‌ ଡି ଦେବେଗୌଡ଼ା କହିଥିଲେ, ‘ଏ ପୁସ୍ତକରେ ସବୁ ଉଲ୍ଲେଖ ଅଛି। କିନ୍ତୁ ମୁଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀ ହେବା ପଛରେ ବିଜୁ ବାବୁ ହିଁ ମୁଖ୍ୟ ଭୂମିକା ନେଇଥିଲେ। ତାହା ଏଥିରେ ଉଲ୍ଲେଖ ନାହିଁ।’ ତିନି ଅତିଥି ବିଜୁ ବାବୁଙ୍କ ସହ ନିଜର ଅନୁଭୂତି ବର୍ଣ୍ଣନା କରିଥିଲା ବେଳେ ଲାଲକୃଷ୍ଣ ଆଡ଼ଭାନୀ ନିଜ ଭାଷଣରେ ସେପରି କୌଣସି ଅନୁଭୂତି କହି ନ ଥିଲେ। ସେ କେବଳ ଆଜିର ଉତ୍ସବକୁ ବାରମ୍ବାର ପ୍ରଶଂସା କରିଥିଲେ।

ସ୍ୱତନ୍ତ୍ର ଚାର୍ଟର ବିମାନରେ ଆସିଲେ ପ୍ରଣବ, ଆଡ଼ଭାନୀ, ଦେବେଗୌଡ଼ା

ଆଜିର କାର୍ଯ୍ୟକ୍ରମ ପାଇଁ ଅତିଥିମାନଙ୍କୁ ଯେପରି ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା ସେହିପରି ସ୍ୱତନ୍ତ୍ର ଭାବେ ଚାର୍ଟର ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଥିଲା। ଏକ ସ୍ୱତନ୍ତ୍ର ଚାର୍ଟର ବିମାନରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଆସିଥିଲେ। ଏହି ତିନି ବରିଷ୍ଠ ନେତାଙ୍କୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏବଂ ପିନାକୀ ମିଶ୍ର ନୂଆଦିଲ୍ଲୀରୁ ଆଣିକି ଆସିଥିଲେ। ବିମାନରୁ ଓହ୍ଲାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମେୟର ଅନନ୍ତ ନାରାୟଣ ଜେନା ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ। ବିମାନବନ୍ଦରରେ ବିଜେଡିର ବହୁ ବରିଷ୍ଠ ମନ୍ତ୍ରୀ, ସାଂସଦ ଓ ବିଧାୟକ ବି ସ୍ୱାଗତ କରିଥିଲେ। ଏହି ତିନି ଅତିଥି ଆଜି ନୂଆଦିଲ୍ଲୀ ଫେରି ଯାଇଛନ୍ତି। ଅନ୍ୟତମ ଅତିଥି ସୀତାରାମ ୟେଚୁରୀ ୧୨ଟା ୩୫ରେ ଆସିଥିବାବେଳେ ତାଙ୍କୁ ଟି-୧ ଟର୍ମିନାଲରେ ମନ୍ତ୍ରୀ ପ୍ରତାପ ଜେନା ଓ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ କରିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ଵଲା ଟି-୨ ଟର୍ମିନାଲରେ ଅପରାହ୍‌ଣ ୧ଟା ୧୫ରେ ପହଞ୍ଚିବା ପରେ ତାଙ୍କୁ ମେୟର ଅନନ୍ତ ନାରାୟଣ ଜେନା ସ୍ୱାଗତ କରିଥିଲେ।

ବିମାନବନ୍ଦରରେ ବିଶ୍ୱଭୂଷଣ, ହୋଟେଲରେ ଭେଟିଲେ ବିଜୟ

ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରର ଟର୍ମିନାଲ-୨ରେ ବିଜେଡି ନେତାମାନେ ଛାଇ ଯାଇଥିଲେ ହେଁ ବିଜେପି ନେତା ବି ସେମାନଙ୍କ ଦଳର ବରିଷ୍ଠ ନେତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରକୁ ଯାଇଥିଲେ। ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ସମୀର ମହାନ୍ତି, ଗୋଲକ ମହାପାତ୍ର ପ୍ରମୁଖ ବିମାନବନ୍ଦର ଗେଟ୍‌ ବାହାରେ ଆଡଭାନୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଆଡ଼ଭାନୀଙ୍କ କାର୍‌କେଡ୍‌ ସହ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଟ୍ରାଇଡେଣ୍ଟ ହୋଟେଲକୁ ଆସିଥିଲେ। ଆଡ଼ଭାନୀଙ୍କୁ ଭେଟି ଫେରିବା ପରେ ଶ୍ରୀ ମହାପାତ୍ର କହିଲେ, ଏହି ଭେଟଘାଟ ସମ୍ପୂର୍ଣ୍ଣ ଔପଚାରିକ। ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ମହାନ୍‌ ନେତାଙ୍କ ଉପରେ ରଚିତ ପୁସ୍ତକ ଉନ୍ମୋଚନ ଅବସରରେ ଶ୍ରୀ ଆଡ଼ଭାନୀ ଭୁବନେଶ୍ୱର ଆସିଥିବାରୁ ଏହାକୁ ନେଇ କୌଣସି ରାଜନୈତିକ ଆଲୋଚନା ହେବା କଥା ନୁହେଁ। ବିଜେପି ପକ୍ଷରୁ କେ ଭି ସିଂହଦେଓ, ପୃଥ୍ଵୀରାଜ ହରିଚନ୍ଦନ, ସଂଗୀତା ସିଂହଦେଓ, ସମୀର ମହାନ୍ତି, ସମୀର ଦେ, ଗୋଲେଖ ମହାପାତ୍ର ଏବଂ ବିଜେଡି ପକ୍ଷରୁ ତଥାଗତ ଶତପଥୀ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାସ, ଦେବାଶିଷ ସାମନ୍ତରାୟ, ପ୍ରଣବବଳବନ୍ତ ରାୟ ପ୍ରମୁଖ ଅତିଥିମାନଙ୍କୁ ହୋଟେଲ୍‌ରେ ଭେଟିଥିଲେ।

ହେମାନନ୍ଦଙ୍କୁ ଆଗ ଧାଡ଼ିରେ ଚେୟାର

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ତୃତୀୟ ଧାଡ଼ିରେ ଆୟୋଜକମାନେ ବସାଇଥିଲେ। କିଛି ସମୟ ପରେ ଆୟୋଜକମାନେ ତାଙ୍କୁ ସେଠାରୁ ନେଇ ଆଗ ଧାଡ଼ିରେ ବସାଇଥିଲେ। ସେମିତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ପଛ ଧାଡ଼ିରେ ବସିଥିଲେ। ତାଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ଆଗଧାଡ଼ିରେ ସିଟ୍‌ ଦିଆଗଲା।

ଟ୍ଵିଟ୍‌ କଲେ ଧର୍ମେନ୍ଦ୍ର

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୨୫ ତାରିଖରେ ଆଜିର କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ର ପାଇଥିଲେ। କିନ୍ତୁ ଡାଭୋସ୍‌ ଗସ୍ତରେ ଥିବାରୁ ଉତ୍ସବରେ ଯୋଗ ଦେଇପାରି ନ ଥିଲେ। ନିମନ୍ତ୍ରଣ ପତ୍ର ପଠାଇଥିବାରୁ ସେ ଟ୍ଵିଟ୍‌ କରି ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଡାଭୋସ୍‌ରୁ ବାହାରି ଆଜି ମଧ୍ୟରାତ୍ରିରେ ଦିଲ୍ଲୀରେ ପହଞ୍ଚିଥିବାରୁ ଉତ୍ସବରେ ଯୋଗ ଦେବା ସମ୍ଭବ ହେଲାନି ବୋଲି ସେ ଜଣାଇଛନ୍ତି।

ବୈଜୟନ୍ତ କହିଲେ ଡାକିଲେନି, ଜାଗି ଆଗରେ ବସିଲେ

ଦି ଟଲ୍‌ ମ୍ୟାନ୍‌, ବିଜୁ ପଟ୍ଟନାୟକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆରମ୍ଭ ହେବାର କେଇ ଘଣ୍ଟା ପୂର୍ବରୁ ନିକଟରେ ବିଜେଡିରୁ ନିଲମ୍ବିତ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡା ଟ୍ଵିଟ୍‌ କରିଥିଲେ ଯେ, ବିଜୁ ବାବୁଙ୍କ ଉପରେ ରଚିତ ପୁସ୍ତକ ଲୋକାର୍ପଣ ଉତ୍ସବକୁ ଜାତୀୟ ଏବଂ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି। ମୋତେ ନିମନ୍ତ୍ରଣ କରାଯାଇ ନ ଥିବାରୁ ବହୁତ ଆଘାତ ଲାଗିଛି। ଯଦିଓ କିଛି ସମ୍ପର୍କୀୟ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ପାଇଛନ୍ତିି। ଏହା ଆଶ୍ଚର୍ଯ୍ୟଜନକ ନୁହେଁ। କିନ୍ତୁ ସଂକୀର୍ଣ୍ଣ ମାନସିକତାକୁ ବୁଝାଉଛି। ବୈଜୟନ୍ତ ତାଙ୍କ ଟ୍ଵିଟ୍‌ରେ ଯେଉଁ କିଛି ସମ୍ପର୍କୀୟ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ପାଇଛନ୍ତି ଉଲ୍ଲେଖ କରିଥିଲେ ତାହା ତାଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡା ଏବଂ ଭାଇ ଶୁଭ୍ରକାନ୍ତ ପଣ୍ଡାଙ୍କ ନିକଟକୁ ଆସିଥିବା ନିମନ୍ତ୍ରଣ ପତ୍ରକୁ ଉଲ୍ଲେଖ କରି ଲେଖିଛନ୍ତି ବୋଲି କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଜଣାପଡ଼ିଥିଲା। ଅପରାହ୍ନର ୪ଟା ୧୫ରେ ବୈଜୟନ୍ତଙ୍କ ପତ୍ନୀ ଏବଂ ଭାଇ ଉତ୍କଳ ମଣ୍ଡପରେ ପ୍ରବେଶ କରିଥିଲେ। ଦୁହିଁଙ୍କୁ ବିଜେଡି ନେତାମାନେ ପାଛୋଟି ନେଇ ସଂରକ୍ଷିତ ଥିବା ସିଟ୍‌ରେ ବସାଇଥିଲେ।

ପଖାଳ ଖାଇଲେ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ପାଇଁ ହୋଟେଲ ଟ୍ରାଇଡେଣ୍ଟରେ ରହିବାର ବ୍ୟବସ୍ଥା ହୋଇଥିଲେ ହେଁ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକୁ ସମ୍ମାନ ଜଣାଇ ଅତିଥିମାନେ ଅପରାହ୍‌ଣ ୧ଟା ୪୫ରେ ନବୀନ ନିବାସରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତ ଅତିଥିଙ୍କୁ ସ୍ୱାଗତ କରି ଭିତରକୁ ପାଛୋଟି ନେଇଥିଲେ। ସମସ୍ତେ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ। ଏଥିରେ ସମସ୍ତଙ୍କୁ ଓଡ଼ିଆ ଖାଦ୍ୟ ପାରମ୍ପରିକ ଶୈଳୀରେ ପରିବେଷଣ କରାଯାଇଥିଲା। କଦଳୀ ପତ୍ରରେ କଂସା ବାସନରେ ଖାଦ୍ୟ ପରଷା ଯାଇଥିଲା। ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ସହ ଓଡ଼ିଆ ବ୍ୟଞ୍ଜନ ଦିଆଯାଇଥିଲା। ଏଥିରେ ପିଆଜ ପିଠା, ଶାଗ ବଡ଼ି, ଛୁଇଁ ଭଜା ଏବଂ ଛେନା ପୋଡ଼ ପରିବେଷଣ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରି ଜଣାଇଛନ୍ତି। ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ମଧ୍ୟାହ୍ନ ଭୋଜନ କରି ଖୁସି ଅନୁଭବ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର