ରାଜସ୍ଥାନରେ ନିର୍ମାଣ ହେଉଛି  ବିଶ୍ୱର ସବୁଠୁ ଉଚ୍ଚ ଶିବ ପ୍ରତିମା; ଜାଣନ୍ତୁ ଏହାର ଉଚ୍ଚତା କେତେ  

ଜୟପୁର:  ଗୁଜରାଟର ନର୍ମଦା ନଦୀ କୂଳରେ ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉନ୍ମୋଚନ  ପରେ ଏବେ ରାଜସ୍ଥାନର ନାଥଦ୍ୱାରାରେ ଭଗବାନ ଶିବଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି । ୩୫୧ ଫୁଟର ଏହି ବିଶାଳ ପ୍ରତିମୂର୍ତ୍ତି ବିଶ୍ୱର ସବୁଠୁ  ଉଚ୍ଚ ଶିବ ପ୍ରତିମୂର୍ତ୍ତି ଭାବେ ଉଭା ହେବ । ଆଗାମୀ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ମୂର୍ତ୍ତି ନିର୍ମାଣ ଶେଷ ହେବ । ଉଦୟପୁରରୁ ୫୦ କିଲୋମିଟର ଦୂରରେ ଥିବା ଶ୍ରୀନାଥଦ୍ୱାରାରେ ସିମେଣ୍ଟ ଓ କଂକ୍ରିଟରେ ନିର୍ମାଣ ହେଉଥିବା ଏହି ମୂର୍ତ୍ତିର ୮୫ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
୩୫୧ ଫୁଟର ଏହି ଶିବ ପ୍ରତିମା ବିଶ୍ୱର ଚୁତର୍ଥ ତଥା ସର୍ଦ୍ଦାର ପଟେଲଙ୍କ ପ୍ରତିମା ପରେ ଭାରତରେ ଦ୍ୱିତୀୟ ସବୁଠୁ ଉଚ୍ଚତମ ପ୍ରତିମା । ୧୬ ଏକର ପାହାଡି  କ୍ଷେତ୍ରରେ ଏହି ବିଶାଳ ପ୍ରତିମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଚାଲିଛି । ଗତ ଚାରିବର୍ଷ ଧରି ନିର୍ମାଣ ଚାଲିଥିବା ଏହି ପ୍ରତିମୂର୍ତ୍ତିରେ ୩ ଲକ୍ଷ ବସ୍ତା ସିମେଣ୍ଟ, ୨୫୦୦ ଟନ୍ ଏଙ୍ଗଲ, ୨୫୦୦ ଟନ ବାଲି ବ୍ୟବହାର ହୋଇଛି । ଏହାଛଡା ୭୫୦ କାରିଗର ପ୍ରତିଦିନ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ପ୍ରତିମୂର୍ତ୍ତିରେ ଭଗବାନ ଶିବ ଧ୍ୟାନ ଓ ଆରାମ ମୁଦ୍ରାରେ ବସିଛନ୍ତି ।
ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚାରଟି ଲିଫ୍ଟ ଓ ୩ଟି ସିଢିର ବ୍ୟବସ୍ଥା ମଧ୍ୟ ରହିଛି । ଏହି ପ୍ରତିମୂର୍ତ୍ତିରେ ୨୮୦ ଫୁଟ୍ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନେ ଯାଇପାରିବେ । ଏପରିକି ପ୍ରତିମା ଠାରୁ ୨୦ କିଲୋମିଟର ଦୂରରେ ଥିବା କାଙ୍କରୋଲି ଫ୍ଲାଇଓଭରରୁ ଏହାକୁ ସ୍ପଷ୍ଟ ଭାବେ ଦେଖିହେବ । ଏପରିକି ଏତେ ଦୂରରୁ ପ୍ରତିମାକୁ ସ୍ପଷ୍ଟ ରୂପେ ଦେଖିବା ପାଇଁ ସ୍ୱତନ୍ତ୍ର ଲାଇଟର ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାକୁ ଆମେରିକାରୁ ମଗାଯାଇଛି ।
ସମ୍ବନ୍ଧିତ ଖବର