ଚେନ୍ନାଇ: ୪ମିନିଟରେ ଜାତୀୟ ପତାକା ଚିହ୍ନି ୧୯୭ଦେଶର ନାଁ କହିଲେ ଦର୍ଶନ। ମାତ୍ର ୩ବର୍ଷ ବୟସରେ ତାମିଲନାଡୁର ଦର୍ଶନ ଏହି କମାଲ କରି ଦେଖାଇଛନ୍ତି। ସସିରେଖା ଏବଂ ଭରତଙ୍କ ପୁତ୍ର ଦର୍ଶନ ୪.୪୦ ମିନିଟରେ ଜାତୀୟ ପତାକା ଚିହ୍ନି ୧୯୭ଟି ଦେଶର ସଠିକ୍ ନାଁ କହିବା ପରେ ଆନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ ତାଙ୍କ ନାଁ ସ୍ଥାନ ପାଇଛି। ଦର୍ଶନ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ କଲାମଙ୍କ ବିଶ୍ୱ ରେକର୍ଡରୁ ଏକ ପୁରସ୍କାର ମଧ୍ୟ ପାଇଛନ୍ତି।
ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାର ଜୀବା ନଗରରେ ରହୁଥିବା ଦର୍ଶନ ବର୍ତ୍ତମାନ ସହରର ଏକ ଘରୋଇ ବିଦ୍ୟାଳୟରେ ଏଲକେଜିରେ ନାମ ଲେଖାଇଛନ୍ତି। ଏହାପୂର୍ବରୁ ଜଣେ ୪ବର୍ଷର ଭାରତୀୟ ଶିଶୁ ଜାତୀୟ ପତାକା ଦ୍ୱାରା ଦେଶ ଚିହ୍ନଟ କରି ଅନ୍ତର୍ଜାତୀୟ ରେକର୍ଡରେ ପ୍ରବେଶ କରିଥିଲେ, ଯାହାର ରେକର୍ଡ ଦର୍ଶନ ଭାଙ୍ଗିଛନ୍ତି।
ଦିଲ୍ଲୀରେ ଅବସ୍ଥିତ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍ ଭିଲୁପୁରମର ଦର୍ଶନଙ୍କୁ ତାଙ୍କର ଅନନ୍ୟ କୃତିତ୍ୱକୂ ପ୍ରଶଂସା କରି ଏକ ପ୍ରମାଣପତ୍ର ଏବଂ ପଦକ ପ୍ରଦାନ କରିଛନ୍ତି। ଏବିଷୟରେ ଜାଣିବା ପରେ ଭିଲୁପୁରମ୍ ଜିଲ୍ଲା କଲେକ୍ଟର ଦର୍ଶନଙ୍କୁ ବ୍ୟକ୍ତିଗତ ଭାବେ ଡାକି ଅଭିନନ୍ଦନ ଜଣାଇଥିବା ସାମ୍ନାକୁ ଆସିଛି।
ଦର୍ଶନଙ୍କ ମା’ ସସିରେଖା କହିଛନ୍ତି, “ପାଠପଢ଼ା ବ୍ୟତୀତ ପିତାମାତାମାନେ ସେମାନଙ୍କ ପିଲାମାନଙ୍କୁ ବିଭିନ୍ନ ଜୀବନ କୌଶଳ ଶିକ୍ଷା ଦେବାରେ ଧ୍ୟାନ ଦେବା ଉଚିତ୍। ଦର୍ଶନଙ୍କ ଦକ୍ଷତା ବଢ଼ାଇବା ପାଇଁ ମୁଁ ତାହା କରିଥିଲି। ଖେଳ ଖେଳିବା ବାହାନାରେ ମୁଁ ତାଙ୍କୁ ପାତାକା ଚିହ୍ନି ଦେଶର ନାଁ କହିବାକୁ କହିିଥିଲି। ଦୁଇ ସପ୍ତାହ ମଧ୍ୟରେ ସେ ସବୁ ମନେ ରଖିଥିଲେ।
Follow Us