ଖୁବ୍ କମ୍ ବଜେଟ୍‌ରେ ବିଚକ୍ଷଣ ସିନେମା ନିର୍ମାଣ କରିବା ଲାଗି ପ୍ରସିଦ୍ଧ ମାଲୟାଲମ୍ ଶିଳ୍ପ ଏହାର ତିନିଜଣ ବଡ଼ ତାରକାଙ୍କୁ ନେଇ ସବୁଠାରୁ ବ୍ୟୟବହୁଳ ସିନେମା ନିର୍ମାଣ କରିଛି। ୨୦୧୯ର ହିଟ୍‌ ଚଳଚ୍ଚିତ୍ର ‘ଲୁସିଫର’ର ଦ୍ବିତୀୟ ଭାଗ ହେଉଛି ‘ଏଲ୍‌୨: ଏମ୍‌ପୁରାନ’। ତିନି ଘଣ୍ଟାର ଏହି କାହାଣୀରେ ପୃଥିବୀର ବିଭିନ୍ନ ଦେଶ, ପ୍ରସଙ୍ଗ ଓ ଚରିତ୍ର ରହିଥିଲେ ହେଁ ‘ଭଗବାନଙ୍କ ନିଜସ୍ବ ଦେଶ’ କେରଳକୁ ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦରୁ ରକ୍ଷା କରିବା ହେଉଛି ଏହାର ପ୍ରାଣକେନ୍ଦ୍ର। 

Advertisment

ଏହି ସିନେମା ଆରମ୍ଭ ହୁଏ ୨୦୦୨ ମସିହାର ଗୁଜରାଟ ଦଙ୍ଗାର ଛାତିଥରା ଦୃଶ୍ୟରୁ। ଗୋଟିଏ ମୁସଲମାନ ପରିବାରର ସମସ୍ତେ ବାବା ବଜରଙ୍ଗୀ (ଅଭିମନ୍ୟୁ ସିଂହ) ନେତୃତ୍ବାଧୀନ ଭିଡ଼ ଦ୍ବାରା ହତ୍ୟାର ଶିକାର ହେଉଥିବାବେଳେ ଏକମାତ୍ର ବାଳକ ‘ଜେୟଦ’ (ପୃଥ୍ବୀରାଜ ସୁକୁମାରନ) ସେଥିରୁ ବର୍ତ୍ତିଯାଉଛି। ପରବର୍ତ୍ତୀ ସମୟରେ ନାୟକ ଷ୍ଟିଫେନ୍ ଓରୋଫ କୁରେଶୀ ଅବରାମ (ମୋହନଲାଲ) ଜେୟଦକୁ ଉଦ୍ଧାର କରି ପ୍ରତିଶୋଧ ନେବାରେ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଉଛି। ଏହା ପରେ ୨୦୨୪ର କେରଳର ରାଜନୈତିକ ପରିସ୍ଥିତିକୁ କାହାଣୀର ଆଗମନ ହେଉଛି। ମୁଖ୍ୟମନ୍ତ୍ରୀ ଯତୀନ ରାମଦାସ (ଟୋଭିନୋ ଥୋମାସ) ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହେବା ସହିତ ଦଙ୍ଗାକାରୀରୁ ରାଜନେତା ପାଲଟିଥିବା ବାବା ବଜରଙ୍ଗୀ ସହିତ ମିଶି ପରବର୍ତ୍ତୀ ନିର୍ବାଚନ ଲଢ଼ିବାର ଘୋଷଣା କରୁଛି। କେରଳକୁ ଧ୍ବଂସ କରିବାର ଏହି ଷଡ୍‌ଯନ୍ତ୍ରରୁ ରକ୍ଷା କରିବା ଲାଗି ଷ୍ଟିଫେନ୍ ପାଞ୍ଚ ବର୍ଷ ପରେ ନିଜ ରାଜ୍ୟକୁ ଫେରି ଅତିମାନବୀୟ ଶୈଳୀରେ ସବୁକିଛି ଠିକ୍ କରିବା ପାଇଁ ଲାଗିପଡୁଛି। 

ଏହା ପରର ପ୍ରତ୍ୟାଶିତ ଘଟଣାବଳୀ ଉପଭୋଗ କରିବାକୁ ହେଲେ ମୋହନଲାଲଙ୍କ ପ୍ରଶଂସକ ହେବା ଓ ପୂର୍ବରୁ ‘ଲୁସିଫର’ ସିନେମା ଦେଖିଥିବା ଜରୁରି ଭଳି ମନେ ହୁଏ। କାରଣ କ୍ଷମତାର ଅପବ୍ୟବହାର, ଧର୍ମ ଓ ରାଜନୀତର ମିଶ୍ରଣ ଏବଂ ବ୍ୟକ୍ତିପୂଜାର କୁପରିଣାମ ସମ୍ପର୍କରେ ସଚେତନ କରିବା ଲାଗି ଏହି ସିନେମା ତିନି ଘଣ୍ଟା ଧରି ଦର୍ଶକର ଧୈର୍ଯ୍ୟ ପରୀକ୍ଷା କରିଥାଏ। ତଥାପି ଏହାର ସିନେମାଟୋଗ୍ରାଫି, କେତେକ ଆକ୍ସନ୍ ଦୃଶ୍ୟ ଓ ସଂଳାପ ଦର୍ଶକଙ୍କୁ ଆହ୍ଲାଦିତ କରିଥାଏ। କାହାଣୀର ବାଧ୍ୟବାଧକତା ଯୋଗୁଁ ଏହି ସିେନମାରେ ନାରୀ ଚରିତ୍ରଙ୍କୁ ବିଶେଷ ଗୁରୁତ୍ବ ମିଳି ନଥିବା ସତ୍ତ୍ବେ ନାରୀବିରୋଧୀ ଅପରାଧ ନେଇ ଏହାର ସମ୍ବେଦନାଶୀଳତା ପ୍ରଶଂସନୀୟ। ପରଦାରେ କେବଳ ଧୂମପାନ ଓ ମଦ୍ୟପାନ ଦୃଶ୍ୟରେ ବୈଧାନିକ ସତର୍କତା ଦେଖିବାକୁ ମିଳୁଥିବା ବେଳେ ଏହି ଚଳଚ୍ଚିତ୍ରରେ ନାରୀବିରୋଧୀ ହିଂସା ବେଳର ଦୃଶ୍ୟରେ ‘ମହିଳାଙ୍କ ବିରୋଧରେ ହିଂସା ଆଇନ ଅନୁଯାୟୀ ଦଣ୍ଡନୀୟ’ ବୋଲି ଉଲ୍ଲେଖ କରାଯିବା ସ୍ବାଗତଯୋଗ୍ୟ। 

ପୂର୍ବ ଭାଗ ସିନେମା ତୁଳନାରେ ଅଧିକ ବିଶାଳ ଓ ବ୍ୟୟବହୁଳ ଦେଖାଇବାର ଚାପରେ ଆସି ଅଯଥାରେ ବିଭିନ୍ନ ଦେଶରେ ଏହାର ସୁଟିଂ କରାଯାଇଛି। ମାଲୟାଲୀ ଭାଷାରେ ‘ଏମ୍‌ପୁରାନ’ର ଅର୍ଥ ଅଧୀଶ୍ବର। ମୋହନଲାଲଙ୍କ ଚରିତ୍ର ପରି ମୋହନଲାଲଙ୍କୁ ମଧ୍ୟ ଅଧୀଶ୍ବର ଭଳି ଦେଖାଇବାରେ ଏହି ସିନେମା କଦାପି ସଂକୋଚ କରିନାହିଁ। ତାମିଲ ଓ ତେଲୁଗୁ ସିନେମା ଏହି ମହାନାୟକତା ପାଇଁ ପ୍ରସିଦ୍ଧ (ବା ବଦନାମ) ହୋଇଥିବା ବେଳେ କାହାଣୀ ଓ ଅଭିନୟ ପାଇଁ ଉଚ୍ଚପ୍ରଶଂସିତ ମାଲୟାଲମ୍‌ ଶିଳ୍ପ ସେହି ଦିଗରେ ଅଗ୍ରସର ହେବା ଅଳ୍ପ କ୍ଷୋଭ ସୃଷ୍ଟି କରିଥାଏ।