ପିଲାଦିନେ ମୁଁ ଓ କାେଜାଲ୍ ଦୁହେଁ ଭାରି ଦୁଷ୍ଟାମି କରୁଥିଲୁ। ମୋର ଅନେକ ଭୁଲ୍ ଓ ଗଣ୍ଡଗୋଳକୁ ନିଜ ମୁଣ୍ଡକୁ ନେଇ ସେ ହଇରାଣ ହେଉଥିଲେ। ସବୁବେଳେ ଝଗଡ଼ା କରୁଥିବାରୁ ବାପା ଆମ ଦୁହିଁଙ୍କୁ ଟମ୍ ଆଉ ଜେରି ବୋଲି ଡାକୁଥିଲେ। କାଜୋଲ ପିଲାଦିନୁ ଭାରି ଦୁଷ୍ଟ ଓ କଠିନ ସ୍ବଭାବର ଥିଲେ। କିନ୍ତୁ ମୁଁ ଆଉ ମୋ ମାଆ ଆମେ ଦୁହେଁ ସାଙ୍ଗ ଭଳି ରହୁଥିଲୁ ଏବଂ କାଜୋଲ୍ ଆମ ମାଆ ଭଳି ଆମ ଦୁହିଁଙ୍କ ସହିତ ବ୍ୟବହାର କରୁଥିଲେ। ତା’ଛଡ଼ା ସେ ମାତ୍ର ୧୬ ବର୍ଷ ବୟସରୁ କାମ ଆରମ୍ଭ କରିଥିଲେ। ସେ ଖୁବ୍ କମ୍ ବୟସରୁ କାମ ଆରମ୍ଭ କରିଥିବାରୁ ଏବଂ ତାଙ୍କ କ୍ୟାରିୟର୍ରେ ସଫଳ ହୋଇଥିବାରୁ ମୁଁ ଖୁବ୍ ଗର୍ବ କରେ। ହେଲେ ମୋ କ୍ୟାରିୟର୍ କାଜୋଲ୍ଙ୍କ ଭଳି ସଫଳ ନୁହେଁ। ଖୁବ୍ କମ୍ ଫିଲ୍ମରେ ମୁଁ କାମ କରିଛି। ଯେତିକି କରିଛି ସଫଳ ହୋଇଛି ପୁଣି ବିଫଳ ମଧ୍ୟ ହୋଇଛି। ଏସବୁରେ ବି ମୁଁ ସନ୍ତୁଷ୍ଟ ଓ ଖୁସି ଅଛି। କିନ୍ତୁ ମୁଁ କେବେ ବି ନିଜକୁ ନିଜ ଭଉଣୀ କିମ୍ବା ଅନ୍ୟମାନଙ୍କ ସହିତ ତୁଳନା କରେନାହିଁ। କରିବାକୁ ବି ଭଲ ପାଏ ନାହିଁ। ସମସ୍ତେ ନିଜ ନିଜ ଜୀବନରେ ନିଜ ସକ୍ଷମତା ଅନୁଯାୟୀ ସଫଳ। ଏଣୁ କାହାକୁ କାହା ସହିତ ତୁଳନା କରି ନିଜେ କଷ୍ଟ ପାଇବା ଉଚିତ ନୁହେଁ। ନିଜକୁ ଓ ନିଜ କାମ ଉପରେ ଭରସା ରଖି ଆଗକୁ ବଢ଼ିଲେ ସଫଳତା ପାଇବା ସହିତ ମାନସିକ ଶାନ୍ତି ମିଳିପାରିବ ବୋଲି କହନ୍ତି ତନିଶା ମୁଖାର୍ଜୀ।
କାଜୋଲ୍ ୧୯୯୨ ମସିହାରେ ‘ବେଖୁଦି’ ଚଳଚ୍ଚିତ୍ରରୁ ନିଜ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ। ଫିଲ୍ମଟି ସଫଳ ହେବା ସହିତ ଭର୍ସାଟାଇଲ୍ ଅଭିନେତ୍ରୀ ଭାବେ ଆଉ ପଛକୁ ଫେରି ଚାହିଁ ନଥିଲେ ସେ। ହେଲେ ୨୦୦୩ ମସିହାରେ ଫିଲ୍ମ ଦୁନିଆରେ ପାଦ ଥାପିଥିବା ତନିଶା ଅଭିନେତ୍ରୀ ଭାବେ ତାଙ୍କ ଭଉଣୀ କାଜୋଲ୍ ଏବଂ ତାଙ୍କ ମାଆଙ୍କ ପରି ସେତେଟା ସଫଳ ହୋଇପାରିନାହାନ୍ତି। ତନିଶା ଓ କାଜୋଲ୍ ହେଉଛନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ତନୁଜା ଏବଂ ଜଣାଶୁଣା ନିର୍ଦ୍ଦେଶକ-ଲେଖକ-ପ୍ରଯୋଜକ ସୋମୁ ମୁଖାର୍ଜୀଙ୍କ ଝିଅ। ତନିଶା କହନ୍ତି, କାଜୋଲ୍ ବହୁତ ଜଲ୍ଦି ଜୀବନର ବୋଝ ଉଠାଇଛନ୍ତି। ନିଜର କର୍ତ୍ତବ୍ୟ କରିବା ସହିତ ପରିବାରରେ ସମସ୍ତଙ୍କ ଦାୟିତ୍ବ ନେଇଛନ୍ତି। ଏଥିପାଇଁ ହୁଏତ ମୁଁ ଯାହା ଚାହିଁଛି ତାହା ହୋଇପାରିଛି ଏବଂ ଜୀବନରେ ବିନା କିଛି ଚିନ୍ତା ଓ ବାଧାରେ ଏତେ ଆଗକୁ ଆସିପାରିଛି। ଏଥିପାଇଁ ମୋ ଭଉଣୀକୁ ସବୁ ଶ୍ରେୟ ଦେବାକୁ ମଧ୍ୟ କୁଣ୍ଠାବୋଧ କରିବିନାହିଁ ବୋଲି ସେ କହନ୍ତି। ‘ମୁଁ ଭାବୁଛି ଦୁନିଆ ତୁଳନା କରିବାକୁ ଭଲପାଏ, ହେଲେ ମୁଁ ସେଭଳି ସ୍ଥାନରେ ଆଦୌ ବଞ୍ଚେନାହିଁ’ ବୋଲି କହନ୍ତି ତନିଶା। ଯେଉଁ ଦୁନିଆ ଅନ୍ୟମାନଙ୍କ ସହିତ ତୁଳନା କରେ ମୁଁ େସ ଦୁନିଆ ଭିତରେ ବଞ୍ଚିବାକୁ ଚାହେଁ ନାହିଁ କିମ୍ବା ପସନ୍ଦ କରେନାହିଁ। ଶ୍ରେୟସ୍ ତଲ୍ପଡେଙ୍କ ବିପକ୍ଷରେ ଅଭିନୀତ ତନିଶାଙ୍କ ନୂଆ ଫିଲ୍ମ ‘ଲଭ୍ ୟୁ ଶଙ୍କର୍’ର ପ୍ରମୋସନ୍ ଅବସରରେ ଏକ ସାକ୍ଷାତକାର ମାଧ୍ୟମରେ ନିଜ ମତ ପ୍ରକାଶ କରିଛନ୍ତି ଅଭିନେତ୍ରୀ ତନିଶା ମୁଖାର୍ଜୀ।