ଟ୍ୟାଙ୍କ୍‌ରେ ସଉଦାକିଣା : ପେଟ୍ରୋଲ୍ ଖର୍ଚ୍ଚ ୭୭ ହଜାର ଟଙ୍କା

ଇଂଲଣ୍ଡ୍‌ର ଜଣେ ବ୍ୟକ୍ତି ୧୯ ଲକ୍ଷ ଟଙ୍କା ବ୍ୟୟ କରି ଏକ ଆର୍ମି ଟ୍ୟାଙ୍କ୍ କିଣିଛନ୍ତି। ସେ ଟ୍ୟାଙ୍କ୍‌ଟିକୁ ଯେଉଁ କାମରେ ବ୍ୟବହାର କରୁଛନ୍ତି ତାହା ସବୁଠାରୁ ଅଶ୍ଚର୍ଯ୍ୟଜନକ। ସେ ନିଜର ସଉକ ମେଣ୍ଟାଇବା ଲାଗି ଟ୍ୟାଙ୍କ୍‌ଟିକୁ କିଣିଥିବା ବେଳେ ଏହାକୁ ସେ ସ୍ଥାନୀୟ ବଜାରରୁ ଜିନିଷ କିଣାକିଣି ଲାଗି ବ୍ୟବହାର କରୁଛନ୍ତି। ଆମ୍‌ସବ୍ୟୁରି ସହରର ୩୫ ବର୍ଷୀୟ ଗ୍ୟାରି ଫ୍ରିଲ୍ୟାଣ୍ଡ ଜଣେ ସେନା କର୍ମଚାରୀ। ଗ୍ୟାରି ଛୋଟ ଥିବାବେଳେ ତାଙ୍କ ଜେଜେବାପା ସେନାବାହିନୀ ଦ୍ବାରା ବ୍ୟବହୃତ କେତେକ ଯାନ କିଣିଥିଲେ। ସେସବୁ ଗ୍ୟାରିଙ୍କର ଅତ୍ୟନ୍ତ ପ୍ରିୟ ଥିଲା। ସେବେଠାରୁ ତାଙ୍କର ସ୍ବପ୍ନ ଥିଲା ଯେ ବଡ଼ ହୋଇ ଟ୍ୟାଙ୍କ୍‌ଟିଏ କିଣିବେ। ଏହା ତାଙ୍କୁ ସେନାରେ ଯୋଗ ଦେବାକୁ ଅନୁପ୍ରାଣିତ କରିଥିଲା।

ତେଣୁ ସେ ମାତ୍ର ୧୬ ବର୍ଷ ବୟସରେ ଦେଶର ସେନାବାହିନୀରେ ଯୋଗ ଦେଇଥିଲେ। ଦୁଇ ଦଶନ୍ଧି ସେନାବାହିନୀରେ କାମ କରିବା ପରେ ଗ୍ୟାରି ଏବେ ୨୦,୦୦୦ ପାଉଣ୍ଡ୍‌ ବା ପ୍ରାୟ ୧୯ ଲକ୍ଷ ଟଙ୍କା ବ୍ୟୟ କରି ଟ୍ୟାଙ୍କ୍‌ଟିଏ କିଣିଛନ୍ତି। ସେ ଏହାକୁ ନିଜ ଘର ସମ୍ମୁଖରେ ରଖିଛନ୍ତି। ଛୁଟିଦିନରେ ସେ ନିଜର ପୁଅ, ଝିଅ ଓ ପତ୍ନୀଙ୍କ ସହ ଏହି ଟ୍ୟାଙ୍କ୍‌ରେ ବଜାର ଯାଆନ୍ତି। ପ୍ରଥମେ ପ୍ରଥମେ ସହର ରାସ୍ତାରେ ଟ୍ୟାଙ୍କ ଦେଖି ଲୋକେ ସ୍ବାଭାବିକ ଭାବେ ଭୟଭୀତ ହୋଇଯାଉଥିଲେ। କ୍ରମେ ସେମାନଙ୍କ ପାଇଁ ଏହି ଦୃଶ୍ୟ ସାଧାରଣ ପାଲଟିଗଲାଣି। ଗ୍ୟାରିଙ୍କ ଦୁଇ ସନ୍ତାନ ଓ ସ୍ତ୍ରୀ ଟ୍ୟାଙ୍କରେ ବଜାର ବୁଲିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ତାଙ୍କର ୧୩ ବର୍ଷୀୟ ପୁଅ ଫ୍ରେଡି କୁହନ୍ତି ଟ୍ୟାଙ୍କ ନେଇ ସଉଦା କରିବାକୁ ଯିବାର ଲାଭ ହେଲା ଏଥିରେ ଅନେକ ବ୍ୟାଗ୍‌ପତ୍ର ରଖିବା ସୁବିଧା ହୁଏ। କିନ୍ତୁ ଏହା ଚଳାଇବା ଅତ୍ୟନ୍ତ ବ୍ୟୟବହୁଳ। ଏଥିରେ ଥରେ ପେଟ୍ରୋଲ୍ ଭରିବାକୁ ହେଲେ ପ୍ରାୟ ୭୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି!

ସମ୍ବନ୍ଧିତ ଖବର