ମହାଭାରତ, ସ୍କନ୍ଦପୁରାଣ, ବିଷ୍ଣୁପୁରାଣ ଓ ଭବିଷ୍ୟପୁରାଣ ଆଦିରେ ସୂର୍ଯ୍ୟପୁତ୍ର୍ରୀ, ଦେବନଦୀ, ବିତସ୍ତା, ତପତି, ତାପି, ତାପ୍ତି ଆଦି ନାମରେ ନାମିତ ଏକ ପବିତ୍ର ନଦୀର ବର୍ଣ୍ଣନା ରହିଛି। ବାୟୁପୁରାଣରେ ଏହାଙ୍କୁ ପୃଥିବୀକନ୍ୟା ଭାବରେ ବର୍ଣ୍ଣନା କରାଯାଇଛି। ସଂପ୍ରତି ସେହି ନଦୀ ମଧ୍ୟପ୍ରଦେଶର ବୈତୁଲ ଜିଲାର ସାତପୁରା ପର୍ବତରୁ ବାହାରି, ମହାରାଷ୍ଟ୍ର ଓ ଗୁଜୁରାଟ ଦେଇ ୭୪୦ କିଲୋମିଟର ଯାତ୍ରା କରି, ସୁରତ୍ଠାରେ ଆରବ ସାଗରରେ ମିଶିଛି। ଭାରତର ଅଧିକାଂଶ ନଦୀ ପ୍ରାୟ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୋଇଛନ୍ତି। ମାତ୍ର ନର୍ମଦା ଓ ତାପ୍ତି ଏପରି ଦୁଇଟି ନଦୀ, ଯାହା ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହୋଇଛନ୍ତି। ନର୍ମଦା ଓ ତାପ୍ତିର ମଧ୍ୟଭାଗରେ ରହିଛି ସାତପୁରା ପର୍ବତଶ୍ରେଣୀ। ନର୍ମଦା ସାତପୁରାର ଉତ୍ତର ଦିଗରୁ ବାହାରିଥିବା ବେଳେ, ତାପ୍ତି ସାତପୁରାର ମଧ୍ୟଭାଗରେ ଥିବା ନାରଦକୁଣ୍ଡରୁ ବାହାରିଛି- ଯାହାକୁ ମୁଲତାଇ କୁହାଯାଏ। ମୁଲତାଇ ଅର୍ଥ ମୂଳ ତାପି।
ଏହି ନଦୀର ଉଦ୍ଗମସ୍ଥଳ ନିକଟରେ ସୂର୍ଯ୍ୟକୁଣ୍ଡ, ତାପ୍ତିକୁଣ୍ଡ, ଧର୍ମକୁଣ୍ଡ, ପାପକୁଣ୍ଡ, ନାରଦକୁଣ୍ଡ, ଶନିକୁଣ୍ଡ, ନାଗବାବା କୁଣ୍ଡ ନାମରେ କେତେକ କୁଣ୍ଡ ରହିଛି। ଏହି ନଦୀର ପଞ୍ଜରା, ବୈତୁଲ, ପୂର୍ଣ୍ଣା, ଅରୁଣାବତୀ, ଗୀର୍ଣ୍ଣା ଆଦି ଅନେକ ଉପନଦୀ ରହିଛି। ଏକଦା ଏହା ମଧ୍ୟ ଓ ପଶ୍ଚିମ ଭାରତର ମୁଖ୍ୟ ପରିବହନର ମାଧ୍ୟମ ଥିଲା। ପଟୁମାଟିର ଉର୍ବରତା ଏହାର ସର୍ବଶ୍ରେଷ୍ଠ ବିଶେଷତ୍ୱ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ସପ୍ତମୀ ତିଥିରେ ତାପ୍ତି ନଦୀର ଜନ୍ମୋତ୍ସବ ପାଳିତ ହୋଇଥାଏ। ଏହା ସୂର୍ଯ୍ୟକନ୍ୟା ତପତିଙ୍କର ଜନ୍ମଦିନ।
‘ମହାଭାରତ’ର ବର୍ଣ୍ଣନା ଅନୁଯାୟୀ, ତପତି ସୂର୍ଯ୍ୟଙ୍କର ପରମାସୁନ୍ଦରୀ କନ୍ୟା। “ବିଶ୍ରୁତା ତ୍ରିଷୁଲୋକେଷୁ ତପତି ତପସ୍ୟା ଯୁତା।” ସର୍ବଦା ତପସ୍ୟାରେ ସଂଲଗ୍ନ ରହିଥିବା କାରଣରୁ ଏହାଙ୍କର ନାମ ହୋଇଥିଲା ତପତି। ସ୍ୱର୍ଗଲୋକରେ ତପତିଙ୍କୁ ବିବାହ କରିବାପାଇଁ କୌଣସି ଯୋଗ୍ୟପୁତ୍ର ନଥିବାରୁ ସୂର୍ଯ୍ୟଦେବ ଚିନ୍ତିତ ଥିଲେ। କିନ୍ତୁ ମହର୍ଷି ବଶିଷ୍ଠଙ୍କ ନିର୍ଦ୍ଦେଶରେ ସେ ପୁରୁବଂଶୀୟ ମହୀପତି ସଂବରଣଙ୍କୁ ତପତିଙ୍କୁ ଅର୍ପଣ କରିଥିଲେ। ତପତିଙ୍କ ଗର୍ଭରୁ ମହାରାଜ କୁରୁଙ୍କର ଜନ୍ମ ହୋଇଥିଲା। ନିଜର ଅଦ୍ଭୁତ କର୍ମନିଷ୍ଠା ଓ ତପସ୍ୟାରେ ମହାରାଜ କୁରୁ ପବିତ୍ର କୁରୁକ୍ଷେତ୍ର ସୃଷ୍ଟି କରିଥିଲେ। କୁରୁ, କୁରୁଜାଙ୍ଗଲ ପ୍ରଦେଶର ପ୍ରତିଷ୍ଠାତା। ତପତିଙ୍କଠାରୁ ସୃଷ୍ଟ ହୋଇଥିବାରୁ, କୌରବ ଓ ପାଣ୍ଡବମାନଙ୍କୁ ‘ତାପତୀ’ କୁହାଯାଇଥାଏ। ସୂର୍ଯ୍ୟଙ୍କର ତେଜକୁ ଗ୍ରହଣ କରି ଶୀତଳତା ପ୍ରଦାନ କରିବା ପାଇଁ ସୂର୍ଯ୍ୟଦେବ ତପତିଙ୍କୁ ସୃଷ୍ଟି କରିଥିଲେ। ତେଣୁ ତପତି ତାପି ନାମ ଧାରଣ କରି ମାନବ ସମାଜର ଅଶେଷ କଲ୍ୟାଣ କରୁଛନ୍ତି। ସେ କୃଷି, ଶିଳ୍ପ, ବାଣିଜ୍ୟ ଓ ପଶୁଧନ ବିକାଶର ଆକର ପାଲଟିଛନ୍ତି।
-ଡକ୍ଟର ତୁଳସୀ ଓଝା