ପଶ୍ଚିମ ଆମେରିକାର ୟୁଟାହ ପ୍ରଦେଶର ଲୋକେ ପାହାଡ଼ ଉପରେ କଟା ତରଭୁଜ ରଙ୍ଗର ବରଫ ଆଚ୍ଛାଦିତ ହୋଇଥିବା ମନୋରମ ରଙ୍ଗିନ ଦୃଶ୍ୟ ଉପଭୋଗ କରୁଛନ୍ତି। ସେମାନେ ଏହାକୁ ‘ତରଭୁଜ ତୁଷାର’ର ଆଖ୍ୟା ଦେଇଛନ୍ତି। ପ୍ରକୃତରେ ଏଭଳି ପ୍ରାକୃତିକ ଦୃଶ୍ୟ କୌଣସି ରାସାୟନିକ ପ୍ରତିକ୍ରିୟା ଯୋଗୁଁ ନୁହେଁ, ବରଂ ବରଫ ତଳେ ବଢୁଥିବା ‘କ୍ଲାମିଡୋମୋନାସ ନିଭାଲିସ’ ନାମକ ଏକ ପ୍ରକାର ଶୈବାଳର ଭୂମିକା ଯୋଗୁଁ ସଂଘଟିତ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି।

Advertisment

ପତଳା ବରଫ ଚାଦର ତଳେ ଏହି ଶୈବାଳଗୁଡ଼ିକ ପ୍ରସ୍ଫୁଟିତ ହୋଇ ଏଭଳି ଆକର୍ଷକ ରଙ୍ଗ ଛାଇଦେଇଥା’ନ୍ତି। ବିଶେଷ କରି ବସନ୍ତ ଋତୁରେ ପାହାଡ଼ ଶିଖରରୁ ଅଧିକ ପରିମାଣର ବରଫ ତରଳିଲେ ଏପରି ପ୍ରକ୍ରିୟା ଦେଖା ଦେଇଥାଏ। ଉକ୍ତ ଶୈବାଳରେ ରହିଥିବା ଏକ ପ୍ରକାର ପିଗ୍‌ମେଣ୍ଟ ତାହାର ଜୀବକୋଷଗୁଡ଼ିକୁ କଳା ରଙ୍ଗର କରିଦେଇଥାଏ, ଯାହା ସୂର୍ଯ୍ୟାଲୋକରେ ରହିଥିବା ଅତିବାଇଗଣୀ ରଶ୍ମିକୁ ଅଟକାଇ କୋଷଗୁଡ଼ିକର ସୁରକ୍ଷା କରିଥାଏ। ଅପରପକ୍ଷେ, ଏହା ଅଧିକ ସୌରତାପ ଆହରଣ କରି ବରଫ ତରଳାଇବାରେ ମଧ୍ୟ ସହାୟକ ହୋଇଥାଏ। ସେହି ଜଳ ଦ୍ବାରା ଶୈବାଳଗୁଡ଼ିକ ବଢ଼ିଥା’ନ୍ତି ଓ ଶେଷରେ ପ୍ରସ୍ଫୁଟିତ ହୋଇଥା’ନ୍ତି ବୋଲି କୁହାଯାଇଛି। ଏଥି ସହିତ ବରଫ ତଳେ ଅନ୍ୟ ପ୍ରଜାତିର ଶୈବାଳ ବଢ଼ିଥା’ନ୍ତି ଏବଂ ପ୍ରସ୍ଫୁଟିତ ହୋଇ ପାହାଡ଼ ଉପତ୍ୟକାରେ ସବୁଜ ଓ ହଳଦିଆ ରଙ୍ଗର ବରଫ ଆଚ୍ଛାଦନ ସୃଷ୍ଟି କରିଥାନ୍ତି।