ଲେଖକ ଏଡଗାର୍ ରାଇସ୍‌ ବୁରୋଙ୍କ କଳ୍ପନାପ୍ରସୂତ କିଂବଦନ୍ତୀୟ ଚରିତ୍ର ଟାର୍ଜନକୁ ନେଇ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି। ସମସ୍ତେ ଜାଣନ୍ତି ଯେ ଟାର୍ଜନ ହେଉଛି ଜଣେ ଜଙ୍ଗଲୀ ମଣିଷ ଯିଏ ଗଛ ଚଢ଼ାରେ ମାଙ୍କଡ଼ଙ୍କ ଭଳି ପାରଙ୍ଗମ। ସ୍ପେନୀୟ ସହର ବାର୍ସେଲୋନାର ଜଣେ ଯୁବକ ଗଛ ଚଢ଼ିବାର ପ୍ରଶିକ୍ଷଣ ଦେଇ ଏବେ ଚର୍ଚ୍ଚାରେ। ବାର୍ସେଲୋନାର ଟାର୍ଜନ ନାମରେ ପ୍ରସିଦ୍ଧ ଏହି ଯୁବକ ଗଛଚଢ଼ା କୌଶଳ ଶିଖାଉଛନ୍ତି। ତେବେ କେବଳ ଶାରୀରିକ ବ୍ୟାୟମରେ ତାଙ୍କର ପ୍ରଶିକ୍ଷଣ ସୀମିତ ନୁହେଁ। ସେ କ୍ରୀଡ଼ାର ଶୃଙ୍ଖଳା ଓ ମାନସିକ ସଂଯମର ମିଶ୍ରଣରେ ଏକ ବିଶେଷ ପ୍ରଶିକ୍ଷଣ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି। ଏହାର ଅଭ୍ୟାସ ଦ୍ବାରା ମାନବ ଜାତିର ଏକ ବିସ୍ମୃତ ଚଳପ୍ରଚଳ କୌଶଳ ସହିତ ପ୍ରଶିକ୍ଷାର୍ଥୀମାନେ ପରିଚିତ ହୋଇପାରିବେ ବୋଲି ତାଙ୍କର ଦାବି।

Advertisment

ତେବେ ତାଙ୍କର ସମାଲୋଚକମାନେ ଏହାକୁ ଏକ ମିଛ ପ୍ରଚାର ବୋଲି କୁହନ୍ତି। ସମାଲୋଚନାକୁ ଖଣ୍ଡନ କରି ସେ କୁହନ୍ତି ଯେ ଗଛ ଚଢ଼ିବା ଦ୍ବାରା ଆମେ ଏକ ପ୍ରକାର ସ୍ବତନ୍ତ୍ର ଶାରୀରିକ ଚଳନ କରିବାକୁ ବାଧ୍ୟ ହୋଇଥାଉ ଯାହା ମଣିଷ ଭୁଲିସାରିଛି। ଦୈନିକ ୧୦ ୟୁରୋ ବିନିମୟରେ ଯେ କେହି ତାଙ୍କର ପ୍ରଶିକ୍ଷଣରେ ଭାଗ ନେଇପାରିବେ। ତେବେ ସବୁ କୌଶଳ ଶିଖିବାକୁ ହେଲେ ତାଙ୍କର ଏକାଧିକ ପ୍ରଶିକ୍ଷଣରେ ଯୋଗ ଦେବାକୁ ପଡ଼ିଥାଏ। ତାଙ୍କର ଏହି ବିଶେଷ ପ୍ରଶିକ୍ଷଣକୁ ନେଇ ‘ଟାର୍ଜନ ମୁଭ୍‌ମେଣ୍ଟ’ ନାମକ ଏକ ବୃତ୍ତଚିତ୍ର ମଧ୍ୟ ନିର୍ମିତ ହୋଇଛି।