ସାହିତ୍ୟ ଓ ସାମ୍ବାଦିକତା ପରସ୍ପର ସଂଶ୍ଳିଷ୍ଟ

ଭୁବନେଶ୍ବର : ସାହିତ୍ୟ ବିନା ସାମ୍ବାଦିକତା ତିଷ୍ଠି ପାରିବ ନାହିଁ। ସେହିଭଳି ସମ୍ବାଦପତ୍ର ବିନା ସାହିତ୍ୟ ସୁଦୂରପ୍ରସାରୀ ହୋଇପାରିବ ନାହିଁ। ସାମ୍ବାଦିକତା ଓ ସାହିତ୍ୟ ପରସ୍ପର ସହ ସଂଶ୍ଳିଷ୍ଟ। ସାହିତ୍ୟିକମାନଙ୍କୁ ଲେଖକୀୟ ସ୍ବୀକୃତି ଦେବାରେ ସମ୍ବାଦପତ୍ରର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ସମାବେଶର ଉଦ୍‌ଯାପନୀରେ ‘ସାହିତ୍ୟ ଓ ସାମ୍ବାଦିକତା ପରସ୍ପରଠାରୁ ଭିନ୍ନ କି?’ ଶୀର୍ଷକ ଆଲୋଚ୍ୟ ବିଷୟ ଉପରେ ଏପରି ମତ ରଖିଛନ୍ତି ଅତିଥିବୃନ୍ଦ।

ବିଶିଷ୍ଟ ଲେଖକ ରସ୍କିନ୍‌ ବଣ୍ଡ୍‌ କହିଲେ, ମୁଁ ଯେତେ ଟିଭି ଦେଖିଲେ ମଧ୍ୟ ସମ୍ବାଦପତ୍ର ମତେ ଅଧିକ ବିଶ୍ବସନୀୟ ଲାଗେ। ପ୍ରତ୍ୟେକ ସାମ୍ବାଦିକ ଭଲ ଲେଖକ ହୋଇପାରେନି କି ପ୍ରତ୍ୟେକ ଭଲ ଲେଖକ ସାମ୍ବାଦିକ ହୋଇପାରେନି। ମାତ୍ର ସମ୍ବାଦପତ୍ରର କିଛି ଶୃଙ୍ଖଳା ଥାଏ। ସୀମିତ ଶବ୍ଦରେ ଭଲ ଲେଖାଟିଏ ଉପସ୍ଥାପନ କରିବାକୁ ପଡ଼େ। ଏହା ସାମ୍ବାଦିକ ପାଇଁ ସବୁବେଳେ ଏକ ଆହ୍ବାନ ଛିଡ଼ା କରିଥାଏ। ବହୁ ଅତୀତରୁ ଏହି ସମ୍ବାଦପତ୍ର ଓ ପତ୍ରିକା ହିଁ ଲେଖକମାନଙ୍କୁ ପ୍ରୋତ୍ସାହନ ଦେଇ ଆସିଛି ବୋଲି ସେ କହିଥିଲେ। ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହି‌ଲେ, କେହି ଆଉ ତାଜା ସମ୍ବାଦ ପାଇଁ ସକାଳ ଯାଏଁ ସମ୍ବାଦପତ୍ରକୁ ଅପେକ୍ଷା କରୁନାହିଁ, ବରଂ କିଛି ଲେଖକୀୟ ଭିନ୍ନତା ହିଁ ଜଣଙ୍କୁ ଏକ ନିର୍ଦିଷ୍ଟ ସମ୍ବାଦପତ୍ର ପଢ଼ିବା ପାଇଁ ପ୍ରେରିତ କରେ। ଏହି ଭିନ୍ନ ଲେଖା ହିଁ ସାହିତ୍ୟ। ତେଣୁ ସାହିତ୍ୟ ଓ ସାମ୍ବାଦିକତା ପରସ୍ପର ସହ ସମ୍ବନ୍ଧୀୟ। ‌ସେହିପରି ଭାଷା କେବଳ ଲେଖା ମାଧ୍ୟମରେ ବଞ୍ଚି ରୁହେ। ଏଥିପାଇଁ ଗଦ୍ୟ ସାହିତ୍ୟର ଭୂମିକା ଗୁରୁତ୍ବପୂର୍ଣ୍ଣ।

ସେ ଏକଥା ବି କହିଲେ, ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଏକ କବିତା ‘ସମ୍ବାଦ’ରେ ବାହାରିବା ପରେ ଶ୍ରୀ ରଥ ନିଜେ କହିଥିଲେ ଯେ ‘ଶ୍ରୀରାଧା’ କବିତା ପୁସ୍ତକର ଏତେ ସଂସ୍କରଣ ପରେ ‌ମତେ ଯେତିକି ଶୁଭେଚ୍ଛା ଓ କଲ୍‌ ଆସିନଥିଲା ତା’ଠୁ ଅଧିକ ଶୁଭେଚ୍ଛା ଗୋଟିଏ ଦିନ ସମ୍ବାଦପତ୍ରରେ ପ୍ରକାଶିତ ହେବା ପରେ ମୁଁ ପାଇଛି। ତେଣୁ ଲେଖକମାନଙ୍କୁ ପାଠକଙ୍କ ସହ ଯୋଡ଼ିବାରେ ସମ୍ବାଦପତ୍ରର ବଡ଼ ଭୂମିକା ରହିଛି ବୋଲି ସେ କହିଥିଲେ। ଇଂରାଜୀ ଲେଖକ ଚନ୍ଦ୍ରହାସ ଚୌଧୁରୀ କହିଲେ, ସମ୍ବାଦପତ୍ର ସମାଜର ମୁଖ୍ୟ ଅଙ୍ଗ। ଲେଖନୀ ଚାଳନା କ୍ଷେତ୍ରରେ ସମ୍ବାଦପତ୍ର ସହଯୋଗ କରେ। ତେବେ ସମ୍ବାଦପତ୍ରରେ ଲେଖନୀ ଚାଳନା ବେଳେ କିଛି ସୀମା ସରହଦ ଭିତରେ ‌ରହି ଲେଖିବାକୁ ପଡ଼େ। କିନ୍ତୁ ସାହିତ୍ୟ ଲେଖିବା ବେଳେ ମୁକ୍ତ ଭାବେ ଲେଖିହୁଏ ବୋଲି ସେ କହିଥିଲେ। ଏଥିସହ ତାଙ୍କ ବାପା ତାଙ୍କୁ କିଭଳି ସମ୍ବାଦପତ୍ର ପଢ଼ିବା ଦିଗରେ ପ୍ରେରିତ କରିଥିଲେ ଏବଂ ଏହା ତାଙ୍କୁ ଲେଖିବା ପାଇଁ ପ୍ରେରିତ କରିଥିଲା ସେ ସମ୍ବନ୍ଧରେ ସେ ମତ ରଖିଥିଲେ। ସୁକନ୍ୟା ଦାସ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର