ଭାରତର ଆଧାର ଉପରେ ୨୦ ଦେଶର ନଜର

ଭୁବନେଶ୍ବର : ‘ଆଧାର’ କେବଳ ପରିଚୟପତ୍ର ନୁହେଁ, ଏହା ବ୍ୟକ୍ତିର ଆର୍ଥିକ ଓ ସାମାଜିକ ବିକାଶର ମାଧ୍ୟମ। ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ସମାବେଶର ଅନ୍ତିମ ଦିବସରେ ବିଶିଷ୍ଟ ସାମ୍ବାଦିକ ଏନ.ଏସ ରାମନାଥ ଓ ଚାର୍ଲସ ଆଶିଷିଙ୍କ ଦ୍ବାରା ରଚିତ ‘ଆଧାର ସାଇଡ୍‌ ଇଫେକ୍ଟ’ ବହିର ଉପଯୋଗିତା ଓ ଡିଜିଟାଲ ଯୁଗରେ ଆଧାରର ପ୍ରାସଙ୍ଗିକତା ଉପରେ ବୁଦ୍ଧିଜୀବୀମାନେ ଆଲୋଚନା କରି ଏପରି କହିଥିଲେ। ଆଧାର ବ୍ୟବସ୍ଥାର ଜନକ ତଥା ୟୁଆଇଡିଏଆଇର ପୂର୍ବତନ ଅଧ୍ୟକ୍ଷ ନନ୍ଦନ ନିଲେକାନୀଙ୍କ ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ଏଥିରେ ବିସ୍ତୃତ ବର୍ଣ୍ଣନା କରାଯାଇଛି।

ମୁମ୍ବାଇର ପ୍ରତିଷ୍ଠିତ ସାପ୍ତାହିକୀ ପତ୍ରିକା ଫାଉଣ୍ଡିଂ ଫୁଏଲର ପ୍ରତିଷ୍ଠାତା ସାମ୍ବାଦିକ ଚାର୍ଲସ ଆଶିଷି କହିଥିଲେ, ଆଧାର ନମ୍ବର ଦ୍ବାରା ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିବା ସହ ଇଚ୍ଛା ମୁତାବକ ଆର୍ଥିକ ଓ ସାମାଜିକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ। ମୁଖ୍ୟତଃ ତିନୋଟି ବିନ୍ଦୁ ଉପରେ ଆଧାର ନମ୍ବରର ଉପଯୋଗିତା ପର୍ଯ୍ୟବସିତ। ସମାଜ, ସରକାର ଓ ବଜାର ଏହି ତିନୋଟି ବ୍ୟବସ୍ଥାର ବିକାଶ ପାଇଁ ଆଧାର ଗୋଟିଏ ମାଧ୍ୟମ ଭଳି କାମ କରେ। କିନ୍ତୁ ଆଧାରକୁ ନେଇ ଆମ ସମସ୍ତଙ୍କ ଭିତରେ ଏତେଟା ପର୍ଯ୍ୟାପ୍ତ ଧାରଣା ନାହିଁ। ଆଧାର ନମ୍ବର ବର୍ତ୍ତମାନ ଭାରତୀୟ ଜନସେବାର ଏକ ମୌଳିକ ଭିତ୍ତିଭୂମି ଭାବେ ପରିଣତ ହୋଇଛି। ଏହି ବହିରେ ସେ ସବୁ ବିଷୟରେ ଉଲ୍ଲେଖ ରହିଛି।

ଆଲୋଚନାରେ ଅଂଶଗ୍ରହଣ କରି ବହିର ସହ-ଲେଖକ ତଥା ବେଙ୍ଗାଲୁରର ସାମ୍ବାଦିକ ଏନ.ଏସ ରାମନାଥ କହିଲେ, ଆଧାରକୁ ପ୍ରଥମେ ଷ୍ଟାର୍ଟ ଅପ୍ ସ୍ତରରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା। ସରକାରୀ ଓ ଘରୋଇ ସହଭାଗିତାରେ ଆରମ୍ଭ କରିଥିବା ତାଙ୍କର ଏହି ପ୍ରୟାସ ପରବର୍ତ୍ତୀ କାଳରେ ସମସ୍ତଙ୍କୁ ସଂଗଠିତ କରିବାରେ ସହାୟକ ହୋଇଥିଲା। ସମ୍ଭବତଃ ଏଇଥିପାଇଁ ଆଜିର ତାରିଖରେ ୨୦ଟି ବୈଦେଶିକ ରାଷ୍ଟ୍ର ଭାରତର ଏପରି ସ୍ବତନ୍ତ୍ର ପରିଚୟପତ୍ରର ଉପଯୋଗିତାକୁ ଆପଣାଇବାକୁ ଆଗ୍ରହ ପ୍ରକାଶ କଲେଣି। ବର୍ତ୍ତମାନ ଡିଜିଟାଲ ଜଗତରେ ଆଧାର ଗୋଟିଏ ଜନସେବାର ଭରସାଯୋଗ୍ୟ ପ୍ଲାଟଫର୍ମ ବୋଲି କହିଥିଲେ ଶ୍ରୀ ରାମନାଥ। ଏହି ଅଧିବେଶନର ସଂଚାଳନା କରିଥିଲେ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ।

ସମ୍ବନ୍ଧିତ ଖବର