ଭୁବନେଶ୍ବର : ବ୍ୟାସକବି ଫକୀରମୋହନ ସେନାପତିଙ୍କ ସ୍ମୃତିରକ୍ଷା ଦିଗରେ ଯେଉଁଭଳି ପଦକ୍ଷେପ ନିଆଯିବା କଥା, ତାହା ହୋଇପାରି ନାହିଁ ବୋଲି ଜାଭିୟର୍ ଇନ୍ଷ୍ଟିଚ୍ୟୁଟ୍ ପରିସରରେ ଚାଲିଥିବା ଟାଟା ଷ୍ଟିଲ୍ ଭୁବନେଶ୍ବର ସାହିତ୍ୟ ସମାବେଶର ‘ଫକୀର ମୋହନ ସେନାପତି: ଶହେ ବର୍ଷ ପରେ’ ଶୀର୍ଷକ ଅଧିବେଶନରେ ମତପ୍ରକାଶ ପାଇଛି। ଅଧିବେଶନରେ ଯୋଗଦେଇ କଥାକାର ଗୌରହରି ଦାସ କହିଲେ ଫକୀର ମୋହନ ଚାଲିଯିବାର ୧୦୧ ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ମୃତିରକ୍ଷା ଦିଗରେ ସେଭଳି ପଦକ୍ଷେପ ନିଆଯାଇନି। ରବୀନ୍ଦ୍ରନାଥ ଟାଗୋର ଓ ଶରତ ଚନ୍ଦ୍ରଙ୍କ ଶହେ ବର୍ଷ ପରେ ଗୋଲଡେନ୍ ବୁକ୍ ପ୍ରକାଶ ପାଇଥିଲା। ସେଥିରେ ସବୁ ଭାଷାର ବଡ଼ ଲେଖକଙ୍କ ଲେଖା ପ୍ରକାଶ ପାଇଥିଲା। ହେଲେ ଫକୀର ମୋହନଙ୍କ ସମ୍ପର୍କରେ ସେଭଳି କିଛି କରାଯାଇ ପାରିନାହିଁ। ଯଦି ଫକୀର ମୋହନଙ୍କ କେତେ ଖଣ୍ତ ପୁସ୍ତକ ପିଲାଙ୍କ ପାଠ୍ୟପୁସ୍ତକରେ ସ୍ଥାନ ପାଇ ନଥାନ୍ତା, ତେବେ ଲୋକେ ତାଙ୍କୁ ଭୁଲି ଯାଆନ୍ତେଣି। ସାଧାରଣ ଲୋକଙ୍କ ଭାଷା ଉପନ୍ୟାସର ଭାଷା ହୋଇପାରେ ବୋଲି ଫକୀର ମୋହନ କରି ଦେଖାଇଥିଲେ। ତାଙ୍କ ସାହିତ୍ୟ, ଗଳ୍ପ, ଉପନ୍ୟାସର ଚରିତ୍ରଗୁଡ଼ିକରେ ବହୁସ୍ତରୀୟ ଅଭିଜ୍ଞତା ରହିଛି। ତାଙ୍କ ଲେଖା କେବଳ ହିନ୍ଦୀ, ଇ˚ରାଜୀରେ ଅନୁଦିତ କରିଦେଲେ ହେବନି, ବର˚ ସବୁ ଭାଷାରେ ହେବାର ଆବଶ୍ୟକତା ରହିଛି, ଯାହାକୁ ଆମେ ବାହାରେ ଦେଖାଇପାରିବା ଯେ ଏହା ହେଉଛି ଅନୁବାଦ। ତାଙ୍କ କୃତିକୁ ଭଲ ଭାବେ ପରିଚିତ କରାଇବାକୁ ହେବ। ଫକୀର ମୋହନଙ୍କ ପାଇଁ ଶହେ କୋଟି ଟଙ୍କାର କର୍ପସ ଫଣ୍ତ କରାଯିବାର ଆବଶ୍ୟକତା ରହିଛି। ଫକୀର ମୋହନଙ୍କ କୃତି ବଞ୍ଚିଲେ ଓଡ଼ିଆ ସାହିତ୍ୟ ବଞ୍ଚି ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ଗାଳ୍ପିକ ପାରମିତା ଶତପଥୀ କହିଲେ, ଫକୀର ମୋହନଙ୍କ ପାଇଁ ସେଭଳି କିଛି କାର୍ଯ୍ୟ କରାଯାଇପାରିନି। ସେ ଯେଉଁ ୨୦ଟି କାହାଣୀ ଓ ୪ଟି ଉପନ୍ୟାସ ଲେଖିଥିଲେ, ତାହାକୁ ସାହିତ୍ୟିକ କ୍ଷେତ୍ରରେ ସେଭଳି ମୂଲ୍ୟାୟନ କରାଯାଇ ନାହିଁ। ତାଙ୍କ କୃତି ଉପରେ ଗବେଷଣା ପାଇଁ ଅନୁଷ୍ଠାନଟିଏ ନାହିଁ। ତାଙ୍କ ଗପର ରଚିତ୍ର ଚିତ୍ରଣ ବେଶ ଉଚ୍ଚକୋଟୀର ଥିଲା, ଯାହାଙ୍କ ବହିକୁ ଏବେ ଅନୁକରଣ କରୁଛୁ। ତେଣୁ ଆଲୋଚନା କିମ୍ବା କଥାବାର୍ତ୍ତାରେ ଫକୀର ମୋହନଙ୍କୁ ସୀମିତ ନ ରଖି ବିଶ୍ବ ଦରବାରରେ ପରିଚିତ କରାଇବାର ସମୟ ଆସିଛି। ସ୍ତମ୍ଭକାର ଅଭିରାମ ବିଶ୍ବାଳ କହିଲେ ଭାଷା, ସାହିତ୍ୟ ଓ ଜାତୀୟତାବାଦୀ ଆନ୍ଦୋଳନର ପଥ ପ୍ରଦର୍ଶକ ଥିଲେ ଫକୀର ମୋହନ। ତାଙ୍କ ଲେଖାରେ ଜୀବନ ବିଶ୍ବ ଓ ବ୍ୟବସ୍ଥା ବିଶ୍ବର ଅନୁଭବ ଏବଂ ପାରଦର୍ଶିତା ପ୍ରତିଫଳିତ ହୋଇଛି। ଅନେକ ସମୟରେ ସୃଜନଶୀଳ ଲେଖକ ଭାବେ ଆମେ ତାଙ୍କୁ ସୀମିତ ରଖୁ। ନାଟକକୁ ଛାଡ଼ି ସେ ସବୁଥିରେ ହାତ ମାରିଛନ୍ତି। ତାଙ୍କ କୃତିର ବହୁ ଅନୁବାଦ ହୋଇଥିଲେ ମଧ୍ୟ ରବୀନ୍ଦ୍ରନାଥ, ବଙ୍କିମ ଚନ୍ଦ୍ରଙ୍କ ପରି ସେ ଚର୍ଚ୍ଚିତ ହୋଇପାରି ନାହାନ୍ତି। ଏହି ଅଧିବେଶନକୁ ସ୍ତମ୍ଭକାର ଡ. ଯତୀନ୍ଦ୍ର ନାୟକ ସ˚ଯୋଜନା କରିଥିଲେ।