ଭୁବନେଶ୍ୱର : ଖ୍ୟାତିସଂପନ୍ନ ତଥା ନିଆରା ଅଭିନେତ୍ରୀ, ନିର୍ଦେଶିକା ନନ୍ଦିତା ଦାସ ପାକିସ୍ତାନୀ ଲେଖକ ସାଦତ୍ ହାସନ୍ ମଣ୍ଟୋଙ୍କ ଜୀବନ ଓ ତାଙ୍କ ଲେଖା ଉପରେ ଚଳଚ୍ଚିତ୍ର ‘ମଣ୍ଟୋ’ ନିର୍ମାଣ କରୁଛନ୍ତି। ଏହି ବର୍ଷ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ଆଜି ହୋଟେଲ୍ ଟ୍ରାଇଡେଣ୍ଟରେ ଆୟୋଜିତ ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରୀ ମିଟ୍ରେ ତାଙ୍କ ସହିତ ଚଳଚ୍ଚିତ୍ରରେ ଅଭିନୟ କରିଥିବା ରସିକା ଡୁଗଲ ଯୋଗ ଦେଇଥିଲେ। ସେମାନଙ୍କ ସହିତ ‘ସମ୍ବାଦ’ ଗ୍ରୁପ୍ ନିର୍ଦେଶିକା ତନୟା ପଟ୍ଟନାୟକଙ୍କ ଆଳାପ ଆଲୋଚନା ଅବସରରେ ନନ୍ଦିତାଙ୍କ କିଛି ମନଖୋଲା କଥା ସାମ୍ନାକୁ ଆସିଛିି।
Sambad is now on WhatsApp
Join and get latest news updates delivered to you via WhatsApp
‘‘ମଣ୍ଟୋ ଚଳଚ୍ଚିତ୍ରରେ କୌଣସି ହିଂସାତ୍ମକ ବା ଭାବୋଦ୍ଦୀପକ ଦୃଶ୍ୟ ବା ସଂଳାପ ସ୍ଥାନ ପାଇନାହିଁ। ଖୋଦ୍ ମଣ୍ଟୋ ବି ଚାଞ୍ଚଲ୍ୟକର କାହାଣୀ ବା କଥା ହେବା ଚାହୁଁନଥିଲେ। ତେବେ ଆମ ଦେଶରେ ପରିସ୍ଥିତି ଟିକେ ଅଲଗା। ପଦ୍ମାବତ୍ ଚଳଚ୍ଚିତ୍ର ଭଳି ଯେଉଁଠି କିଛି ସମସ୍ୟା ରହିବା କଥା ନୁହେଁ, ସେଠି ବି ଜଟିଳ ପରିସ୍ଥିତି ଦେଖାଦେଇଛି। ତେବେ ଆମେ ଉଦାର ମନରେ ମତଭେଦ ପାଇଁ ଯଥେଷ୍ଟ ସ୍ଥାନ ରଖିବା ଉଚିତ ବୋଲି ସେ କହିଥିଲେ। କୌଣସି ଚଳଚ୍ଚିତ୍ରରେ ବଳାତ୍କାର ହେଉ ବା କୌଣସି ଯୌନ ନିର୍ଯାତନା ଭଳି ଦୃଶ୍ୟ ରହିଲେ, ଦେଖିବାକୁ ହେବ ଯେ ଏହା ପଛରେ ନିର୍ମାତାଙ୍କ ଅଭିପ୍ରାୟ କ’ଣ? ଶସ୍ତା ଯୌନ ଉଦ୍ଦୀପନା ସୃଷ୍ଟି ପାଇଁ ଏଭଳି କରୁଛନ୍ତି ନା ଏହାର କଳାତ୍ମକ ଦିଗ ରହିଛି। ସେ ଯାହାହେଉ କୌଣସି ବିବାଦ ଉପୁଜିଲେ, ଗଭୀର ବିଶ୍ୱାସ, ସାହସର ସହିତ ତାକୁ ସାମ୍ନା କରିବାକୁ ପଡ଼ିବ ବୋଲି ବିଶିଷ୍ଟ ଅଭିନେତ୍ରୀ କହିଥିଲେ।
ଚଳଚ୍ଚିତ୍ର ନିର୍ମାଣ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ ଚଳଚ୍ଚିତ୍ର ଏପରି ହେବା ଉଚିତ ଯାହା ମନ ଓ ହୃଦୟକୁ ନିଶ୍ଚିତ ରୂପେ ଛୁଇଁବ। ଖାସ୍ ଏଥିପାଇଁ ଲୋକଙ୍କର କଳାତ୍ମକ ଚଳଚ୍ଚିତ୍ର ଉପରେ ଭୟ ରହିଥାଏ,’ ବୋଲି କହିଥିଲେ ନନ୍ଦିତା ଦାସ। ସେ କହିଲେ ଯେ ମଣ୍ଟୋ ଚଳଚ୍ଚିତ୍ରର ନାୟକ ଜଣେ ପାକିସ୍ତାନୀ ଉର୍ଦ୍ଦୁ ଲେଖକ। ସେ ଅନେକ ଲେଖା ଲେଖିଛନ୍ତି। କିନ୍ତୁ ଅନେକ ଉର୍ଦ୍ଦୁ ଲେଖକ ତାଙ୍କୁ ବିଚାରକୁ ନେଇନଥିଲେ। ତାଙ୍କ ଲେଖାର ଆଦୃତି ଏତେ ଥିଲା ଯେ ମଣ୍ଟୋଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କ ଲେଖାର ସ୍ୱାତନ୍ତ୍ର୍ୟ ହେଉଛି ଧର୍ମ ଓ ଦେଶର ସୀମା ଭଳି ସଂକୀର୍ଣ୍ଣତାରୁ ବ୍ୟକ୍ତିର ପରିଚୟ ଊର୍ଦ୍ଧ୍ୱରେ। ମଣ୍ଟୋଙ୍କର ସାମାନ୍ୟ ପାଗଳାମି ଥିଲା। ଯାହା ଠିକ୍ ଭାବୁଥିଲେ; କହୁଥିଲେ, କରୁଥିଲେ। ବ୍ୟବସ୍ଥାର ବିଭିନ୍ନ ଦିଗକୁ ନେଇ ସେ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ। କିନ୍ତୁ ଭଲ ପାଇବା ଥିଲା ତାଙ୍କର ଚରିତ୍ରର ମୁଖ୍ୟ ଉପାଦାନ। ତାଙ୍କ ଭଳି ଚରିତ୍ର ପ୍ରତ୍ୟେକ ମଣିଷ ମଧ୍ୟରେ ଅଳ୍ପେ ବହୁତ ରହିଛି। ତେବେ ‘ମଣ୍ଟୋ’ ଦେଖିବା ପରେ ଯଦି ତାଙ୍କ ପରି କେହି ଯଦି ପ୍ରଶ୍ନ ପଚାରନ୍ତି, ତେବେ ସେ ହୃଦୟଙ୍ଗମ କରିବେ, ତାଙ୍କ ଚଳଚ୍ଚିତ୍ର ନିର୍ମାଣ ସଫଳ ହୋଇଛି ବୋଲି ନନ୍ଦିତା କହିଥିଲେ।
ଏହି ଚଳଚ୍ଚିତ୍ରର ନାୟିକା ତଥା ମଣ୍ଟୋଙ୍କ ପତ୍ନୀ ସାଫିଆ ଭୂମିକାରେ ଅଭିନୟ କରିଥିବା ରସିକା ଡୁଗଲ୍ କହିଲେ ଯେ ନନ୍ଦିତା ଅତ୍ୟନ୍ତ ସ୍ପଷ୍ଟବାଦୀ, ଲେଡି ମଣ୍ଟୋ ଭଳି। ଏକ ପ୍ରଶ୍ନର ଉତ୍ତରରେ ନନ୍ଦିତା କହିଲେ ଯେ ଓଡ଼ିଆ ହୋଇଥିବାରୁ ସେ ଗର୍ବିତ। କିନ୍ତୁ ସେଥିପାଇଁ ଓଡ଼ିଆ ଚଳଚ୍ଚିତ୍ର କରିବେନି। ବରଂ ଯଦି ତାଙ୍କ ମନ ଛୁଇଁବା ଭଳି ଭଲ ସ୍କ୍ରିପ୍ଟ ମିଳେ, ତାହାହେଲେ ଓଡ଼ିଆ ଚଳଚ୍ଚିତ୍ର କରିବାରେ କୌଣସି ଆପତ୍ତି ନାହିଁ। ତାଙ୍କ ମନପସନ୍ଦର ଖାଦ୍ୟ ଛେନାପୋଡ଼, ବାରିପଦା ମୁଢ଼ିମାଂସ, ଆରିସା ପିଠା ପ୍ରଭୃତି। ଭୁବନେଶ୍ୱରରେ ତାଙ୍କର ପ୍ରିୟ ଭ୍ରମଣ ସ୍ଥାନ ହେଉଛି ଲିଙ୍ଗରାଜ ମନ୍ଦିର, ଏକ୍ରାମ ହାଟ ଇତ୍ୟାଦି। ଅପରାହ୍ଣରେ ମାଳବିକା ବାନାର୍ଜୀ ଓ ରସିକା ଡୁଗଲଙ୍କ ମଧ୍ୟରେ ଆଳାପ ଆଲୋଚନା ଅବସରରେ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ଚଟ୍ନୀ’ ଓ ‘ଦ ସ୍କୁଲ ବ୍ୟାଗ୍) ପ୍ରଦର୍ଶିତ ହୋଇଥିଲା।