ଜଣେ କବି ହୁଅନ୍ତୁ ବା ଲେଖକ, ସେ ବାସ କରୁଥିବା ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସଂପର୍କରେ ନିଜ ଲେଖାରେ ନିଶ୍ଚିତ ରୂପେ ଭଲ ଭାବେ ପ୍ରତିନିଧିତ୍ବ କରିପାରିବେ। କିନ୍ତୁ ତାଙ୍କର ପରିଚୟ ପରିବର୍ତନୀୟ। ନିର୍ଦିଷ୍ଟ ଭୌ‌େଗାଳିକ ସୀମା ଦ୍ବାରା ଆବଦ୍ଧ ନୁହେଁ।

Advertisment

ଆଜି ପୂର୍ବାହ୍ନରେ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ପରିସରରେ ଅନୁଷ୍ଠିତ ଟାଟା ଷ୍ଟିଲ୍‌-ସମ୍ବାଦ ଭୁବନେଶ୍ବର ଲିଟରାରି ମିଟ୍‌ର ‘ସାତ ଭଉଣୀଙ୍କଠାରୁ କାହାଣୀ’ ଶୀର୍ଷକ ଆଲୋଚନାରେ ଏଭଳି ମତପ୍ରକାଶ ପାଇଥିଲା। ଆସାମର ଇଂରାଜୀ ଲେଖିକା ମିତ୍ରା ଫୁକାନ୍‌ କହିଥିଲେ, ଆମେ ଯେଉଁ ସ୍ଥାନର ବାସିନ୍ଦା, ସେଠାକାର ବିଷୟ, ଲୋକଙ୍କ କାହାଣୀ ଭଲ ଭାବେ ଲେଖିପାରିବ। ଏହା ଆମ ସପକ୍ଷରେ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ତଥାପି ଲେଖକ ଭାବେ ନିଜସ୍ବ ପରିଚୟ ‌ନିର୍ଦିଷ୍ଟ ଅଞ୍ଚଳ ସହିତ ସୀମିତ କରିଦେବା ଠିକ୍‌ ହେବନାହିଁ। ଅନ୍ୟତମ ଲେଖିକା ପ୍ରଜ୍ବଲ ପରଜୁଲି କହିଲେ, ସେ ଆସାମ, ବଙ୍ଗ, ତେଲେଙ୍ଗାନା ଆଦି ରାଜ୍ୟ ସହିତ ଜଡ଼ିତ। ଏଣୁ ନିର୍ଦିଷ୍ଟ ଭୌଗୋଳିକ ସୀମା ଜଣେ ଲେଖକଙ୍କୁ ସୀମିତ କରିପାରିବ ନାହିଁ। ନେପାଳୀ ତଥା ଇଂରାଜୀ ଭାଷାରେ ଲେଖୁଥିବା ଲେଖକ ନବୀନା ଦାସ ତାଙ୍କର ଲେଖକ ସୀମା ସରହଦ ଦେଶ ଭିତରେ ସୀମାବଦ୍ଧ ନୁହେଁ ବୋଲି କହିଥିଲେ।

ଆଲୋଚନାକୁ ସଂଯୋଜନା କରିଥିଲେ କବି ମାଳବିକା ବାନାର୍ଜୀ। ପ୍ରଜ୍ବଲ ପରଜୁଲିଙ୍କ ପୁସ୍ତକକୁ ଲେଖିକା ଚୌଧୁରୀ ରଂଜିତା ପ୍ରହରାଜ ‘ବୁର୍ଖାଘର ଝିଅ’ ନାମରେ ଓଡ଼ିଆରେ ଅନୁବାଦ କରିଛନ୍ତି। ଏହି ଅବସରରେ ସେହି ପୁସ୍ତକକୁ ଲେଖିକା ପରଜୁଲି ଉନ୍ମୋଚନ କରିଥିଲେ।