ଶିଶୁ, ଯୁବ ‌ଲେଖକଙ୍କୁ ରସ୍କିନ ବଣ୍ଡ୍‌ଙ୍କ ପରାମର୍ଶ : ‘ନିଜେ ନିଜର ହୁଅ’

ଭୁବନେଶ୍ବର : ଭଲ ଲେଖକ ହେବା ପାଇଁ କୌଣସି ଗୁପ୍ତ କଥା ନାହିଁ। ଏଥିପାଇଁ କାହାରି ପଦାଙ୍କ ଅନୁସରଣ କରିବା ଦରକାର ନାହିଁ। ବହୁତ ପୁସ୍ତକ, ପତ୍ରିକା ପଢ଼ାପଢ଼ି କର। ନିଜେ ନିଜର ହୁଅ। ଫଳରେ ତମେ ଆନନ୍ଦ ଓ ଆତ୍ମସନ୍ତୋଷ ପାଇବ। ଏ କଥା କହିଛନ୍ତି ବିଟ୍ରିସ୍‌ ବ‌ଂ‌େଶାଦ୍ଭବ ଭାରତୀୟ ପ୍ରଖ୍ୟାତ ଲେଖକ ରସ୍କିନ ବଣ୍ଡ୍‌।

ଆଜି ଏକ୍ସଆଇଏମ୍‌ବି ପରିସରରେ ଅନୁଷ୍ଠିତ ଟାଟା ଷ୍ଟିଲ୍‌-ସମ୍ବାଦ ଭୁବନେଶ୍ବର ଲିଟରାରି ମିଟ୍‌ର ‘ଶିଶୁଙ୍କୁ ବହି ସହିତ ଯୋଡ଼ିବା’ ଶୀର୍ଷକ ଆଲୋଚନାରେ ଶ୍ରୀ ବଣ୍ଡ୍‌ ଭଲ ଲେଖକ ଆଶାୟୀ ଶିଶୁ ଓ ଯୁବ ଲେଖକଙ୍କୁ ଉପରୋକ୍ତ ପରାମର୍ଶ ଦେଇଥିଲେ। ସେ କହିଥିଲେ, ଏଥିପାଇଁ ଶୃଙ୍ଖଳା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେବେ ସେ ଦିନରେ ଅନେକ ସମୟ ପଢ଼ାପଢ଼ିରେ ବିତାଉଥିବା ବେଳେ ମାତ୍ର ଦୁଇଘଣ୍ଟା ଲେଖିବାରେ ସମୟ ଦେଇଥା‌ନ୍ତି। ଏତିକି ତାଙ୍କ ପାଇଁ ଯଥେଷ୍ଟ ବୋଲି ସେ ମନେ କରନ୍ତି। ଅଧିକ କାମ କରିବା ତାଙ୍କ ଜାତକରେ ନାହିଁ କି ସେ ସେଥିରେ ବିଶ୍ବାସ କରନ୍ତି ନାହିଁ। ସେହିପରି ଏକା ସାଙ୍ଗରେ ୪/୫ଟି କାହାଣୀ ଧରି ଲେଖିବା ମଧ୍ୟ ଜଣେ ଲେଖକ ପାଇଁ ଉପଯୁକ୍ତ ରାସ୍ତା ନୁହେଁ ବୋଲି ସେ କହିଥିଲେ।

ସେହିପରି ଜଣେ ଭଲ ଲେଖକ ହେବା ପାଇଁ ଭାଷା ଉପରେ ଯଥେଷ୍ଟ ନିୟନ୍ତ୍ରଣ ଓ ବ୍ୟାକରଣ ଉପରେ ମଧ୍ୟ ଜ୍ଞାନ ରହିବା ଆବଶ୍ୟକ ବୋଲି ଶ୍ରୀ ବଣ୍ଡ୍‌ କହିଥିଲେ। ଗୋଟିଏ ଶ୍ରେଣୀର ଲେଖକ ଜନ୍ମଗତ ଭାବେ ଉଚ୍ଚକୋଟୀର। ସେମାନଙ୍କର ଭାଷା, ଚରିତ୍ର ଉପରେ ଭଲ ଦଖଲ ରହିଥାଏ। ସେହି ଦକ୍ଷତା ଭଗବାନଙ୍କ ଦାନ ବୋଲି କୁହାଯାଏ। କିନ୍ତୁ ଅଧିକାଂଶ ଲେଖକ ସାଧନା ଜରିଆରେ ପ୍ରତିଷ୍ଠା ଅର୍ଜନ କରିପାରିଥାନ୍ତି। ସେ ନିଜେ ୬୫ ବର୍ଷ ଧରି ଲେଖୁଛନ୍ତିି। ଯଦିଓ ଭୂତଙ୍କ ଉପରେ ତାଙ୍କର ବିଶ୍ବାସ ନାହିଁ, ଭୂତ ଉପରେ ସେ ଅନେକ ଗଳ୍ପ ଲେଖିଛନ୍ତିି। ବିଶେଷ କରି ତାଙ୍କ ଲେଖା କଳ୍ପନାପ୍ରସୂତ। ତେବେ ଏସବୁ ପଛରେ ଦର୍ଶନ ରହିଥିବା ସେ କହିଥିଲେ।

ଶ୍ରୀ ବଣ୍ଡ ନିଜର ପୃଷ୍ଠଭୂମି ସଂପର୍କରେ ଦୁଇପଦ କହିଥିଲେ। ଆଲୋଚନା ପ୍ରାରମ୍ଭରେ ପ୍ରଥମ ପୁସ୍ତକ ପ୍ରକାଶ କରିଥିବା ୧୦ ବର୍ଷ ବୟସର ଶିଶୁ ଲେଖିକା ଆନନ୍ଦିନୀ ମିଶ୍ର ତାଙ୍କୁ ତାଙ୍କର ପ୍ରଥମ ପ୍ରେରଣା ବୋଲି କହିଥିଲେ। ଲେଖା ତାଙ୍କ ପାଇଁ ଆବେଗରେ ପରିଣତ ହୋଇସାରିଛି। ଲକ୍ଷ୍ୟ ଓ ପ୍ରତିଜ୍ଞା ଦୃଢ଼ ଥିଲେ ଆପଣାଛାଏଁ ନିଜସ୍ବ ଇପ୍‌ସିତ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ କହିଥିଲେ। ଏହି ଅବସରରେ ଅନେକ ଛାତ୍ରଛାତ୍ରୀ ଓ ଲୋକ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ବନ୍ୟପ୍ରାଣୀ ଓ ଭ୍ରମଣ ପୁସ୍ତକ ଲେଖକ ବିକ୍ରମ ଗ୍ରେୱାଲ୍‌ ଆଲୋଚନାକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର