ଜଣେ ବ୍ୟକ୍ତି ଆଉ ଜଣେ ଅପରିଚିତ ବ୍ୟକ୍ତିଙ୍କ ପ୍ରତି କେତେ ବା ଦୟାଶୀଳ ହୋଇପାରେ? ଜୀବନରେ ଥରେ ମାତ୍ର ସାକ୍ଷାତରେ ସାମାନ୍ୟ ଚିହ୍ନା ହୋଇଥିବା ଜଣେ ଅପରିଚିତଙ୍କୁ କିଏ ବା କିଡ୍ନି ପରି ଅମୂଲ୍ୟ ଅଙ୍ଗ ଦାନ କରିପାରିବ? ମାତ୍ର ଜଣେ ଟାକ୍ସି ଚାଳକ ଏପରି ମହତ୍ ଦାନ କରି ସମାଜରେ ତଥାପି ମାନବିକତା ବଞ୍ଚି ରହିଛି ବୋଲି ପ୍ରମାଣିତ କରିଛନ୍ତି। ସେ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ଜର୍ସିରେ ରହୁଥିବା ଟିମ୍ ଲେଟ୍ସ। ତାଙ୍କର ଏହି ବିରଳ ଦାନରେ ବିଲ୍ ସୁମିଏଲ୍ ନାମ୍ନୀ ୭୩ ବର୍ଷୀୟ ଅବସରପ୍ରାପ୍ତ ସେନାଧିକାରୀ ନୂତନ ଜୀବନ ଜିଇବା ଆରମ୍ଭ କରିଛନ୍ତି।
ଆମେରିକା ସେନାରୁ ଅବସର ନେଇଥିବା ବୃଦ୍ଧ ସୁମିଏଲ୍ କିଡ୍ନି ଜନିତ ରୋଗରେ ଭୀଷଣ ଭାବେ ପୀଡ଼ିତ। ତେଣୁ ସେ ନିୟମିତ ଡାଇଲିସିସ୍ ଉପରେ ନିର୍ଭର କରୁଥିବା ବେଳେ କିଛିଦିନ ତଳେ ସେ ଏଥିପାଇଁ ଏକ କାର ଭଡ଼ା କରି ଡାଇଲିସିସ୍ କେନ୍ଦ୍ରକୁ ଯାଉଥିଲେ। ସେହି ଗାଡ଼ିଟିର ଚାଳକ ଥିଲେ ଲେଟ୍ସ। ବାଟରେ ଗଲା ବେଳେ ସୁମିଏଲ୍ଙ୍କ ଶାରୀରିକ ଅସୁସ୍ଥତା ସମ୍ପର୍କରେ ଲେଟ୍ସ ଜାଣିବାକୁ ପାଇଥିଲେ। ତେବେ କଥା ଛଳରେ ଲେଟ୍ସ ନିଜର ଗୋଟିଏ କିଡ୍ନି ସୁମିଏଲ୍ଙ୍କୁ ଦେବାକୁ ପ୍ରସ୍ତୁତ ଥିବା କହିଥିଲେ, ତାହା ପୁଣି ବିନା ସ୍ବାର୍ଥରେ। ସୌଭାଗ୍ୟକୁ ଲେଟ୍ସଙ୍କ କିଡନି ମଧ୍ୟ ତାଙ୍କଠାରେ ଖାପ ଖାଇବ ବୋଲି ପରୀକ୍ଷା ନିରୀକ୍ଷାରୁ ଜଣାପଡ଼ିଥିଲା। ବାସ୍, ତାହାପରେ ନିର୍ଦ୍ଧାରିତ ଦିନ ସୁମିଏଲ୍ଙ୍କ ଠାରେ ଲେଟ୍ସଙ୍କ କିଡ୍ନି ପ୍ରତିରୋପଣ କରାଯାଇଥିଲା ଏବଂ ଦୁଇ ନୂତନ ବନ୍ଧୁଙ୍କ ଖୁସି କହିଲେ ନ ସରେ। ସୁମିଏଲ୍ ତାଙ୍କ ଜୀବନ ବଞ୍ଚାଇଥିବା ଚିରଦିନର ବନ୍ଧୁ ଲେଟ୍ସଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/9-3.jpg)