ଟ୍ୟାକ୍ସି ଚାଳକ ଥିବା ଭାରତୀୟ ମହିଳା ହେଲେ ପୁଲିସ ଅଫିସର

ନୂଆଦିଲ୍ଲୀ: ସ୍ବପ୍ନ ପୁରା କରିବା ପାଇଁ ସ୍ବପ୍ନ ଦେଖିବାକୁ ହୋଇଥାଏ। ଏହି ସ୍ବପ୍ନ ପୁରା କରିବା ପାଇଁ ନିଜ ଉପରେ ଆତ୍ମବିଶ୍ବାସ ରଖିବାକୁ ହୋଇଥାଏ।

ନିକଟରେ ୫୨ବର୍ଷୀୟ ମନଦୀପ କୌର ପିଲା ବେଳେ ଦେଖିଥିବା ସ୍ବପ୍ନକୁ ପୁରା କରିଛନ୍ତି। ମନଦୀପଙ୍କ ମା’ ପିଲାଦିନେ କହିଥିଲେ କି ଯଦି ତୁ ପୁଅଟେ ହୋଇଥାଆନ୍ତୁ ତେବେ ପୁଲିସରେ ଚାକିରିଟିଏ କରିଥାଆନ୍ତୁ। ମା’ଙ୍କ ଏହି ସ୍ବପ୍ନକୁ ଝିଅ ହୋଇ ପୁରା କରାଇ ଦେଖାଇବେ ବୋଲି ମନଦୀପ ସେହି ଦିନ ହିଁ ସ୍ଥିର କରି ଦେଇଥିଲେ। ନ୍ୟୁଜିଲ୍ୟାଣ୍ଡରେ ପୁଲିସର ପ୍ରଥମ ଭାରତୀୟ ମହିଳା ଯିଏକି ସିନିୟର ସର୍ଜେଟ ପଦରେ ନିଯୁକ୍ତି ପାଇଛନ୍ତି।

ଏହି ସଫଳତା ପାଇବାକୁ ହେଲେ ମନଦୀପଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି। ପଞ୍ଜାବର ମାନସାର ଏକ ଗ୍ରାମ କମାଲୁରେ ମନଦୀପ ବସବାସ କରୁଥିଲେ। ତାଙ୍କର ୧୮ବର୍ଷ ବୟସରେ ବିବାହ ହୋଇଯାଇଥିଲା। ଦାମ୍ପତ୍ୟ ଜୀବନ ତାଙ୍କର ସଠିକ ଭାବେ ନଚାଲିବାରୁ ୧୯୯୨ ମସିହାରେ ବିବାହ ବିଚ୍ଛେଦ ହୋଇଯାଇଥିଲା। ଦୁଇଟି ସନ୍ତାନ ସହିତ ସେ ବାପ ଘରେ ଆସି ରହିଥିଲେ।

୧୯୯୬ ମସିହାରେ ସେ ପିଲାଙ୍କୁ ତାଙ୍କ ବାପ ଘରେ ଛାଡ଼ି ଦେଇ ରୋଜଗାର ପାଇଁ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ। ସେହି ସମୟରେ ଇଂରାଜୀ ବି ତାଙ୍କୁ କହି ଆସୁ ନଥିଲା। ସେ ସେଠାରେ ସେଲସ୍ ପର୍ସନ ଭାବେ କାମ କରିବା ଆରମ୍ଭ କରିଥିଲେ। ଏହାପରେ ୧୯୯୯ରେ ମନଦୀପ ନ୍ୟୁଜିଲ୍ୟାଣ୍ଡ ସିଫ୍ଟ ହୋଇ ଟ୍ୟାକ୍ସି ଚାଳକର କାମ କରିଥିଲେ।

ଏହି ସମୟରେ ସେ ଜ‌ଣେ ବ୍ୟକ୍ତିଙ୍କୁ ନିଜର ପିଲାଦିନର ପୁଲିସ ହେବା ସ୍ବପ୍ନକୁ ଜଣାଇଥିଲେ। ଏହାପରେ ସେ ପୁଲିସରେ ଭର୍ତ୍ତି ହେବା ପାଇଁ ଚେଷ୍ଟା କରିଥିଲେ।  ଏଥିପାଇଁ ତାଙ୍କୁ ୨୦କିଲୋ ଓଜନ କମ କରିବା ପାଇଁ ହୋଇଥିଲା। ୨୦୦୪ରେ ସେ ସିନିୟର କନେଷ୍ଟବଳ ଭାବେ ଯୋଗ ଦେଇଥିବା ବେଳେ ନିକଟରେ ମନଦୀପ ସିନିୟର ସରଜେଟ ହୋଇଛନ୍ତି।

ସମ୍ବନ୍ଧିତ ଖବର