ବରେଲି: ବିନା କୋଚିଂରେ ହେଲେ ଆଇଏଏସ ଅଫିସର। ଆଇଏଏସ ଭଳି ପଦବୀ ପାଇବା ପାଇଁ ପିଲାମାନେ ଅନେକ କଷ୍ଟ କରିବା ସହ ବଡ଼ ବଡ଼ ଇନଷ୍ଟିଚ୍ୟୁଟ ଯାଇଥାନ୍ତି। ଏଥିରେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ। ଅନେକ ସମୟରେ ଯେଉଁମାନଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥାଏ, ସେମାନଙ୍କୁ ବାଧ୍ୟ ହୋଇ ନିଜର ସ୍ବପ୍ନକୁ ମାରିଦେବାକୁ ପଡ଼େ। ହେଲେ ଉତ୍ତରପ୍ରଦେଶର ବରେଲିରେ ରହୁଥିବା ହିଂମାଶୁ ଗୁପ୍ତାଙ୍କ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ। ପାଠ ପଢ଼ିବା ପାଇଁ ଅର୍ଥ ବାଧକ ସାଜିଥିଲା ସତ, ହେଲେ ସେ ହାର ମାନିନଥିଲେ। ଆଇଏଏସ ଅଫିସର ହେବା ପାଇଁ କୋଚିଂର ଆବଶ୍ୟକତା ଥିବା ବେଳେ ହିଂମାଶୁଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ କୋଚିଂ ନେଇପାରିନଥିଲେ। ଏମିତିକି ତାଙ୍କୁ ଚା’ ମଧ୍ୟ ବିକିବାକୁ ପଡ଼ିଥିଲା। ହେଲେ ସବୁ ସଂଘର୍ଷ ମଧ୍ୟରେ ତାଙ୍କର ଆଇଏଏସ ଅଫିସର ହେବାର ସ୍ବପ୍ନ ମରିନଥିଲା, ଯାହା ପାଇଁ ସେ ଆଜି ଆଇଏଏସ ଅଫିସର ବନିପାରିଛନ୍ତି।
ହିଂମାଶୁ ଗୁପ୍ତାଙ୍କ କହିବା ମୁତାବକ, ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜରୁ ସ୍ନାତକ ହାସଲ କରିବା ପରେ ଆଇଏଏସ ଅଫିସର ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଘର ଚଳାଇବା ପାଇଁ ସେ ଚା’ ବିକିବା ସହ ସବୁଦିନ ଖବରକାଗଜ ପଢ଼ୁଥିଲେ। ଏହା ପରେ ପରିବାର ଚଳାଇବା ପାଇଁ ସେ ଏକ ସରକାରୀ କଲେଜରେ ରିସର୍ଚ୍ଚ ସ୍କଲାର ଭାବରେ ଯୋଗ ଦେଇଥିଲେ। ଏଥିରେ ତାଙ୍କୁ ଷ୍ଟାଇପେଣ୍ଡ ମିଳିବା ସହ ଆଇଏଏସ ପରୀକ୍ଷା ପାଇଁ ସେ ନିଜକୁ ପ୍ରସ୍ତୁତ କରିପାରିଥିଲେ। କୋଚିଂ ନେଉନଥିବାରୁ ସେ ୨ଥର ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇପାରିନଥିଲେ ମଧ୍ୟ ତୃତୀୟ ଚେଷ୍ଟାରେ ସେ ଉତ୍ତିର୍ଣ୍ଣ ହୋଇଥିଲେ।
ଏହି ସଫଳତା ମିଳିବା ପରେ ସେ କହିଛନ୍ତି ଯେ, ଆପଣ ଯେକୌଣସି ସ୍ଥାନରୁ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ। ୟୁପିଏସସି କିମ୍ବା ଅନ୍ୟ କୌଣସି ବଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ବଡ ସହରକୁ ଯିବାର କୌଣସି ଆବଶ୍ୟକତା ନାହିଁ।