ଶିଲଂ: ପ୍ରତ୍ୟେକ ମଣିଷର ସଫଳତା ପଛରେ ଏକ ସଂଘର୍ଷର କାହାଣୀ ରହିଥାଏ। ଏମିତି ଏକ କାହାଣୀ ମେଘାଳୟର ରିଫିନେସ ୱାର୍ଜରୀଙ୍କର ବି ରହିଛି।ରାସ୍ତା ପାର୍ଶ୍ୱରେ ଚା ଏବଂ ନୁଡୁଲ୍ସ ବିକ୍ରି କରିବା ଠାରୁ ଆରମ୍ଭ କରି ସାତଟି ମହାଦେଶର ସର୍ବୋଚ୍ଚ ଶିଖର ଆରୋହଣ କରିବାର ସ୍ୱପ୍ନ ଦେଖିବା ଥିବା ମେଘାଳୟର ରିଫିନେସ ୱାର୍ଜରୀ ତାଙ୍କ ସଂଘର୍ଷମୟ ଯାତ୍ରାକୁ ବଖାଣିଛନ୍ତି।

Advertisment

୨୦ ବର୍ଷୀୟ ପର୍ବତାରୋହୀ ୱାର୍ଜରୀ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଆରୋହଣ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏହାସହିତ ୱାର୍ଜରୀ ସଫଳତାର ସହିତ ଏଭରେଷ୍ଟ ଆରୋହଣ କରିଥିବା ମେଘାଳୟର ସର୍ବକନିଷ୍ଠ ପର୍ବତାରୋହୀ ତାଲିକାରେ ସ୍ଥାନ ପାଇଛନ୍ତି।

ରିଫିନିସଙ୍କ ଜନ୍ମ ମେଘାଳୟର ପୂର୍ବ ଖାସି ହିଲ୍ସ ଜିଲ୍ଲାର ନୋଙ୍ଗଥିମାଇ ଅଞ୍ଚଳରେ ହୋଇଥିଲା। ରିଫିନିସ ଏବଂ ତାଙ୍କ ପରିବାର ଏବେ ଶିଲଂର ଉପକଣ୍ଠରେ ରହୁଛନ୍ତି। ରିଫିନିସ ଏକ ସାଧାରଣ ପରିବାରରୁ ଆସିଛନ୍ତି, ତାଙ୍କ ମାଆ ରାସ୍ତା ପାର୍ଶ୍ୱରେ ଏକ ଚା ଏବଂ ନୁଡୁଲ୍ସ ଦୋକାନ ଚଳାଉଥିବା ବେଳେ ବାପା କୁକୁଡ଼ା ବିକ୍ରି କରିଥାଆନ୍ତି।

ମାଉଣ୍ଟ ଏଭରେଷ୍ଟ ଚଢ଼ିବା ପରଠାରୁ ରିଫିନିସ ଅନେକ ସମ୍ମାନ ଏବଂ ସ୍ୱୀକୃତି ପାଇଛନ୍ତି। ଏହା ସତ୍ତ୍ବେ ବି ସେ ସମୟସମୟରେ ତାଙ୍କ ମା’ଙ୍କ ଦୋକାନକୁ ଯାଇ ଟେବୁଲ ସଫା କରିବା ଠାରୁ ଆରମ୍ଭ କରି ଚା ପରିବେଷଣ କରିବା ପର୍ଯ୍ୟନ୍ତ କାମ କରିଥାଆନ୍ତି। 

ରିଫିନିସ ତାଙ୍କ ମାଉଣ୍ଟ ଏଭରେଷ୍ଟ ଯାତ୍ରାକୁ ନେଇ କହିଛନ୍ତି, "ପାହାଡ଼ ଆମକୁ ନମ୍ର ହେବାକୁ ଶିଖାଇଥାଏ। ଯେତେବେଳେ ମୁଁ ଏଭରେଷ୍ଟ ପର୍ବତରେ ଠିଆ ହେଲି, ମୁଁ ଅନୁଭବ କଲି ଯେ ଆମେ କେତେ ଛୋଟ ଏବଂ ନମ୍ର। ଏହା ଏକ ଶିକ୍ଷା ଯାହା ମୁଁ ମୋ ସହିତ ନେଇ ଫେରିଥିଲି। ଯାହାକୁ ଆଜି ପର୍ଯ୍ୟନ୍ତ ମୁଁ ସମସ୍ତଙ୍କ ସହିତ ବାଣ୍ଟି ଚାଲିଛି। ସ୍ବପ୍ନ ଦେଖୁଥିବା ପ୍ରତିଟି ପିଲାଙ୍କୁ ସର୍ବଦା ମୋର ଗୋଟିଏ ବାର୍ତ୍ତା ନିଜ ଉପରେ ବିଶ୍ୱାସ ରଖ ଏବଂ ଆଗକୁ ବଢ଼ିଚାଲ। ସଫଳତା ଅପଣାଛାଏଁ ମିଳିବ।"

ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗମା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରିଫିନିସଙ୍କ ସଫଳତାକୁ ପ୍ରଶଂସା କରିବା ସହିତ ସମାଜ ପାଇଁ ସେ ପ୍ରେରଣା ବୋଲି ପ୍ରତିକ୍ରିୟା ଦେଇଛନ୍ତି।