ଭିଲୱାରା: ରାଜସ୍ଥାନର ଭିଲୱାରା ସରକାରୀ ସ୍କୁଲଗୁଡ଼ିକ ଖରାପ ଅବସ୍ଥା ପାଇଁ ପ୍ରାୟତଃ ସମାଲୋଚନା ପରିସରକୁ ଆସିଥାଏ। ଏଭଳି ସମୟରେ ଭିଲୱାରାର ନନ୍ଦରାଇ ଗାଁର ସ୍କୁଲ ଶିକ୍ଷକଙ୍କ ଅନନ୍ୟ ପଦକ୍ଷେପ ଚର୍ଚ୍ଚାରେ ରହିଛି। 

Advertisment

ସୂଚନାଯୋଗ୍ୟ,  ନନ୍ଦରାଇର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଦ୍ୱାଦଶ ଶ୍ରେଣୀରେ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ବିମାନ ଯାତ୍ରା କରିବାର ସୁଯୋଗ ଦେଇଛନ୍ତି। ଶିକ୍ଷକ ଦ୍ବୟଙ୍କ ଏଭଳି ପଦକ୍ଷେପ କେବଳ ଶିକ୍ଷା ପ୍ରତି ନୂତନ ଉତ୍ସାହ ସୃଷ୍ଟି କରି ନାହିଁ ବରଂ ଶିକ୍ଷକମାନଙ୍କ ଦୃଢ଼ ନିଷ୍ପତ୍ତି ଶିକ୍ଷାର ଦୃଶ୍ୟପଟକୁ ପରିବର୍ତ୍ତନ କରିପାରିବ ତାହାକୁ ମଧ୍ୟ ଦର୍ଶାଇଛି। 

ଶିକ୍ଷକ ଶଙ୍କରଲାଲ ଜାଟ ଏବଂ ଶିକ୍ଷକ ଅଜୟ କୁମାର ସ୍କୁଲର ହାରାହାରି ଫଳାଫଳକୁ ଉନ୍ନତ କରିବା ପାଇଁ ଅନେକ ପ୍ରୟାସ କରିଥିଲେ। ଶିକ୍ଷକ ଅଜୟ କୁମାର ପ୍ରାର୍ଥନା ସଭାରେ ଘୋଷଣା କରିଥିଲେ ଯେ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ବିମାନ ଯାତ୍ରା କରିବାର ସୁଯୋଗ ଦିଆଯିବ।’ 

ଛାତ୍ରଛାତ୍ରୀଙ୍କ ଉପରେ ଏହି ଘୋଷଣାର ଏକ ଯାଦୁକରୀ ପ୍ରଭାବ ପଡ଼ିଲା। ଚଳିତ ପରୀକ୍ଷାରେ ଦ୍ୱାଦଶ ଶ୍ରେଣୀର ୫୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮ ଜଣ ୭୦ପ୍ରତିଶତରୁ ଅଧିକ ନମ୍ବର ହାସଲ କରିଥିବା ବେଳେ ପାଞ୍ଚ ଜଣ ଛାତ୍ରଛାତ୍ରୀ  ନୀଲମ, ରାଧା, ତନୁ, ସାନ୍ତାରା ଏବଂ ଅସ୍ମିତ ୯୦ପ୍ରତିଶତରୁ ଅଧିକ ନମ୍ବର ରଖି କଠିନ ପରିଶ୍ରମର ଫଳ ପାଇଥିଲେ।

ପ୍ରଧାନଶିକ୍ଷକ ଶଙ୍କରଲାଲ ଜାଟ ଏବଂ ଶିକ୍ଷକ ଅଜୟ କୁମାର ଦେଇଥିବା ପ୍ରତିଶ୍ରୁତି ପାଳନ କରି ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଦାମନ-ଡ଼ିଉର ଏକ ବିମାନ ଯାତ୍ରାର ବ୍ୟବସ୍ଥା କରିଥିଲେ। 

ଗାଁର ବୟସ୍କମାନେ ଶିକ୍ଷକଙ୍କ ଏଭଳି ପଦକ୍ଷେପକୁ ନେଇ କହିଥିଲେ, ‘ସେମାନେ କେବେ କଳ୍ପନା କରି ନ ଥିଲେ ଯେ ସେମାନଙ୍କ ଗାଁର ପିଲାମାନେ ବିମାନରେ ଉଡ଼ିବେ।