ନୂଆଦିଲ୍ଲୀ: ଗୁଜୁରାଟର ବନାସକଣ୍ଠା ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତାଙ୍କର ଅନନ୍ୟ ଶିକ୍ଷାଦାନ ପ୍ରଣାଳୀ ସହିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କୋଭିଡ -୧୯ ମହାମାରୀ ପରେ ହିଁ ନିଲମଭାଇ ଚମନଭାଇ ପଟେଲ ଏକ ନିଆରା ଶିକ୍ଷାଦାନ ପ୍ରଣାଳୀ ବିଷୟରେ ଚିନ୍ତା କରିଥିଲେ। ଯାହା ଗାଁର ପିଲାମାନଙ୍କୁ ଶିକ୍ଷା ଦେବା ସହିତ ଉତ୍ସାହିତ କରିଥିଲା। ତାଙ୍କର ଏହି ପ୍ରୟାସ ପାଇଁ ବିଭିନ୍ନ ଆଖ୍ୟାରେ ତାଙ୍କୁ ସମ୍ମାନିତ କରାଯାଇଛି।
ନିଲମଭାଇ ବନାସକାଣ୍ଠା କାଙ୍କରେଜସ୍ଥିତ ଶ୍ରୀ ହରିନଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଟନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ପାଟନ ଜିଲ୍ଲାର ବାଲିସାନା ଗାଁର ବାସିନ୍ଦା ଏବଂ ଗତ ୧୬ ବର୍ଷ ଧରି ନିଲମଭାଇରେ ଶିକ୍ଷକ ଭାବରେ ପିଲାଙ୍କୁ ଶିକ୍ଷାଦାନ ଦେଇଆସୁଛନ୍ତି।
ସେ ଜଣେ ଶିକ୍ଷକ ଭାବେ ଶିକ୍ଷାଦାନ ଆରମ୍ଭ କରିବା ଦିନଠାରୁ ଅନେକ ଗ୍ରାମରେ ଶିକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ବିଦ୍ୟାଳୟ ସମଗ୍ର ଗାଁରେ ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବାରେ ସକ୍ଷମ ହୋଇଛି । ଶ୍ରୀ ହରିନାଗର ପ୍ରାଥମିକ ବିଦ୍ୟାଳୟରେ ୭୦ ରୁ ଅଧିକ ପିଲା ପାଠପଢ଼ୁଛନ୍ତି।
ଲକ୍-ଡାଉନ୍ ସମୟରେ ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯାଇଥିଲା। ସରକାର ଅନଲାଇନ ଶିକ୍ଷା ଘୋଷଣା କରିଥିଲେ। ଏହି ସମୟରେ ଶିକ୍ଷକ ନିଲମଭାଇ ଏକ ସ୍ବତନ୍ତ୍ର ଶୈଳୀରେ ପିଲାଙ୍କୁ ପାଠପଢ଼ାଇବା ଆରମ୍ଭ କରିଥିଲେ। କାରଣ ଅର୍ଥ ଅଭାବରୁ ଅନେକ ପିଲା ଡିଜିଟାଲ ଶିକ୍ଷାରୁ ବଞ୍ଚିତ ହେଉଥିଲେ।
ତେଣୁ ନିଲମଭାଇ ରାସ୍ତାପାର୍ଶ୍ବରେ ପିଲାଙ୍କୁ ପାଠପଢ଼ାଇବା ଆରମ୍ଭ କରିଥିଲେ। ଏକ ଧଳା ରଙ୍ଗର ପଞ୍ଜାବୀ ପିନ୍ଧି ସେଥିରେ କିଛି ଇଂରାଜୀ ଶବ୍ଦ, ଗଣିତ ସୂତ୍ର ଓ ଅନ୍ୟନ୍ୟ ବିଷୟ ବସ୍ତୁକୁ ଲେଖି ଚିତ୍ରବିଚିତ୍ର କରିଥିଲେ। ଏହି ପଞ୍ଜାବୀରେ ଲେଖାଥିବା ପାଠକୁ ଅନୁକରଣ କରି ସେ ପିଲାଙ୍କୁ ପାଠ ପଢ଼ାଉଥିଲେ। ଆଉ ପିଲାବି ଏଭଳି ପାଠପଢ଼ାକୁ ଦେଖି ବେଶ ଉତ୍ସାହର ସହ ପଢ଼ୁଥିଲେ। ଏବେ ବି ସେ ପାଠପଢ଼ା ପାଇଁ ଏହି ପଞ୍ଜାବୀକୁ ବ୍ୟବହାର କରୁଛନ୍ତି।
Follow Us