ଆଜି ଆମ ଦେଶରେ ସର୍ବତ୍ର ‘ଗୁରୁ ଦିବସ’ ପାଳନ କରାଯାଉଛି। ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ। ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ର ମାନ୍ୟତା ମିଳିଛି। ଜଣେ ମହାନ୍ ପଣ୍ଡିତ, ଦାର୍ଶନିକ ଓ ‘ଭାରତରତ୍ନ’ ପ୍ରାପ୍ତ ରାଧାକୃଷ୍ଣନ୍ ତୁଳନାତ୍ମକ ଧର୍ମ ଓ ଦର୍ଶନ କ୍ଷେତ୍ରରେ ବିଂଶ ଶତାବ୍ଦୀର ବିଶିଷ୍ଟ ଭାରତୀୟ ବିଦ୍ବାନମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ସେ ଚେନ୍ନାଇର ପ୍ରେସିଡେନ୍ସି କଲେଜ ଓ କଲିକତା ବିଶ୍ବବିଦ୍ୟାଳୟ ସମେତ ଦେଶର ଓ ଆନ୍ତର୍ଜାତିକସ୍ତରୀୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରିଥିଲେ।
ସେ ୧୯୩୧ରୁ ୧୯୩୬ ଯାଏ ଆନ୍ଧ୍ର ବିଶ୍ବବିଦ୍ୟାଳୟର କୁଳପତି ଆସନ ମଣ୍ଡନ କରିଥିଲେ। ୧୯୩୬ରେ ତାଙ୍କୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରାଚ୍ୟ ଧର୍ମ ଓ ନୀତିଶାସ୍ତ୍ରର ପ୍ରଫେସର ପଦ ପାଇଁ ଆମନ୍ତ୍ରଣ କରାଯାଇଥିଲା ଏବଂ ସେ ୧୬ ବର୍ଷ ଧରି ସେ ଦାୟିତ୍ବରେ ରହିଥିଲେ। ତାଙ୍କର ଦାର୍ଶନିକ ମୂଳଦୁଆ ଅଦ୍ବୈତ ବେଦାନ୍ତରେ ନିହିତ ଥିଲା, ଯାହାକୁ ସେ ସମସାମୟିକ ଲୋକଙ୍କ ବୋଧଗମ୍ୟ ହେବା ପାଇଁ ପୁନଃବ୍ୟାଖ୍ୟା କରିଥିଲେ। ସେ ପାଶ୍ଚାତ୍ୟ ସମାଲୋଚନା ବିରୋଧରେ ସ୍ବର ଉତ୍ତୋଳନ କରି ହିନ୍ଦୁ ଧର୍ମର ଦୃଢ଼ ପ୍ରତିରକ୍ଷା କରିଥିଲେ। ଭାରତ ଓ ପାଶ୍ଚାତ୍ୟ ଜଗତ ମଧ୍ୟରେ ସେତୁ ନିର୍ମାଣକାରୀ ଭାବେ ରାଧାକୃଷ୍ଣନ୍ଙ୍କୁ ଗ୍ରହଣ କରାଯାଏ।