ଇତି ଊଣେଇଶ (ଶିକ୍ଷା) : ଧରାପଡ଼ିଲେ ନକଲି ଶିକ୍ଷକ/ଶିକ୍ଷୟିତ୍ରୀ

ଗଞ୍ଜାମରୁ ଆରମ୍ଭ କରି କେନ୍ଦ୍ରାପଡ଼ା, କଳାହାଣ୍ଡି, ଗଜପତି, ବୌଦ୍ଧ, ସବୁଠି ଧରା ପଡ଼ିଛନ୍ତି ନକଲି ଶିକ୍ଷକ/ଶିକ୍ଷୟିତ୍ରୀ। ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବା ଜଣାପଡ଼ିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚଢ଼ାଉ କରି ଧରିଥିଲା। ଅକ୍ଟୋବର ସୁଦ୍ଧା ପ୍ରାଥମିକ ବିଦ୍ୟାଳୟରେ ୧୫, ମାଧ୍ୟମିକ ବିଦ୍ୟାଳୟରେ ୭୬, ୧୨୫ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ଧରାପଡ଼ି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ସେହିପରି ଓୟୁଏଟି ପ୍ରବେଶିକା ପରୀକ୍ଷାରେ ବି ନକଲି ଛାତ୍ରଛାତ୍ରୀ ଧରାପଡ଼ିଥିଲେ।

ହଜିଗଲେ ଶିକ୍ଷକ
ଦୀର୍ଘ ୫ ବର୍ଷ ଧରି ରାଜ୍ୟରେ ୧୮୯ ଶିକ୍ଷକ ନିଖୋଜ ହୋଇଥିବା ଖବର ‌ଏବର୍ଷ ଚର୍ଚ୍ଚାର ଶୀର୍ଷରେ ଥିଲା। ସରକାରଙ୍କ ଖାତାରେ ସେମାନଙ୍କ ନାଁ ଗଡ଼ୁଥି‌ଲେ ମଧ୍ୟ ସ୍କୁଲକୁ ଆସୁନାହାନ୍ତି କି କାର୍ଯ୍ୟ କରୁନାହାନ୍ତି। ଏହାରି ଭିତରେ ଚଳିତବର୍ଷ ଉଭୟ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କିଛି ଶିକ୍ଷକ, ଅଧ୍ୟାପକ ପଦ ପୂରଣ ହେବା ଛାତ୍ରଛାତ୍ରୀଙ୍କ ଲାଗି ଆଶ୍ବାସନା ଆଣିଦେଇଛି। ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଶିକ୍ଷକ ଭବନ ନିର୍ମାଣ, ଅନ୍‌ଲାଇନ୍‌ରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବଦଳି ଆବେଦନ, ମଧ୍ୟାହ୍ନଭୋଜନରୁ ଶିକ୍ଷକଙ୍କୁ ନିବୃତ୍ତ ରଖିବା ପରି ଏକାଧିକ ପଦକ୍ଷେପ ଏଥର ନିଆଯାଇଛି।

ଶିକ୍ଷା ନୀତି ପାଇଁ ମାନସମନ୍ଥନ
କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଶିକ୍ଷାନୀତି-୨୦୧୯କୁ ନେଇ ତିନି ମାସ କାଳ ରାଜ୍ୟ ସରକାର ମାନସମନ୍ଥନ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀମାନେ ଘନ ଘନ ବୈଠକ କରି କୁଳପତି, ଶିକ୍ଷାବିତ୍‌, ଶିକ୍ଷକ ସଙ୍ଗଠନ, ଅଭିଭାବକ, ଶିକ୍ଷକ ସଙ୍ଗଠନଙ୍କ ମତାମତ ଲୋଡ଼ିଥିଲେ। ଶେଷରେ ତିନି ବିଭାଗର ମନ୍ତ୍ରୀ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ଶିକ୍ଷା ନୀତିରେ କିଛିଟା ପରିବର୍ତନ ଆଣିବାକୁ ମତ ରଖିଥିଲେ।

ନୂଆ ନିଯୁକ୍ତି, ନିଷ୍ପତ୍ତି
ମୋ’ ସ୍କୁଲ୍‌ର ଅଧ୍ୟକ୍ଷା ହେଲେ ସୁସ୍ମିତା ବାଗ୍‌ଚୀ
ଗଠନ ହେଲା ‘ମୋ କଲେଜ’, ଆକାଶ ଦାସ ନାୟକ ହେଲେ ପ୍ରଥମ ଅଧ୍ୟକ୍ଷ
ତିନିଟି ମେଡିକାଲ କଲେଜରେ ୧୦୦ ସିଟ୍‌ ବୃଦ୍ଧି
ଗବେଷଣା ପାଇଁ ବିଦେଶ ଗଲେ ଓୟୁଏଟି ଛାତ୍ରଛାତ୍ରୀ
ମାଟ୍ରିକ୍‌ରେ ‘ମିସନ ଜିରୋ’ ଓ ‌‘ମିସନ ଶହେ’
ଉଚ୍ଚଶିକ୍ଷାରେ ଗବେଷଣା ପାଇଁ ସିଡ୍‌ ପାଣ୍ଠିର ବ୍ୟବସ୍ଥା
ବାଣୀବିହାରରେ ଦିଆଗଲାନି ସମ୍ମାନସୂଚକ ଡକ୍ଟରେଟ୍‌
ପୱନ କୁମାର ଅଗ୍ରୱାଲ ଓୟୁଏଟି କୁଳପତି
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ହେଲେ ଗୋବିନ୍ଦ କେ ଚକ୍ରପାଣି
ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି ହରିହର ହୋତା
କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଆଇ ରାମବ୍ରହ୍ମମ୍‌
ଆର୍‌ କେ ଚୌହାନ ସୋଆ ବିଶ୍ବବିଦ୍ୟାଳୟ କୁଳପତି
ଓଡ଼ିଶା ବିଜ୍ଞାନ ଏକାଡେମିର ସଭାପତି ହେଲେ ପ୍ରଫେସର ପ୍ରମୋଦ କୁମାର ମିଶ୍ର

ସମ୍ବନ୍ଧିତ ଖବର