ଶିକ୍ଷକମାନଙ୍କୁ ନିର୍ବାଚନ କାମରୁ ମୁକ୍ତି ଦେବା ପାଇଁ ବିଚାର କରୁଛନ୍ତି ସରକାର!

ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଶିକ୍ଷାର ଗୁଣାବତ୍ତାରେ ସୁଧାର ଆଣିବା ପାଇଁ ଏଣିକି ସରକାର ଶିକ୍ଷକମାନଙ୍କୁ କେବଳ ଶିକ୍ଷାଦାନ କରିବା ବ୍ୟତୀତ ଅନ୍ୟ ସବୁ କାମରୁ ମୁକ୍ତି ଦେବା ପାଇଁ ଚେଷ୍ଟିତ ଅଛନ୍ତି। ଆଉ ଏଥିରେ ନିର୍ବାଚନ ସମୟରେ ଶିକ୍ଷକମାନେ କରୁଥିବା ଡ୍ୟୁଟିକୁ ପ୍ରାଧାନ୍ୟ ଦିଆଯାଉଥିବା ଜଣାପଡିଛି। ଏଣିକି ଶିକ୍ଷକମାନଙ୍କୁ ସରକାର ଏହି କାମରୁ ମୁକ୍ତି ଦେଇପାରନ୍ତି।

ତେବେ ଏହି ବାବଦରେ ସରକାର ନିକଟରେ ନିର୍ବାଚନ ଆୟୋଗଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଯେଉଁଥିରେ ଶିକ୍ଷକମାନଙ୍କ ପରିବର୍ତ୍ତେ ଅଙ୍ଗନୱାଡି କିମ୍ବା ଆଶା ଭଳି ସରକାରୀ ଯୋଜନାରେ ଯୋଡି ହୋଇଥିବା କର୍ମଚାରୀମାନଙ୍କର ସହାୟତାରେ ନିର୍ବାଚନ କାମ ତ୍ୱରାନ୍ଵିତ କରିବା ନିମନ୍ତେ ଆଲୋଚନା ହେଉଛି। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ଏ ବାବଦରେ ଏକ ଆଲୋଚନା ପତ୍ର ପଠାଯାଇଛି।

ବର୍ତ୍ତମାନ ଦେଶରେ ଚାଲିଥିବା ବ୍ୟବସ୍ଥା ଅନୁଯାୟୀ, ନିର୍ବାଚନ ସମୟରେ ସ୍କୁଲ ଗୁଡିକର ଅଧିକାଂଶ ଶିକ୍ଷକଙ୍କୁ ନିର୍ବାଚନ ଦାୟିତ୍ୱରେ ନିୟୋଜିତ କରାଯାଇଥାଏ। ନିର୍ବାଚନର ପାଖାପାଖି ୧ ମାସ ପୂର୍ବରୁ ଶିକ୍ଷକମାନଙ୍କୁ ଏଥିପାଇଁ ଟ୍ରେନିଂ ଦିଆଯାଇଥାଏ। ଯାହାଦ୍ୱାରା ସ୍କୁଲରେ ପାଠପଢା ଏକ ପ୍ରକାର ଠପ୍‌ ହୋଇଯାଇଥାଏ। ଆଉ ଏଥି ମଧ୍ୟରେ ଅଧିକାଂଶ ନିର୍ବାଚନ ଏପରି ସମୟରେ ହୋଇଥାଏ, ଯେତେବେଳେ ସ୍କୁଲଗୁଡିକରେ ପରୀକ୍ଷା ଚାଲିଥାଏ କିମ୍ବା ପରୀକ୍ଷା ହେବା ପାଇଁ ଯାଉଥାଏ। ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକମାନଙ୍କର ସବୁଠୁ ଅଧିକ ଆବଶ୍ୟକତା ପଡିଥାଏ। ଏହାକୁ ଦୃଷ୍ଟିରେ ରଖି ଏବେ ସରକାର ଶିକ୍ଷକମାନଙ୍କୁ ନିର୍ବାଚନ କାମରୁ ମୁକ୍ତି ଦେବା ପାଇଁ ଚିନ୍ତା କରୁଛନ୍ତି।

ସମ୍ବନ୍ଧିତ ଖବର