ଅସହାୟକୁ ସାହା ‘ଟିମ୍‌ ହ୍ୟୁମାନିଟି ଗ୍ରୁପ୍‌’ : ଗରିବଙ୍କୁ ମାଗଣା ଖାଦ୍ୟ, ବସ୍ତ୍ର ଏବଂ ରୋଗୀଙ୍କୁ ରକ୍ତଦାନ କରି ସୃଷ୍ଟି କରିଛନ୍ତି ଉଦାହରଣ

ଭୁବନେଶ୍ୱର : ବେଳେ ବେଳେ ଅନ୍ୟମାନଙ୍କ ପାଇଁ କିଛି କରିବାର ଇଚ୍ଛା ଲୋକମାନଙ୍କ ବହୁ ଆଗକୁ ନେଇ ଯାଇଥାଏ । ଠିକ୍‌ ସେଭଳି କିଛି ଘଟିଥିଲା, ଭୁବନେଶ୍ୱରର ଜାଗମରା ସ୍ଥିତ ଖଣ୍ଡଗିରିରେ ରହୁଥିବା ନାରାୟଣ ସାହୁଙ୍କ ସହ । ଛୋଟ ବେଳୁ ଗରିବଙ୍କ ପାଇଁ କିଛି କରିବା ଇଚ୍ଛା ଆଜି ତାଙ୍କୁ ଚର୍ଚ୍ଚାକୁ ଆଣିଛି । ‘ଟିମ୍‌ ହ୍ୟୁମାନିଟି : ସୁଖ ଦଃଖର ସାଥୀ’ ନାମରେ ଏକ ଗ୍ରୁପ ତିଆରି କରି ସେ ଆଜି ଶହ ଶହ ଲୋକଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ଯୋଗାଇ ପାରୁଛନ୍ତି । ନିଜ ଆୟରୁ କିଛି କିଛି କରି ସେ ଲୋକମାନଙ୍କ ସେବାରେ ନିୟୋଜିତ କରୁଥିବା ଜଣା ପଡ଼ିଛି ।

ଏହି କାମରେ ତାଙ୍କୁ ତାଙ୍କର ୯ଜଣ ସହଯୋଗୀ ମଧ୍ୟ ସାହାଯ୍ୟ କରୁଛନ୍ତି । ସେମାନେ ହେଲେ, ସୁଶାନ୍ତ ନାୟକ, ଶିବ ଶଙ୍କର ମହାନ୍ତି, ହିମାଂଶୁ ମହାରଣା, ସାଗର ପାଢ଼ୀ, ସନ୍ତୋଷ ମହାରଣା, ସୁଦୀପ୍ତ ସାହୁ, ପତିତପାବନ ମହାନ୍ତି, ମୋତୀରଞ୍ଜନ ନାୟକ ଏବଂ ବିଶ୍ୱଜିତ୍‌ ସାହୁ । ତେବେ ନାରାୟଣଙ୍କ ଏହି କାମରେ ତାଙ୍କୁ ୩୫୦ଜଣ ସ୍ୱେଚ୍ଛାସେବୀ ମଧ୍ୟ ସାହାଯ୍ୟ କରୁଥିବା ଜଣା ପଡ଼ିଛି ।

ଓଡ଼ିଶାରେ କୌଣସି ସ୍ଥାନରେ ରକ୍ତ ଦରକାର ହେଲେ ସବୁ ବେଳେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି ନାରାୟଣ ଏବଂ ତାଙ୍କ ଟିମ୍‌ । ବିବାହ ଭୋଜି ବା କୌଣସି ସ୍ଥାନରେ ଖାଦ୍ୟ ନଷ୍ଟ କରାଯାଉଥିଲେ ତାକୁ ଆଣି ରାସ୍ତାରେ ବା ବସ୍ତି ଅଞ୍ଚଳରେ ରହୁଥିବା ଗରିବଙ୍କ ପାଖରେ ପହଞ୍ଚାଇଥାଏ ଟିମ୍‌ ହ୍ୟୁମାନିଟି । କୌଣସି ଗରିବ ଲୋକର ଚିକିତ୍ସା ପାଇଁ ଟଙ୍କା ଆଦାୟ କରି ସାହାଯ୍ୟ କରିବା ଭଳି ଅନେକ ପ୍ରକାରର କାମ ଟିମ୍‌ ହ୍ୟୁମାନିଟି କରୁଥିବା ବେଳେ ବର୍ଷକ ମଧ୍ୟରେ ଲୋକମାନଙ୍କ ପ୍ରଶଂସାର ପାତ୍ର ପାଲଟି ସାରିଲେଣି ।

ସମ୍ବନ୍ଧିତ ଖବର