ମାଟି ଆଉ ଆକାଶର ପ୍ରଥମ ଅକ୍ଷର ମିଶିଗଲେ ଯେଉଁ ଛୋଟିଆ ଶବ୍ଦଟି ସୃଷ୍ଟି ହୁଏ, ଯାହାକୁ ତୁଣ୍ଡରେ ଉଚ୍ଚାରଣ କଲେ ଦେହରୁ ସବୁ ଯନ୍ତ୍ରଣା ଦୂରେଇ ଯାଏ, ସେଇ ମଧୁର ଶବ୍ଦଟି ହେଉଛି ମାଆ। ପରମାତ୍ମାଙ୍କ କିଛି ଅଂଶକୁ ରକ୍ତରେ ମିଶାଇ ଗର୍ଭରେ ଧାରଣ କରେ ମା‌ଆ। ଧରାବତରଣ କରାଏ, କଥା କହିବା ଶିଖାଏ, ଦୁନିଆ ଦାଣ୍ଡରେ ଠିଆ କରାଏ, ହାତଧରି ବାଟ ଚାଲିବା ବତାଏ, ସମସ୍ୟାର ସମାଧାନ‌ ସୂତ୍ର ଜଣାଏ। କିଛି ପାଇବାର ଆଶା ନରଖି ଖାଲି ଦଉଥିବା ଆଉ ଦଉଥିବା ଦାନୀ ମଣିଷଟିଏ ହେଉଛି ମାଆ। ମା’ର ପଣତ ଶ୍ରୀମନ୍ଦିରର ନେତ। ମା’ ଅତୁଳନୀୟା, ବନ୍ଦନୀୟା, ପୂଜନୀୟା, ସ୍ବର୍ଗାଦପି ଗରୀୟସୀ। ମାଆ ମହାନ୍‌।

Advertisment

ଭୁବନେଶ୍ବର: ‘ସମ୍ବାଦ-ରେଡିଓ ଚକଲେଟ୍‌’ ପକ୍ଷରୁ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌ ସହଯୋଗରେ ବିଶ୍ବ ମାତୃଦିବସ ଅବସରରେ ‘ମାଆ ମହାନ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ମାତୃଦିବସର ଶୁଭେଚ୍ଛା ଜଣାଇ କହିଲେ, ଦୁନିଆର ସବୁଠାରୁ ଭଲ ମଣିଷ ହେଉଛି ମା’। ଜୀବନରେ ଯାହା ବି ଆହ୍ବାନ ଆସୁ ମା’ କେବେ ନିଜ କର୍ତ୍ତବ୍ୟରେ ହେଳା କରେ ନାହିଁ। ଆମେ ପ୍ରତ୍ୟେକ ଦିନକୁ ମ‌ାତୃଦିବସ ରୂପେ ପାଳନ କରିବା ଉଚିତ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଇ‌ଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଲେ, ‘ସମ୍ବାଦ-ରେଡିଓ ଚକ୍‌ଲେଟ୍‌’ର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ‘ରେଡିଓ ଚକ୍‌ଲେଟ୍‌’ର ଲୋକପ୍ରିୟତାକୁ ପ୍ରମାଣିତ କରୁଛି। ଏହି ପରିପ୍ରେକ୍ଷୀରେ ମନ୍ମଥ ବେହେରାଙ୍କ ଦ୍ବାରା ଅଙ୍କିତ କଫିଟେବଲ ପୁସ୍ତକର ପ୍ରଚ୍ଛଦପଟ୍ଟ(କଭର ପେଜ୍‌)ଉନ୍ମୋଚିତ ହୋଇଥିଲା।  ଲକି ଡ୍ର ଉଠାଣରେ ବହୁ ଭାଗ୍ୟଶାଳୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ‘ଏସେନ୍‌ ଅଟୋମୋବାଇଲ୍‌ସ’ ପ୍ରଦତ୍ତ ହିରୋ ପ୍ଲେଜର୍‌ ସ୍କୁଟର ଜିତିଥିଲେ ପିଙ୍କି ନାୟକ। ବାବାଜୀ ସାହୁ ସେଲୋ ଏୟାର୍‌ କୁଲର, ଅନନ୍ୟା ସୌର୍ଯ୍ୟା ନାୟକ ଲିଓଟ୍ରୋନିକ୍ସ ଆଲମାରି, ଶୁଭେନ୍ଦୁ କୁମାର ମହାପାତ୍ର ଲକ୍ଷ୍ମୀ ମୋବାଇଲ୍‌ ଫୋନ୍ସ ପକ୍ଷରୁ ସ୍ମାର୍ଟ ମୋବାଇଲ୍‌, ରାଧାମଣି ପଣ୍ଡା ସାଇକେଲ୍‌ ପ୍ଲାଜା ପକ୍ଷରୁ ଏକ ସାଇକେଲ୍‌ ଲକି ଡ୍ର ଉଠାଣ ମାଧ୍ୟମରେ ଜିତିଥିଲେ। ଏଥିସହ ତିନିଜଣ ବିଜେତାଙ୍କୁ ପଣ୍ଡା ଟ୍ରାଭେଲ ମାର୍ଟ ପକ୍ଷରୁ ଟ୍ରଲି ବ୍ୟାଗ୍‌, ୧୪ଜଣଙ୍କୁ ସ୍ପେସେସ୍‌ ପକ୍ଷରୁ ୧୪ଟି ଟାୱେଲ ସେଟ୍‌, ୨ଜଣଙ୍କୁ ସୌକିନ୍‌ ମ୍ୟାଟ୍ରେସ୍‌ ତରଫରୁ ଗଦି ଓ ତକିଆ ସେଟ୍‌, ୧୦ଜଣଙ୍କୁ ଶ୍ରୀଲେଦର୍ସ ପକ୍ଷରୁ ବ୍ୟାଗ୍‌ ଓ ୧୦ଜଣଙ୍କୁ ଡେକୋବି ତରଫରୁ ଡିନର୍‌ ସେଟ୍‌ ପ୍ରଦାନ କରାଯାଇଥିଲା।

ମାଲାବାର ପକ୍ଷରୁ ମାର୍କେଟିଂ ମ୍ୟାନେଜର୍‌ ସିଦ୍ଧେଶ୍ବର ରଥ ଓ ଟିମ୍‌, ସେଲୋର ଏଏସ୍‌ଏମ୍‌ ଆଶିଷ ଭଗତ, ଲିଓଟ୍ରୋନିକ୍ସର ଏମ୍‌ଡି ଜୟନ୍ତ କୁମାର ଲେଙ୍କା, ପଣ୍ଡା ଟ୍ରାଭେଲ୍‌ ମାର୍ଟର ଏମ୍‌ଡି ଶିବପ୍ରସାଦ ପଣ୍ଡା, ଲକ୍ଷ୍ମୀ ମୋବାଇଲ ପ୍ରୋପ୍ରାଇଟର୍‌ ଟି ନକୁଳ କୁମାର ସୁବୁଦ୍ଧି, ସାଇକେଲ୍‌ ପ୍ଲାଜାର ପ୍ରୋପ୍ରାଇଟର୍‌ ହିତେଶ କାମଦାର, ସୌକିନ୍‌ ମ୍ୟାଟ୍ରେସ୍‌ର ସରୋଜ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ମାତୃଦିବସ ପ୍ରସଙ୍ଗ ଆଧାରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡାଏନା ଡ୍ୟାନ୍ସ ଗ୍ରୁପ୍‌, ନାରାୟଣ ସ୍କୁଲ ଜେଭି ବ୍ରାଞ୍ଚର ଛାତ୍ରଛାତ୍ରୀ, ଭିକି ଡ୍ୟାନ୍ସ ଗ୍ରୁପ୍‌ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ଅବିନାଶ ମହାନ୍ତି, ଅଙ୍କିତା ନାୟକ, ସୁନୟନା ସାହୁ ପ୍ରମୁଖ କବିତା ଆବୃତ୍ତି କରିଥିଲେ। କ୍ରିଷ୍ଣା ଟ୍ରୁପ୍‌ ବ୍ୟଙ୍ଗାତ୍ମକ ନାଟକ ପରିବେଷଣ କରିଥିଲେ। ସବିତା ନିଓଗିଙ୍କ ସଂଯୋଜନାରେ ରୢାମ୍ପ୍‌ ସୋ ଅନୁଷ୍ଠିତ ହୋଇଥିଲା। ଆଶିଷ ଆଣ୍ଡ ଟିମ୍‌ ତରଫରୁ ସଙ୍ଗୀତ ପରିବେଷଣ କରାଯାଇଥିଲା। ରେଡିଓ ଚକଲେଟ୍‌ ପ୍ରୋଗ୍ରାମିଂ ହେଡ୍‌ ସଂଗ୍ରାମ ମିଶ୍ର, ରେଡିଓ ଚକଲେଟ୍‌ ଓ କନକ ନ୍ୟୁଜ୍‌ର  ସେଲ୍‌ସ ହେଡ୍‌ କଲ୍ୟାଣେନ୍ଦୁ ନାୟକ, ରିଜିଓନାଲ ବିଜ୍‌ନେସ୍‌ ହେଡ୍‌ ପ୍ରଶାନ୍ତ କୁମାର ମାଲୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆର୍‌ଜେ ଅନିଲ, ଆର୍‌ଜେ କୋମଲ, ଆର୍‌ଜେ ସୋନାଲି, ଆର୍‌ଜେ ପୂଜା, ଆର୍‌ଜେ ମହେଶ, ଆର୍‌ଜେ କେକେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।