ଦିଲୀପ କୁମାର ବିଷୋୟୀ
ହ୍ୟାଲୋ! ଆପଣ ମଣିଷ?
ନା, ମୁଁ ବୋଟ୍।
ଆପଣଙ୍କ ଆଖପାଖରେ କେହି ମଣିଷ ନାହାନ୍ତି?
ନା, କ’ଣ ଦରକାର କହୁ ନାହାନ୍ତି? ମୁଁ ଆପଣଙ୍କର ସବୁ କାମ କରିଦେଇ ପାରିବି।
ନା, ନା, ମୁଁ ମଣିଷ ଖୋଜୁଥିଲି।
ଏହିଭଳି ଏକ ପୃଥିବୀ ଆମକୁ ଅପେକ୍ଷା କରିଛି, ଯେଉଁଠି ଆମକୁ ମଣିଷ ଖୋଜିବାକୁ ପଡ଼ିବ। ବେଶୀ ଦିନ ନୁହେଁ, ନିକଟ ଭବିଷ୍ୟତରେ ହିଁ ଆମେ ଭେଟିବାକୁ ଯାଉଛୁ ଏଭଳି ଏକ ପୃଥିବୀକୁ। ବୋଟ୍ ଆଉ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ (ଏଆଇ) ଏଜେଣ୍ଟ୍ଙ୍କ ଭିଡ଼ ଭିତରେ ମଣିଷ ହଜିଯିବାର ଆଶଙ୍କା ସୃଷ୍ଟି ହୋଇଛି। ଆଉ ସେଦିନ ବି ଦୂର ନାହିଁ। ଆଜିର ଇଣ୍ଟର୍ନେଟ୍ ସାମ୍ରାଜ୍ୟରେ ମଣିଷକୁ ପ୍ରମାଣପତ୍ର ଦେବାକୁ ପଡୁଛି ଯେ ସେ ରୋବଟ୍ ନୁହେଁ । କୌଣସି କାରବାର ସମୟରେ ‘କାପ୍ଚା’ ମାଧ୍ୟମରେ ଜଣାଇବାକୁ ପଡୁଛି ଆମେ ରୋବଟ୍ କି, ନୁହଁ? କିନ୍ତୁ ଯେତେବେଳେ ରୋବଟ୍ମାନେ ସବୁ କାମ କରିବେ ଓ ସେମାନଙ୍କ ସଂଖ୍ୟା ବଢ଼ିଯିବ, ସେତେବେଳେ ଠିକ୍ ଓଲଟା ସ୍ଥିତି ଉତ୍ପନ୍ନ ହେବ। ଅର୍ଥାତ୍ କାପ୍ଚା ମାଧ୍ୟମରେ ଜଣାଇବାକୁ ପଡ଼ିବ ଯେ ମୁଁ ମଣିଷ, ରୋବଟ୍ ନୁହେଁ।
ଓପନ୍ ଏଆଇର ସିଇଓ ସାମ୍ ଅାଲ୍ଟ୍ମାନ୍ ଏହି ଭଳି ଏକ ଭବିଷ୍ୟତ ପୃଥିବୀର ସୂଚନା ଦେଇଛନ୍ତି। ଅାଲ୍ଟ୍ମାନ୍ଙ୍କ କହିବା କଥା ଯେ ଏଆଇ ଟେକ୍ନୋଲଜିର ଯେଭଳି ବିକାଶ ଘଟୁଛି ତାହା ଚଳନ୍ତି ଯୁଗର ପରିସମାପ୍ତି ଘଟାଇ ଆଉ ଏକ ନୂଆ ଯୁଗ ସୃଷ୍ଟି କରିବ। ଆଉ ସେହି ନୂଆ ଯୁଗରେ ଏଆଇ ଏତେ ଉନ୍ନତ ଓ ମଣିଷସୁଲଭ ହୋଇଥିବ ଯେ ଆମେ ଅନ୍ଲାଇନ୍ରେ ଯାହା ପଢ଼ିବା, ଦେଖିବା ବା ଶୁଣିବା, ତାହା ଜଣେ ମଣିଷର କ୍ରିୟାକଳାପ କି, ନାହିଁ ତାହା ଧରିପାରିବା ନାହିଁ। ଗୁଗଲ୍, ମାଇକ୍ରୋସଫ୍ଟ୍, ଆମାଜନ୍, ମେଟା, ଓପନ୍ ଏଆଇ ଓ ଅନ୍ୟ ଟେକ୍ କମ୍ପାନିଗୁଡ଼ିକ ବର୍ତ୍ତମାନ ଯେଉଁ ଅତି ବିକଶିତ ଏଆଇ ପ୍ରସ୍ତୁତ କରୁଛନ୍ତି ସେଥିରେ ଏଆଇ ଯେ କେବଳ ମଣିଷ ନିର୍ଦ୍ଦେଶରେ ଚାଲିବ ତାହା ନୁହେଁ, ନିଜେ ସ୍ବାଧୀନ ଭାବେ ମଧ୍ୟ କାର୍ଯ୍ୟ କରିପାରିବ। ଏଆଇ ସହକର୍ମୀ ଭାବେ କୌଣସି କମ୍ପାନିରେ ସମସ୍ୟା ସମାଧାନ କରିପାରିବ। ଏଆଇ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଉପଯୋଗୀ ଶିକ୍ଷାଦାନ ଶୈଳୀ ବାହାର କରିପାରିବ, ଏପରିକି ଏଆଇ ଡାକ୍ତର ସାଧାରଣ ରୋଗଗୁଡ଼ିକର ଚିକିତ୍ସା କରିପାରିବ।
ଫଳରେ ଏଆଇକୁ ମଣିଷଠାରୁ ଭିନ୍ନ କରିବା କଷ୍ଟକର ହୋଇପଡ଼ିବ। ୱେବ୍ସାଇଟଗୁଡ଼ିକ ଅଡୁଆର ସମ୍ମୁଖୀନ ହେବେ। ଏକ୍ସ ଓ ଫେସ୍ବୁକ୍ ଭଳି ସାମାଜିକ ଗଣମାଧ୍ୟମଗୁଡ଼ିକରେ ବୋଟ୍ ପରିଚାଳିତ ଆକାଉଣ୍ଟ୍ ସବୁ ଏଆଇ ପ୍ରସ୍ତୁତ ବିଷୟବସ୍ତୁ ପାଇଁ କୋଟି କୋଟି ମତ ସଂଗ୍ରହ କରି ପାରୁଛନ୍ତି। ଏଆଇ ବୋଟ୍ ପ୍ରଚୁର ସଂଖ୍ୟାରେ ସର୍ଚ ଇଞ୍ଜିନ୍ ବ୍ୟବହାର କରିବା ଫଳରେ ୱିକିପିଡିଆ, ଗୁଗଲ୍ ଭଳି ସର୍ଚ ଇଞ୍ଜିନ୍ଗୁଡ଼ିକୁ ଚଳାଇବା ଅସମ୍ଭବ ହୋଇପଡ଼ିଲାଣି। ଏଥିସହ ମଣିଷକୃତ ବିଷୟ ଏବଂ ଏଆଇକୃତ ବିଷୟ ଭିତରେ ଥିବା ପାର୍ଥକ୍ୟ ଜାଣିବା ଏକ ଆହ୍ବାନ ହେବ। ଏହା ଇଣ୍ଟରନେଟ୍ର ମୂଳ ବ୍ୟବସାୟ ଢାଞ୍ଚାକୁ ଓଲଟପାଲଟ କରିଦେବ। ନେଟ୍ରେ ମଣିଷ କିଏ, ବୋଟ୍ କିଏ ନ ଜାଣି ପାରିଲେ ଗ୍ରାହକ ଭାବେ ମଣିଷର ପସନ୍ଦ ଜାଣିବା କଷ୍ଟକର ହୋଇପଡ଼ିବ। ଅନ୍ଲାଇନ୍ରେ କିଣାବିକା ପ୍ରଭାବିତ ହେବ। ବିଜ୍ଞାପନର ପ୍ରଭାବ ଜାଣିବା ସମ୍ଭବ ହେବନାହିଁ। ଫଳରେ ବିଜ୍ଞାପନର ବାର୍ତ୍ତା ନିର୍ଣ୍ଣୟ କରିବା ଦୁଷ୍କର ହୋଇ ପଡ଼ିବ। ଏଭଳି ସ୍ଥିତି ପାଇଁ ଏକ ନୂଆ ଧରଣର ଅନ୍ଲାଇନ୍ ଭିତ୍ତିଭୂମି ସୃଷ୍ଟି କରିବାକୁ ହେବ। ହୁ ହୁ ହୋଇ ବଢୁଥିବା ବୋଟ୍ ଓ ଏଆଇ ଏଜେଣ୍ଟ୍ଙ୍କଠାରୁ ମଣଷକୁ ଭିନ୍ନ କରିବାକୁ ଗୋଟେ ଯାଞ୍ଚ ପଦ୍ଧତି ବିକଶିତ କରିବାକୁ ପଡ଼ିବ। ଆଉ ଆମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଏହି ପୃଥିବୀରେ ମଣିଷ ହିଁ ମୁଖ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/03/new-project-20-2025-08-03-12-36-22.jpg)