ଧୂମ୍ରପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଯେତେ ସଚେତନତା ସୃଷ୍ଟି କଲେ ବି ଧୂମପାୟୀମାନେ ତାହାକୁ ସଂପୂର୍ଣ୍ଣ ଭାବେ ଛାଡ଼ିପାରୁନାହାନ୍ତି। ଏହା ଏଭଳି ଏକ ନିଶା ଯାହାକୁ ଆଜି ଛାଡ଼ିବି, କାଲି ଛାଡ଼ିବି ବୋଲି ଯେତେ ରାଣ ନିୟମ କଲେ ବି ମଣିଷ ଦିନକୁ ଦିନ ତାହା ପ୍ରତି ବେଶୀ ଆସକ୍ତ ହୋଇ ପଡ଼ିଥାଏ। ଏହା କିଶୋରମାନଙ୍କ ମସ୍ତିଷ୍କକୁ ସବୁଠାରୁ ଅଧିକ ପ୍ରଭାବିତ କରିଥାଏ ବୋଲି ବ୍ରିଟେନ୍‌ର କେମ୍ବ୍ରିଜ୍‌ ଓ ଵାରଵିକ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି। ଏହି ଗବେଷଣାରୁ ପ୍ରକାଶ ଯେ ୧୪ ବର୍ଷରୁ କମ୍‌ ବୟସରେ ସିଗାରେଟ୍‌ ଟାଣିବା ଆରମ୍ଭ କରିଥିବା କିଶୋରମାନଙ୍କର ମସ୍ତିଷ୍କର ବାମପାର୍ଶ୍ବରେ ଥିବା ‘ଗ୍ରେ ମ୍ୟାଟର’ର ଆକାର କମି ଯାଇଥାଏ।

Advertisment

ଗ୍ରେ ମ୍ୟାଟର ହେଉଛି ମସ୍ତିଷ୍କର ଏଭଳି ଏକ ଅଂଶ ଯେଉଁଥିରେ ଯାବତୀୟ ପ୍ରକାର ସୂଚନାର ବିଶ୍ଳେଷଣ ହୋଇଥାଏ ଏବଂ ପ୍ରତ୍ୟେକ ପ୍ରତ୍ୟଙ୍ଗକୁ ସଂଚାଳନ କରୁଥିବା ନ୍ୟୁରନ୍‌ଗୁଡ଼ିକୁ ଏହା ଧାରଣ କରିଥାଏ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗ୍ରେ ମ୍ୟାଟର୍‌ର ପୂର୍ଣ୍ଣ ବିକାଶ କିଶୋରାବସ୍ଥାରେ ହିଁ ଘଟିଥାଏ। ସୁତରାଂ ଧୂମପାନ କରୁଥିବା କିଶୋରଙ୍କ ହିତାହିତ ଜ୍ଞାନ କମିଯାଇଥାଏ। ଆଇନ କାନୁନ ଉଲ୍ଲଂଘନ କରିବାକୁ ସେମାନଙ୍କ ମନରେ ଉଦ୍ଧତ ପ୍ରତ୍ୟୟ ଜାତ ହୋଇଥାଏ ଏବଂ ଭବିଷ୍ୟତରେ ଧୂମପାନ ପ୍ରତି ସେମାନେ ଅଧିକ ଆସକ୍ତ ହୋଇଥାନ୍ତି। ସୂଚନାଯୋଗ୍ୟ, କିଶୋରାବସ୍ଥାରେ ହିଁ ଧୂମ୍ରପାନ ଅଭ୍ୟାସ ଆରମ୍ଭର ଅଧିକ ଆଶଙ୍କା ଥାଏ। ଏକ ଆକଳନ ଅନୁଯାୟୀ, ଆମେରିକାରେ ପ୍ରତ୍ୟହ ୧,୬୦୦ କିଶୋର ୧୮ ବର୍ଷ ବୟସ ପୂର୍ବରୁ ଧୂମ୍ରପାନ ଆରମ୍ଭ କରିଥା’ନ୍ତି ଏବଂ ବାର୍ଷିକ ପ୍ରାୟ ୫୦ ଲକ୍ଷ ଆମେରିକୀୟ ଧୂମ୍ରପାନ ଅଥବା ଧୂମ୍ରପାନ ସହ ଜଡ଼ିତ କାରଣରୁ ମୃତ୍ୟୁମୁଖରେ ପଡ଼ିଥା’ନ୍ତି। ତେଣୁ କିଶୋରମାନଙ୍କ କ୍ଷେତ୍ରରେ ଧୂମ୍ରପାନ ଆରମ୍ଭକୁ ରୋକିପାରିଲେ ଲକ୍ଷ ଲକ୍ଷ ଲୋକଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରାଯାଇପାରିବ ବୋଲି ଏହି ଗବେଷକମାନେ ଆଶା ବ୍ୟକ୍ତ କରିଛନ୍ତି।