ଦେଖନ୍ତୁ କିପରି କରୋନା କାଳରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଜମିରେ ବଳଦର କାମ କରୁଛନ୍ତି ଦୁଇଝିଅ

ହାଇଦ୍ରାବାଦ: ସାଧାରଣତଃ କଥାରେ ଅଛି ଘରେ ପୁଅଟିଏ ଜନ୍ମ ହେଲେ ସେ ବଡ଼ ହୋଇ ବାପା ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବ। କିନ୍ତୁ ଝିଅଟିଏ ବି ବଡ଼ ହୋଇ ଦିନେ ପୁଅ ଭଳି ବାପାଙ୍କୁ ସାହାଯ୍ୟ କରିବ ପାରିବ ଏକଥା ଅନେକ କେବେ ଚିନ୍ତା କରି ନଥାଆନ୍ତି। ନିକଟରେ କରୋନା କାଳରେ ଜମି ହଳ ପାଇଁ ବଳଦ କିଣିବା ପାଇଁ ବାପାଙ୍କ ପାଖରେ ଟଙ୍କା ନଥିବାରୁ ଦୁଇଝିଅ ବଳଦ ଭଳି କାମ କରୁଥିବାର ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ବାପାଙ୍କ କାନ୍ଧରେ ବୋଝ ନହୋଇ ଦୁଇ ଝିଅଙ୍କ ଏଭଳି କାମକୁ ଅନେକ କ୍ଷେତ୍ରରେ ପ୍ରଶଂସା ବି କରାଯାଉଛି।

 

ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାରେ ବସବାସ କରୁଥିବା ନାଗେଶ୍ୱର ରାଓଙ୍କ ଚା’ ଦୋକାନଟିଏ ଥିଲା। ଏହି ଚା’ ଦୋକାନରୁ ଯେତିକି ରୋଜଗାର ହୋଇଥାଏ ସେଥିରେ ତାଙ୍କ ପରିବାର ୪ ପ୍ରାଣୀ ଚଳି ଥାଆନ୍ତି। ନାଗେଶ୍ୱର ପରିବାର କହିଲେ ତାଙ୍କ ସ୍ତ୍ରୀ ଲଳିତା ଓ ଦୁଇ ଝିଅ ଭେନେଲା ଓ ଚନ୍ଦନା। ଲକଡାଉନ୍‌ ପରେ ଲକ୍‌ଡାଉନ୍‌ ଜାରି ହେବା ପରେ କରୋନା ଭୟରେ ଲୋକମାନେ ବାହାରକୁ ବାହାରିବା ବନ୍ଦ କରି ଦେଇଛନ୍ତି। ଯଦିବା କିଏ ବାହାରୁଛନ୍ତି ଜରୁରୀ କାମ ସାରି ଘରକୁ ଫେରି ଯାଉଛନ୍ତି। ଏଭଳି ପରିସ୍ଥିତିରେ ବାହାର ଖାଦ୍ୟ କିମ୍ବା ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇ ଚା’ କପେ ପିଇବାକୁ ଲୋକମାନେ ଭୟ କରୁଛନ୍ତି।

ତେଣୁ ଚା’ ଦୋକାନ ଖୋଲିଲେ ବି ସେମିତି କିଛି ରୋଜଗାର ନହେବାରୁ ନାଗେଶ୍ୱର ରାଓଙ୍କ ଦୋକାନ ଗତ ୩ ମାସ ହେବ ବନ୍ଦ ରହିଛି। ପରିବାର ଚଳାଇବା ପାଇଁ ନାଗେଶ୍ୱର ଶେଷରେ ଚାଷ କାମ କରି ଦୁଇ ପଇସା ରୋଜଗାର କରିବେ ବୋଲି ମନସ୍ଥ କରିଥିଲେ। କିନ୍ତୁ ଆର୍ଥିକ ଅନଟନ ତାଙ୍କ ଉପରେ ଏହି ସମୟରେ ଦାଉ ସାଜିଥିଲା। ଚାଷ ପାଇଁ ନାଗେଶ୍ୱରଙ୍କ ପାଖରେ ନା ଥିଲା ସାର ନା ଚାଷ ହଳ ପାଇଁ ବଳଦ । ଏପଟେ ନୂଆ ବଳଦ କିଣିବା ପାଇଁ ତାଙ୍କ ପାଖରେ ସେତିକି ଅର୍ଥ ବି ନଥିଲା। ବାପାଙ୍କ ଏଭଳି ଅସହାୟ ଅବସ୍ଥାକୁ ଦେଖି ଦୁଇ ଝିଅ ଭେନେଲା ଓ ଚନ୍ଦନା ଜମିରେ ଚାଷ ପାଇଁ ଅଣ୍ଟା ଭିଡିଥିଲେ।

ବଳଦ ବଦଳରେ ନିଜେ ଲଙ୍ଗଳ ଧରି ଆରମ୍ଭ କଲେ ଚାଷ କାମ ଭେନେଲା ଓ ଚନ୍ଦନା। କେବଳ ଏତିକି ନୁହେଁ ଦୁଇ ଝିଅଙ୍କ ସହିତ ନଗେଶ୍ୱରଙ୍କ ପତ୍ନୀ ଲଲିତା ବି ଚାଷ କାମରେ ସାହାଯ୍ୟ କରିଥାଆନ୍ତି। ମା’ ଦୁଇଝିଅ ଓ ବାପା ଜମିରେ ଏକାଠି ଚାଷ କାମ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର