ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ପରୀକ୍ଷାଗାରରେ ସଫଳତାର ସହ ମନୁଷ୍ୟ ଦାନ୍ତ ସୃଷ୍ଟି କରି ପାରିଛନ୍ତି। ପରୀକ୍ଷାଗାରରେ ପ୍ରାକୃତିକ ଭାବେ ବଢୁଥିବା ଏହି ଦାନ୍ତଗୁଡ଼ିକ ପ୍ରକୃତ ଦାନ୍ତ ଭଳି ମାଢ଼ିରେ ମିଶିଯିବା ସହ ନିଜକୁ ମରାମତି କରିବାକୁ ସକ୍ଷମ। ଦାନ୍ତ ମରାମତି ଓ ପ୍ରତିରୋପଣ ପରି କ୍ଷେତ୍ରରେ ଏହି ବିଜ୍ଞାନାଗାର-ସୃଷ୍ଟ ଦାନ୍ତ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଲଣ୍ଡନ ଇମ୍ପେରିଆଲ କଲେଜ ଓ କିଙ୍ଗ୍ସ କଲେଜର ଗବେଷକମାନେ ଦାବି କରିଛନ୍ତି।
ଦାନ୍ତ ଭାଙ୍ଗିଗଲେ କିମ୍ବା ଉପୁଡ଼ିଗଲେ ଫିଲିଂ ଓ ପ୍ରତିରୋପଣ ହୁଏ। ଏବେ ଏହାର ବିକଳ୍ପ ଭାବେ ଗବେଷଣାଗାରରେ ଅବିକଳ ପ୍ରାକୃତିକ ଦାନ୍ତ ପ୍ରସ୍ତୁତିରେ ସଫଳତା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଥରେ ଦାନ୍ତଟିଏ ହରାଇବା ପରେ ତାହା ଆଉ ଉଠିବା ସମ୍ଭବ ନୁହେଁ। ସେହିପରି ଦାନ୍ତ ମରାମତି ପାଇଁ ଫିଲିଂ ସର୍ବୋତ୍ତମ ସମାଧାନ ନୁହେଁ। କାରଣ ତାହାର ଜୀବନକାଳ ସୀମିତ ରହିବା ସହ ସମୟାନୁକ୍ରମେ ଦାନ୍ତଗଠନକୁ ଦୁର୍ବଳ କରିପାରେ ଏବଂ ଦନ୍ତକ୍ଷୟ ଓ ସମ୍ବେଦନଶୀଳତା ବଢ଼ାଇପାରେ। ସେହିପରି ପ୍ରତିରୋପଣ ପାଇଁ ଅସ୍ତ୍ରୋପଚାର ସହ ସେଥିରେ ବ୍ୟବହୃତ କୃତ୍ରିମ ରାସାୟନିକ ଦ୍ରବ୍ୟ ଯୋଗୁଁ ଦାନ୍ତର ପୂର୍ବ କ୍ଷମତା ବଜାୟ ରହିପାରେ ନାହିଁ। ସୁତରାଂ ତାହା ଦୀର୍ଘକାଳୀନ ଜଟିଳତା ଆଣିପାରେ। ତେବେ ଦୀର୍ଘ ୧୦ ବର୍ଷର ଗବେଷଣା ପରେ ବୈଜ୍ଞାନିକମାନେ ରୋଗୀର ନିଜସ୍ବ ଜୀବକୋଷରୁ ଏପରି ଏକ ସାମଗ୍ରୀ ବିକଶିତ କରିଛନ୍ତି, ଯାହା ଦାନ୍ତ ବିକାଶ ପାଇଁ ଆବଶ୍ୟକ ପରିବେଶର ଅନୁକରଣ କରିପାରୁଛି ଏବଂ କୋଷଗୁଡ଼ିକୁ ସଂକେତ ପଠାଇବା ସହ ଦାନ୍ତଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରବର୍ତ୍ତାଉଛି।
ସୁତରାଂ ତାହା ରୋଗୀର ପ୍ରାକୃତିକ ଦାନ୍ତ ଅନୁରୂପ ଦୃଢ଼ ଏବଂ ଦୀର୍ଘସ୍ଥାୟୀ ହେବା ସହ ଜୈବିକ ଭାବରେ ସୁସଙ୍ଗତ ସମାଧାନ ପ୍ରଦାନ କରିପାରିବ। ପୂର୍ବରୁ ପ୍ରୟୋଗଶାଳାରେ ଏପରି ଦନ୍ତବିକାଶ ପ୍ରୟାସ ବିଫଳ ହୋଇଥିଲା, କାରଣ କୋଷଗୁଡ଼ିକ ଠିକ୍ ଭାବରେ ଯୋଗାଯୋଗ କରିପାରି ନଥିଲେ। ଗବେଷକମାନେ ବର୍ତ୍ତମାନ ଦୁଇଟି ସମ୍ଭାବ୍ୟ ପଦ୍ଧତି ଉପରେ ବିଚାର କରୁଛନ୍ତି। ଗୋଟିଏ ହେଉଛି ମାଢ଼ିରେ ଦାନ୍ତ ନଥିବା ସ୍ଥାନରେ ଦନ୍ତରୋପଣ କରିବା ପୂର୍ବରୁ ବିଜ୍ଞାନାଗାରରେ ସଂପୂର୍ଣ୍ଣ ଦାନ୍ତ ବଢ଼ାଇବା କିମ୍ବା ପ୍ରାରମ୍ଭିକ ପର୍ଯ୍ୟାୟରେ ଦାନ୍ତର କୋଷଗୁଡ଼ିକୁ ସିଧାସଳଖ ମାଢ଼ିରେ ରଖି ବିକାଶ କରାଇବା। ତେବେ ଉଭୟ ପଦ୍ଧତିରେ ବିକଶିତ ଦାନ୍ତଗୁଡ଼ିକ ପ୍ରାକୃତିକ ଭାବରେ ମାଢ଼ି ଓ ପାଟି ସହ ଖାପ ଖୁଆଇପାରିବ ବୋଲି ଗବେଷକମାନେ ଆଶାବାଦୀ।