ଟେଲିକମ୍ ଶୁଳ୍କ ମହଙ୍ଗା ପ୍ରଭାବ: ବର୍ଷକୁ ୪୭,୫୦୦ କୋଟି ଅଧିକ ଗଣିବେ ଗ୍ରାହକ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ୩ଟି ଟେଲିଫୋନ ଅପରେଟର ଗତ ଦୁଇ ଦିନ ମଧ୍ୟରେ ‌ଶୁଳ୍କ ବୃଦ୍ଧି ଘୋଷଣା କରିଛନ୍ତି। ରିଲାଏନ୍ସ ଜିଓ ପରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ମୋବାଇଲ ପ୍ଲାନ ମହଙ୍ଗା କରିଛନ୍ତି। ଏହି ୩ କମ୍ପାନି ଶୁଳ୍କ ବୃଦ୍ଧି କରିବା ଫଳରେ ଭାରତୀୟ ଗ୍ରାହକଙ୍କୁ ‌ବର୍ଷକୁ ଅତିରିକ୍ତ ୪୭,୫୦୦ କୋଟି ଟଙ୍କା ଗଣିବାକୁ ପଡ଼ିବ। କୋଟାକ ଇନଷ୍ଟିଚ୍ୟୁସନାଲ ଇକ୍ବିଟିଜ୍‌ ରିସର୍ଚ୍ଚ ପକ୍ଷରୁ ଏଭଳି ଆକଳନ କରାଯାଇଛି।

ରିଲାଏନ୍ସ ଜିଓ ଏହାର ମୋବାଇଲ ଫୋନ ଶୁଳ୍କ ୧୩ରୁ ୨୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିବାବେଳେ ଭାରତୀ ଏୟାରଟେଲ ୧୦ରୁ ୨୧ ପ୍ରତିଶତ ଏବଂ ଭୋଡାଫୋନ ଆଇଡିଆ ପ୍ରାୟ ୧୦ରୁ ୨୩ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ଘୋଷଣା କରିଛି। ଜଣେ ଜିଓ ଗ୍ରାହକ ୫ଜି ଇଣ୍ଟରନେଟ୍ ପ୍ଲାନ, ଯେଉଁଥିରେ ଦୈନିକ ୨ ଜିବି ଡାଟା ମିଳିବ ତାହା ପାଇବା ପାଇଁ ମାସକୁ ସର୍ବନିମ୍ନ ୩୪୯ ଟଙ୍କା ଖର୍ଚ୍ଚ କରିବ। ଦରବୃଦ୍ଧି ଘୋଷଣା ପୂର୍ବରୁ ଏଥିପାଇଁ ଦିନକୁ ୧.୫ ଜିବି ଡାଟା ମିଳୁଥିବା ପ୍ୟାକ୍‌ ପାଇଁ ଗ୍ରାହକକୁ ୨୩୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା। ସେହିଭଳି ଦିନକୁ ୨.୫ ଜିବି ଡାଟା ସୁବିଧା ଥିବା ୫ଜି ସେବା ପାଇବା ପାଇଁ ଜଣେ ଏୟାରଟେଲ ଗ୍ରାହକକୁ ମାସକୁ ୪୦୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପୂର୍ବରୁ ଦୈନିକ ୧.୫ ଜିବି ଡାଟା ମିଳୁଥିବା‌ ପ୍ୟାକ୍‌ ପାଇବା ପାଇଁ ମାସିକ ୨୩୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା। ଭାରତରେ ଟେଲିଫୋନ ଗ୍ରାହକଙ୍କ ପିଛା ହାରାହାରି ରାଜସ୍ବ କମ୍‌ ରହିଛି। ତେଣୁ ବର୍ତ୍ତମାନର ଶୁଳ୍କ ବୃଦ୍ଧି ସେଥିରେ ଉନ୍ନତି ଆଣିବ।

ସମ୍ବନ୍ଧିତ ଖବର