ଭାଦ୍ରବ ଶୁକ୍ଳ ନବମୀ, ‘ତାଳ ନବମୀ’ ଭାବରେ ଖ୍ୟାତ। ତାହା ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଶୁଭ ଆବିର୍ଭାବ ଦିବସ। ତାଙ୍କର ଜୀବନ ବୃତ୍ତାନ୍ତ ବହୁ ପ୍ରେରଣାପ୍ରଦ ଉପାଖ୍ୟାନରେ ଭରା।

Advertisment

ଦିନେ ଠାକୁର ଜାଣିପାରିଲେ, ଯେ ଗ୍ରାମର ଜଣେ ଲୋକ ଅଭାବ ହେତୁ ଚୋରି କରୁଛି। ସେ ସର୍ବଦା କହୁଥିଲେ, “ଅଭାବେ ସ୍ୱଭାବ ନଷ୍ଟ ହୁଏନା, ବରଂ ସ୍ୱଭାବ ଦ୍ୱାରା ଅଭାବକୁ ନଷ୍ଟ କରାଯାଇପାରେ।”

ଦିନେ ଠାକୁର ସେହି ଲୋକଟିକୁ ଏକାନ୍ତରେ ଡାକି କହିଲେ, “ମୁଁ ଜାଣିଛି, ତୁମେ ରାତିରେ ଚୋରି କରିବାକୁ ଯାଉଛ। ଲୋକେ ସନ୍ଦେହ କଲେଣି। ଧରାପଡ଼ିଲେ ମହାବିପଦ। ଏଣୁ ଗୋଟିଏ କାମ କର। ଏଣିକି ଚୋରି କରିବାକୁ ଗଲାବେଳେ ମୋତେ ସାଥିରେ ଡାକିନେବ। ମୁଁ ବାହାରେ ଜଗିବି, ତୁମେ ଭିତରେ ପଶି ଚୋରି କରିବ।” ଠାକୁର ତାକୁ ଏପରି ଅନ୍ତରଙ୍ଗତାର ସହ କଥାଟି କହିଲେ, ଯେ ତା’ ଭିତରେ ବିଶ୍ୱାସ ଜନ୍ମିଲା।

ଠାକୁରଙ୍କୁ ପରମବନ୍ଧୁ ମନେ କରି, ଦିନେ ରାତିରେ ଚୋରି କରିବାକୁ ଗଲାବେଳେ ସେ ତାଙ୍କୁ ଡାକିଲା। ଠାକୁର ତା’ ସହ ଚାଲିଲେ। କିଛି ଦୂର ଯିବା ପରେ ଠାକୁର ତାକୁ କହିଲେ, “ଦେଖ, ତୁମେ ଗୋପନରେ ଚୋରି କରିବାକୁ ଯାଉଛ, ତେଣୁ ତୁମ ଘରର କବାଟ ଖୋଲା ଅଛି। ଏଇ ମଉକାରେ କେହି ଯଦି ତୁମ ଘରେ ପଶି ତୁମ ସ୍ତ୍ରୀଙ୍କୁ ଅତ୍ୟାଚାର କରେ, ତେବେ କ’ଣ ହେବ? ପୁଣି, ତୁମେ ଧରାପଡ଼ିଲେ ମାଡ଼ ବି ହୋଇପାରେ, ଜେଲ୍ ଯିବାକୁ ପଡ଼ିପାରେ।”
ସତକଥା ତ! ଲୋକଟି ବଡ଼ ଚିନ୍ତାରେ ପଡ଼ିଗଲା। ସେ ବ୍ୟାକୁଳ ହୋଇ ପଚାରିଲା, “ଏବେ ମୁଁ କ’ଣ କରିବି?”

ଠାକୁର ତାକୁ ବୁଝାଇ କହିଲେ, “ଆଜିଠାରୁ ଚୋରି ଛାଡ଼। ମୋ’ଠୁ କିଛି ଟଙ୍କା ନିଅ, କାଲିଠୁ ଛୋଟ ବ୍ୟବସାୟଟିଏ ଆରମ୍ଭ କରି ସଂସାର ଚଳାଅ।”
ସେହି ମୁହୂର୍ତ୍ତରୁ ହିଁ ଲୋକଟିର ହୃଦୟ ପରିବର୍ତ୍ତନ ହୋଇଗଲା। ଆଉ କେବେ ସେ ଚୋରି କଲା ନାହିଁ।

ଶ୍ରୀଶ୍ରୀଠାକୁର ସବୁବେଳେ କହୁଥିଲେ, “ଜଣେ ମଣିଷ ପାଇଁ ଦରକାର ପଡ଼ିଲେ ମୁଁ ଗୋଟେ ସାମ୍ରାଜ୍ୟ ବି ତ୍ୟାଗ କରିପାରେ।” ତାଙ୍କର ସାରା ଜୀବନ ଏମିତି ମଣିଷମାନଙ୍କୁ ପରିବର୍ତ୍ତନ କରି, ଜିଇବାର ମାର୍ଗ ଦେଖାଇବାରେ ହିଁ ଅତିବାହିତ ହୋଇଥିଲା। ତେଣୁ ଜଣେ ଭକ୍ତକବି ଲେଖିଛନ୍ତି- ‘‘ମଣିଷ ପାଇଁ ପ୍ରେମର ରୂପ, ଜୀବନ ଲାଗି ପଥ/ ପତିତ ପାଇଁ ପାବକ ତୁମେ, ଯାତ୍ରା ପଥେ ରଥ।’’

ଆସନ୍ତା ରବିବାର ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଶୁଭଆବିର୍ଭାବ ତିଥି। ୧୮୮୮ ମସିହା ସେପଟେମ୍ବର ୧୪ ତାରିଖ, ଶୁକ୍ରବାର, ତାଳନବମୀ ତିଥିରେ ବାଂଲାଦେଶର ହିମାଇତପୁର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ଭାରତ ଓ ବର୍ହିଭାରତରେ ତାଙ୍କର ଜନ୍ମତିଥି ମହାସମାରୋହର ସହିତ ପାଳନ ହେଉଛି।

- ଧୃତିକାମ ମହାନ୍ତି