ଲବଣଗିରି ଜଗନ୍ନାଥ ମନ୍ଦିର
ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ର ଜାମୁକୋଳି ପଞ୍ଚାୟତର ଲବଣଗିରି ପାହାଡ଼ ଉପରେ ନିର୍ମିତ ସୁଦୃଶ୍ୟ ଜଗନ୍ନାଥ ମନ୍ଦିର ଏବେ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି। ରାଜଧାନୀ ଭୁବନେଶ୍ବରଠାରୁ ମାତ୍ର ୨୦ କିଲୋମିଟର୍ ଦୂରରେ ଏହା ଅବସ୍ଥିତ। ୫୦୦ ଫୁଟ୍ ଉଚ୍ଚତାବିଶିଷ୍ଟ ଲବଣଗିରି ପାହାଡ଼ ଉପରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଏହି ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବ୍ୟତୀତ ପ୍ରଭୁ ଲବଣେଶ୍ବର, ଶ୍ରୀହନୁମାନ, ମା’ ଲକ୍ଷ୍ମୀ, ମା’ ବିମଳାଙ୍କ ମନ୍ଦିର ମଧ୍ୟ ରହିଛି। ଏହି ଜଗନ୍ନାଥ ମନ୍ଦିରର ଉଚ୍ଚତା ପ୍ରାୟ ୫୪ ଫୁଟ୍ ହୋଇଥିବା ବେଳେ ଲବଣେଶ୍ୱର ମହାଦେବ ମନ୍ଦିରର ଉଚ୍ଚତା ୪୫ ଫୁଟ୍, ମା’ ଲକ୍ଷ୍ମୀ, ମା’ ବିମଳା ଓ ଶ୍ରୀହନୁମାନଙ୍କ ମନ୍ଦିରର ଉଚ୍ଚତା ୨୭ ଫୁଟ୍। ମନ୍ଦିରର ନିକଟବର୍ତ୍ତୀ ପାଞ୍ଚଗାଁରୁ ସଂଗୃହୀତ ଦାରୁରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ବିଗ୍ରହ ନିର୍ମାଣ କରାଯାଇଛି। ସମ୍ରାଟ ଅଶୋକଙ୍କ କଳିଙ୍ଗ ଯୁଦ୍ଧ ସମୟରେ ଏହି ପାହାଡ଼ ଉପରେ ରାଜା ପଦ୍ମନାଭ ବିଶ୍ରାମ ନେଉଥିଲେ। ଲବଣଗିରି ପାହାଡ଼ ଉପରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦୃଶ୍ୟ ଅତି ମନୋରମ। ଲବଣଗିରି ପାହାଡ଼ ଉପରୁ ଧଉଳିଗିରି, ଖଣ୍ଡଗିରି ଓ ଗଙ୍ଗୁଆ ନଦୀର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରୁ ୧୭ କିଲୋମିଟର୍ ଦୂରରେ ଏହି ମନ୍ଦିର ଅବସ୍ଥିତ।
ଫତେଗଡ଼ ରାମ ମନ୍ଦିର
ନୟାଗଡ଼ ଜିଲ୍ଲା ଫତେଗଡ଼ରେ ନବନିର୍ମିତ ସୁଦୃଶ୍ୟ ରାମ ମନ୍ଦିରକୁ ସ୍ଥାନୀୟ ବାସିନ୍ଦା ଓଡ଼ିଶାର ଅଯୋଧ୍ୟା ଭାବେ ଅଭିହିତ କରନ୍ତି। ଭାପୁର ବ୍ଲକ୍ର ଫତେଗଡ଼ ଗ୍ରାମ ନିକଟରେ ଗିରି ଗୋବର୍ଦ୍ଧନ ପାହାଡ଼ ଶିଖରରେ ଥିବା ଏହି ମନ୍ଦିରରେ ରାମ, ଲକ୍ଷ୍ମଣ ଓ ମା’ସୀତାଙ୍କୁ ପୂଜାର୍ଚ୍ଚନା କରାଯାଉଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ପୂର୍ବରୁ ଏଠାରେ ଏକ ଭାଗବତ ପୀଠ ଥିଲା। ଗ୍ରାମବାସୀମାନେ ଭଗବାନ ଗୋବର୍ଦ୍ଧନଙ୍କୁ ପୂଜା କରୁଥିଲେ। ପରବର୍ତ୍ତୀ ସମୟରେ, ପାହାଡ଼ କାଟି ମନ୍ଦିର ପ୍ରତିଷ୍ଠା କରାଯାଇଛି। ୨୦୧୭ ମସିହାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୪ ମସିହା ଜାନୁଆରି ୨୨ ତାରିଖରେ ଅଯୋଧ୍ୟାର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଏହି ମନ୍ଦିରର ଉଦ୍ଘାଟନ କରାଯାଇଥିଲା। ବଉଳମାଳ ପଥରରେ ଏହି କାରୁକାର୍ଯ୍ୟଖଚିତ ମନ୍ଦିର ନିର୍ମାଣ କରାଯାଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଭକ୍ତଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏହି ମନ୍ଦିରକୁ ଆସୁଛନ୍ତି। ନୟାଗଡ଼ ସହରରୁ ପ୍ରାୟ ୪୦ କିଲୋମିଟର୍ ଏବଂ ଭୁବନେଶ୍ୱରରୁ ପ୍ରାୟ ୬୫ କିଲୋମିଟର୍ ଦୂରରେ ଏହି ମନ୍ଦିର ଅବସ୍ଥିତ।
ଜାମୁକୋଣର ବୈେଷ୍ଣାଦେବୀ
ନୟାଗଡ଼ ଜିଲ୍ଲାର ଓଡ଼ଗଁା ବ୍ଲକ୍ର ଜାମୁକୋଣ ପାହାଡ଼ର ଶୀର୍ଷରେ ରହିଛି ବୈେଷ୍ଣାଦେବୀଙ୍କ ମନ୍ଦିର। ଏହି ମନ୍ଦିର ନୟାଗଡ଼ ସହରଠାରୁ ପ୍ରାୟ ୧୫ କିଲୋମିଟର୍ ଏବଂ ଭୁବନେଶ୍ବରଠାରୁ ୯୮ କିଲୋମିଟର୍ ଦୂରରେ ଅବସ୍ଥିତ। ନୟାଗଡ଼ର ଏହି ମନ୍ଦିରଟି ଜମ୍ମୁକାଶ୍ମୀର ବୈେଷ୍ଣାଦେବୀ ମନ୍ଦିର ଭଳି ପ୍ରାୟ ଦେଖିବାକୁ। ପାହାଡ଼ ଉପର ୧୮୦ ଫୁଟ୍ ଲମ୍ବ ଗୁମ୍ଫାରେ ପୂଜା ପାଉଛନ୍ତି ମାଆ ବୈେଷ୍ଣାଦେବୀ। ଭକ୍ତମାନେ ଦେବୀଙ୍କ ଦର୍ଶନ କରିବା ପାଇଁ ସୁଡ଼ଙ୍ଗ ଭିତର ରାସ୍ତା ଦେଇ ଯାଇଥାନ୍ତି। ଚଳିତବର୍ଷ ଫେବ୍ରୁଆରି ମାସରେ ମାଆ ବେୈଷ୍ଣାଦେବୀଙ୍କ ପ୍ରାଣପ୍ରତିଷ୍ଠା କରାଯାଇଥିଲା। ସବୁଜିମା ଘେରା ଏହାର ପରିବେଶ ମଧ୍ୟ ପର୍ଯ୍ୟଟକମାନଙ୍କୁ ବେଶ୍ ଆକର୍ଷିତ କରିଥାଏ। ବହୁଦିନ ପୂର୍ବରୁ ଜାମୁକୋଣ ପାହାଡ଼ ଉପରେ ମା’ ବନଦୁର୍ଗା ପୂଜା ପାଉଥିଲେ। ପରବର୍ତ୍ତୀ ସମୟରେ ଜଣେ ବ୍ୟକ୍ତିଙ୍କୁ ମାଆ ସ୍ବପ୍ନରେ ନିର୍ଦ୍ଦେଶ ଦେଇଥିଲେ ମନ୍ଦିର ନିର୍ମାଣ କରିବା ପାଇଁ। ଏହାପରେ ନିକଟସ୍ଥ ଗ୍ରାମବାସୀଙ୍କ ସହାୟତାରେ ୧୬ ଏକରରୁ ଅଧିକ ଜମିରେ ଏକ ପାହାଡ଼ ଶିଖରରେ ମନ୍ଦିର ତିଆରି ଆରମ୍ଭ ହୋଇଥିଲା। ଏହି ମନ୍ଦିରର ଚତୁଃପାର୍ଶ୍ବରେ ବାବା ଭୈରୋ ମନ୍ଦିର, ମହାବୀର ମନ୍ଦିର ସହିତ ଯଜ୍ଞ ମଣ୍ଡପ, ଭୋଗ ଓ ଆରତି ମଣ୍ଡପ ମଧ୍ୟ ନିର୍ମାଣ କରାଯାଇଛି। ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପାହାଡ଼ ଉପରେ ରହିଛି ଏକ ପାର୍କ। ପାର୍କିଂ ଜୋନ୍ରେ ଗାଡ଼ି ରଖିବାପରେ ମନ୍ଦିରରେ ପହଞ୍ଚିବା ପାଇଁ ପର୍ଯ୍ୟଟକମାନଙ୍କୁ ପ୍ରାୟ ଗୋଟେ କିଲୋମିଟର୍ ଉପରକୁ ଚଢ଼ିବାକୁ ପଡ଼ିଥାଏ। ଏଠାକୁ ଆସୁଥିଲେ ଏହି ମନ୍ଦିରର ନିକଟବର୍ତ୍ତୀ ସୁଲିଆ ଡ୍ୟାମ୍, ରଘୁନାଥଜୀଉ ମନ୍ଦିର ଓ ଲଡୁକେଶ୍ୱର ମନ୍ଦିର ମଧ୍ୟ ପରିଦର୍ଶନ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/16/temple-2025-11-16-01-06-54.jpg)