ଭିଡିଓକୁ ଆଖିରେ ନଦେଖିଲେ ବିଶ୍ୱାସ ହେବନି। ମନ୍ଦିରରେ ପୂଜା ପାଉଛନ୍ତି ମୂଷା। କେବଳ ପୂଜା କରାଯାଉନି, ମୂଷାମାନଙ୍କୁ ବିଭିନ୍ନ ଶସ୍ୟ ଏବଂ ଭୋଗ ମଧ୍ୟ ଖାଇବାକୁ ଦିଆଯାଉଛି, ପିଇବା ପାଇଁ ଦିଆଯାଉଛି କ୍ଷୀର।
ଏହି ବିଚିତ୍ର ମନ୍ଦିର ରହିଛି ରାଜସ୍ଥାନରେ। ବିକାନେର ଜିଲ୍ଲା ଅନ୍ତର୍ଗତ କର୍ନିମାତା ମନ୍ଦିରରେ ମୂଷାମାନଙ୍କୁ ପୂଜା କରାଯାଇଥାଏ। ଏବେ ଏହି ମନ୍ଦିରରେ ରହିଛନ୍ତି ୨୦ ହଜାରରୁ ଅଧିକ ମୂଷା। ସବୁଠାରୁ ବଡ଼ କଥା ହେଉଛି ମନ୍ଦିରରେ ଏତେ ସଂଖ୍ୟାରେ ମୂଷା ରହିଥିଲେ ମଧ୍ୟ ସେମାନଙ୍କ ଯୋଗୁଁ କୌଣସି ଦୁର୍ଗନ୍ଧ ହେଉନାହିଁ ।
ଏଠାରେ ଲାଗି ହେଉଥିବା ପ୍ରସାଦକୁ ପ୍ରଥମେ ମୂଷାମାନଙ୍କୁ ଖାଇବାକୁ ଦିଆଯାଇଥାଏ, ମୂଷାମାନେ ଖାଇସାରିବା ପରେ ସେହି ପ୍ରସାଦକୁ ଲୋକେ ଖାଇଥାନ୍ତି।
ଏହି ବିଚିତ୍ର ମନ୍ଦିର ଆରାଧ୍ୟ ଦେବୀ ହେଉଛନ୍ତି ମା କର୍ନି। ଲୋକମାନେ ମା କର୍ନିଙ୍କୁ ଜଗଦମ୍ବାଙ୍କ ଅବତାର ମନେ କରିଥାନ୍ତି। ୧୩୮୭ ମସିହାରେ ମା କର୍ନିଙ୍କ ଜନ୍ମ ହୋଇଥିଲା। ମାଆଙ୍କ ପିଲାଦିନର ନାଁ ଥିଲା ରିଘୁ ବାଇ। ବଡ଼ ହେବା ପରେ ରିଘୁ ବାଇଙ୍କର ସଂସାର ପ୍ରତି ବିତୃଷ୍ନା ଆସିଥିଲା। ସେ ଏକ ଗୁମ୍ଫାରେ ତପସ୍ୟା କରିବାକୁ ଲାଗିଲେ। ଆଜି ଯେଉଁଠି ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇଛି, ଏଠାରେ ଥିଲା ସେହି ଗୁମ୍ଫା।
ଏହି ମନ୍ଦିର ସହିତ ମୂଷାମାନଙ୍କର କଣ ରହିଛି ସମ୍ପର୍କ। କୁହାଯାଏ କି ମାଆ କର୍ନିଙ୍କର ଗୋଟିଏ ପୁଅ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ଏହାପରେ କର୍ନି ମାଆ ଯମ ରାଜାଙ୍କୁ ପୁଅର ଜୀବନ ଫେରାଇ ଦେବାକୁ ନିବେଦନ କରିଥିଲେ। ମୃତ୍ୟୁବରଣ କରିଥିବା ପୁଅକୁ ପୁନର୍ଜୀବନ ଦେବା ସମ୍ଭବ ନୁହେଁ ବୋଲି କହିଥିଲେ ଯମ ରାଜା। କିନ୍ତୁ ଯମରାଜା ମୂଷା ରୂପରେ ତାଙ୍କ ପୁଅକୁ ଫେରାଇ ଦେଇଥିଲେ ବୋଲି ଲୋକେ ବିଶ୍ୱାସ କରନ୍ତି।
ମନ୍ଦିରରେ ଥିବା ମୂଷାମାନେ ହେଉଛନ୍ତି କର୍ନି ମାତାଙ୍କ ସନ୍ତାନ। ଏହି ବିଶ୍ୱାସରେ ଏଠାରେ ମୂଷାମାନଙ୍କର ପୂଜା କରିଥାନ୍ତି ସ୍ଥାନୀୟ ଲୋକେ। ଯେ ପର୍ଯ୍ୟନ୍ତ ମାଆଙ୍କୁ ଲାଗିହେଉଥିବା ଲଡୁ ଏବଂ କ୍ଷୀର ମୂଷା ଖାଇନଥାନ୍ତି, ତାହା ପ୍ରସାଦ ଭାବେ ଗଣାହୋଇନଥାଏ। ମୂଷାମାନେ ଖାଇ ସାରିବା ପରେ ଏହି ପ୍ରସାଦକୁ ଶ୍ରଦ୍ଧାଳୁ ସେବନ କରିଥାନ୍ତି।
କୁହାଯାଉଛି କି ଏଠାରେ ମୂଷା ଅଇଁଠା ଖାଇବା ସତ୍ୱେ ଆଜି ପର୍ଯ୍ୟନ୍ତ କାହାକୁ ବି କୌଣସି ରୋଗ ହୋଇନାହିଁ। ଏହା ହିଁ ଏହି ମନ୍ଦିରକୁ ରହସ୍ୟମୟ କରିଛି। ନିଜ ଆଖିରେ ଏହି ଦୃଶ୍ୟ ଦେଖିବା ପାଇଁ ପ୍ରତିଦିନ ମନ୍ଦିରକୁ ଦେଶ ବିଦେଶରୁ ଶହଶହ ଲୋକଙ୍କ ସୁଅ ଛୁଟୁଛି।