ଭୁବନେଶ୍ବର: ନାରୀ ତୋର କେତେ ରୂପ କେତେ କାହାଣୀ… ଦୁନିଆ ତତେ ଦେଖୁଥାଏ ସିନା ହେଲେ ତତେ ପାରେନାହିଁ ଜାଣି… ଏବେ ପାର୍ବଣର ଋତୁ । ସଂସାର ପୂରା ମାଆ ମନସ୍କ, ଜଗତ ପୂଜୁଛି ଜଗତଜନନୀଙ୍କୁ । ବିରାଟ ବିରାଟ ତୋରଣ, ରଙ୍ଗୀନ ଆଲୋକମାଳାରେ ଝଲସୁଛି ମଣ୍ଡପ । ପୀଠରେ ଦେବୀ ଦଶଭୂଜାଙ୍କ ପୂଜା ଚାଲିଥିବା ବେଳେ ପେଣ୍ଡାଲରେ ପୂଜା ପ୍ରସ୍ତୁତି ଜୋର ଧରିଛି । ମାଟିର ମାଆଙ୍କୁ ପୂଜିବାକୁ, ମୃଣ୍ମୟୀ ମୂର୍ତ୍ତିଙ୍କୁ ଆବାହନ କରିବାକୁ ସମସ୍ତେ ପ୍ରସ୍ତୁତ ଥିବା ବେଳେ ଘରେ ରକ୍ତମାଂସର ମାଆକୁ ଆମେ ଭୁଲିଯାଉ । ତା ତ୍ୟାଗ, ତା ବଳିଦାନ, ତା ଶ୍ରମ, ତା ଝାଳ ଯଦିଓ ଆମକୁ ସେ କେବେ ଦେଖାଏନି କିନ୍ତୁ ଆମେ ବି କେବେ ଦେଖି ବି ପାରୁନା । ଖାଲି ପୀଠରେ, ପେଣ୍ଡାଲରେ ଦଶଭୂଜା ନୁହେଁ ଘରେ ଘରେ ହିଁ ଥାଆନ୍ତି ଦଶଭୂଜା… ବାସ୍ ଦେଖିବାର ନଜର ବଦଳିଗଲେ ଆମ ଘରେ ଥିବା ନାରୀ ବି ଆମକୁ ଦେବୀ ଦେବୀ ଦିଶିବେ…

Advertisment

New Project (5)

କାରଣ- ସେହି ନାରୀଙ୍କ ବିନା ଆମ ଘର ଅଧୁରା, ପରିବାର ପୂରା ଅନ୍ଧାର । ରାତି ହେବା ଠାରୁ ରାତି ପାହିବା ଯାଏଁ ଘରେ ଖଟୁଥାଏ ଜଣେ ନାରୀ । ନିରନ୍ତର ଭାବେ କାମ କରି ଚାଲୁଥାଏ, ବିନା ପାରିଶ୍ରମିକରେ ସିଏ ସମସ୍ତଙ୍କ କଥା ବୁଝେ । ଆମ ପେଟ କଥା, ଆମ ସ୍ବାସ୍ଥ୍ୟ କଥା, ଆମ ଭଲ ମନ୍ଦ ବି ସେ ବୁଝେ । ହେଲେ ତା କଥା ବୁଝିବାକୁ କାହା ପାଖେ ନଥାଏ ବେଳ କି କେହି ବି ତାକୁ ଦିଏନି ଧନ୍ୟବାଦ । ତଥାପି ସିଏ ମନଦୁଃଖ କରେନି କି ପ୍ରଦିବାଦ କରେନି.. ସେମିତି ଖଟୁଥାଏ ଦୁଇ ହାତକୁ ତାର ଦଶହାତ କରି । ଦୁଇଟି ହାତରେ ଦଶଟି ହାତର ଦମ୍ ଲଗାଇ ଦୁନିଆର ସବୁ କାମ କରେ ନାରୀ ।

WhatsApp Image 2025-09-28 at 18.14.57

ସେ ମାଆ, ହେଉ କି ଭଉଣୀ ଅବା ହେଉ ସ୍ତ୍ରୀ । କେତେ ରୂପରେ ନାରୀ ପୁରୁଷର ଜୀବନରେ କାମରେ ଆସେ, ତାକୁ ସାହା ହୁଏ, ତାକୁ ରାହା ଦିଏ । ଖାଲି ପୁରୁଷ ଜୀବନ ନୁହେଁ କର୍ମମୟ ଜୀବନରେ ବି ନାରୀଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥାଏ । କର୍ମକ୍ଷେତ୍ରରେ ନାରୀ କାମରେ ବି ନଂ ଓ୍ଵାନ୍ ଥାନ୍ତି । ନାରୀ ବିଲକୁ ଯାଇ ଧାନ ଚାଷ କରିପାରେ, ଚାକିରି ବି କରିପାରେ । ସିଏ ବିମାନ ବି ଉଡାଇ ପାରେ, ଟ୍ରେନ ବି ଚଳାଇପାରେ । ନାରୀଟିଏ ଡାକ୍ତରଖାନାରେ କେବେ ଡାକ୍ତର ରୂପରେ ତ ପୁଣଇ କେବେ ନର୍ସ ରୂପରେ ରୋଗୀର ସେବା କରି ଭଗବାନ ବି ସାଜେ, ରୋଗୀକୁ ନୂଆ ଜୀବନ ଦିଏ । ସେହି ନାରୀ ଘରେ ରୋଷେଇ, ପିଲାର ପାଠପଢା, ଖାଇବା ପିଇବା ଠାରୁ ଆରମ୍ଭ କରି ସ୍ବାମୀଙ୍କ ସାର୍ଟ ଆଇରନ, ପରିବା କିଣା କାମ, ଘରକୁ ସଫାରଖିବା ଆଦି କାମ କରେ- ବିନା ନାରୀରେ ଯେମିତି ଏ ସଂସାର ଅଟକିଲା ପରି ଲାଗେ ।

New Project (6)

କେବେ ସେ କ୍ଷେତରେ ଖରାକୁ ଖାତିର ନକରି ସୁନାର ଫସଲ ଫଳାଏ । କେବେ ସେ ତତଲା ପିଚୁରେ ଛିଣ୍ଡା ଚପଲ ହଳେ ପିନ୍ଧି ସହରକୁ ସଫା ସୁତୁରା ରଖେ ସଫେଇ କର୍ମୀଟେ ସାଜି । ଇଟା ଭାଟିରେ ମାଟିର ଛାତିକୁ ଚିରି ତା ଘର ଚଳାଇବା ପାଇଁ ରୋଜଗାର କରେ । ଘରେ ଘରେ ଥିବା ଦଶଭୂଜାଙ୍କ ହାତରେ ନା ଥାଏ ତ୍ରିଶୂଳ, ନା ଥାଏ ଖଣ୍ଡା କି ଚକ୍ର । ନଥାଏ ବି କୌଣସି ଅସ୍ତ୍ର । ଛାଡୁ, ଖଡିକା, ଚଟୁ, କଲମ, କେବେ ଷ୍ଟେଥୋ କିମ୍ବା ସିରିଞ୍ଜଧାରୀ ଏ ଦେବୀମାନେ ଭିନ୍ନଭିନ୍ନ ରୂପରେ ଦର୍ଶନ ଦିଅନ୍ତି । ଏମାନେ କେଉଁ ପେଣ୍ଡାଲ କି ପୀଠରେ ପୂଜା ପାଆନ୍ତି ନାହିଁ କି ଏମାନେ ପୂଜା ଲୋଡନ୍ତି ନାହିଁ । ରକ୍ତ ମାଂସର ଦେବୀ, ଜୀବନ୍ତ ଦଶଭୂଜାମାନଙ୍କୁ ତ ବାସ୍ ଲୋଡା ଖାଲି ସ୍ନେହ, ପ୍ରେମ, ସମ୍ମାନ ଓ ଭଲପାଇବା । 

WhatsApp Image 2025-09-28 at 18.28.44

ଆସନ୍ତୁନା ଏଇ ଦୁର୍ଗାପୂଜାରେ ଶପଥ ନେବା ନେବା- ଖାଲି ମଣ୍ଡପରେ ମାଟିର ମାଆଙ୍କୁ କାହିଁକି ଘରେ ଥିବା ଆମ ଦଶଭୂଜାମାନଙ୍କ ତ୍ୟାଗକୁ ବି ପୂଜା କରିବା… ସେମାନଙ୍କୁ ସେମାନଙ୍କ ଭାଗର ଭଲପାଇବା ଏବଂ ଆପଣାପଣ ଦେଇ- କହିବା… ମାଆଲୋ, ଭଉଣୀଲୋ… ହେ ମୋର ପ୍ରାଣ ପ୍ରିୟା… ତୁମେ ତ୍ୟାଗର ଆକାଶଛୁଆଁ ତୋରଣ… ତୁମ ବିନା ନା ଆମ ଘର, ନା ଆମ ସଂସାର, ନା ମୋ ଜୀବନ କିଛି ବି ନୁହେଁ… ତୁମ୍ଭ ବିନା ସବୁ ଅନ୍ଧାର… ଘେନ ପ୍ରଣାମ… ଘେନ ପ୍ରଣାମ…

ଅଧିକ ପଢନ୍ତୁ-

ଆସ ମାତେ ପ୍ରକଟ ହୁଅ…! ବଧ କର ଆମ ଆସୁରିକ ପ୍ରବୃତ୍ତିକୁ… ନହେଲେ ପ୍ରତିବର୍ଷ ମାଟିର ମହିଷାସୁର ମରୁଥିବ, ମଣିଷ ଭିତରର ମହିଷାସୁର ହସୁଥିବ…