ମହେଶ ଓ ମୁଁ ଥିଲୁ ଜୟ-ବୀରୁ ଯୋଡ଼ି; ୧୦୫ ଥର ‘ଶୋଲେ’ ଦେଖିଛି : ଲିଆଣ୍ଡର

ଭୁବନେଶ୍ବର:  ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଚତୁର୍ଥ ପ୍ରେରଣାଦାୟୀ ବକ୍ତୃତା କାର୍ଯ୍ୟକ୍ରମରେ ଟେନିସ୍ କିଂବଦନ୍ତି ଲିଆଣ୍ଡର ପେସ୍‌  ନିଜ ପିଲାଦିନର ସାଥୀ ମହେଶ ଭୂପତିଙ୍କ ସହ କଟାଇଥିବା ସମୟକୁ ମନେ ପକାଇ ଭାବବିହ୍ବଳ ହୋଇଯାଇଥିଲେ। ଭୂପତି ଓ ତାଙ୍କ ବନ୍ଧୁତ୍ବକୁ ସେ ଲୋକପ୍ରିୟ ଚଳଚ୍ଚିତ୍ର ଶୋଲେର ଜୟ-ବୀରୁ ଯୋଡ଼ି ସହ ତୁଳନା କରିଥିଲେ। ୱିମ୍ବିଲଡନରେ ଖେଳିଲା ‌ବେଳେ କିଭଳି ଭୂପତି ତାଙ୍କ ପରିଚୟ ପତ୍ରରେ କୋର୍ଟ ଭିତରକୁ ଯାଉଥି‌ଲେ, ତା’ର ସ୍ମୃତି ଚାରଣ କରିଥିଲେ। ସେ କହିଥିଲେ ଭୂପତି ୱିମ୍ବିଲଡନର ଯୋଗ୍ୟତା ପର୍ଯ୍ୟାୟରେ ହାରିଯାଇଥିଲେ। ଏଣୁ ଆମେ ଦୁଇ ଜଣ ଗୋଟିଏ ପରିଚୟ ପତ୍ରରେ ଷ୍ଟାଡିୟମ୍ ଭିତରକୁ ଯିବାକୁ ଯୋଜନା କରିଥିଲୁ। ପ୍ରଥମେ ମୁଁ ଭିତରକୁ ଯାଉଥିଲି। କିଛି ବାଟ ଯିବା ପରେ ଏହାକୁ ଭୂପତିଙ୍କ ପାଖକୁ ଫିଙ୍ଗି ଦେଉଥିଲି। ଭୂପତି ସେହି ପରିଚୟ ପତ୍ର ଦେଖାଇ ଷ୍ଟାଡିୟମ୍ ଭିତରକୁ ଯାଉଥିଲେ। ମୋତେ କୋର୍ଟ ଭିତରେ ଉତ୍ସାହିତ କରୁଥିଲେ। ମୁଁ ତାଙ୍କୁ ପେସାଦାର ହେବାରେ ଯଥେଷ୍ଟ ସାହାଯ୍ୟ କରିଛି। କ୍ରମେ ଆମେ ଏକାଠି ଖେଳିବା ଆରମ୍ଭ କଲୁ। ଅନେକ ପ୍ରତିଯୋଗିତା ସାଙ୍ଗ ହୋଇ ଜିତିଛୁ। ଭୂପତିଙ୍କ ସହ କଟାଇଥବା ସମୟ ମୋ ଜୀବନର ଅନ୍ୟତମ ଶ୍ରେଷ୍ଠ ସମୟ। ଆମେ ଦୁଇ ଜଣ ଏକାଠି ଥିଲେ ଏକ ଅଲଗା ଦୁନିଆରେ ଥାଉ। ଅନ୍ୟ ଲୋକ ଥିଲେ ଅବଶ୍ୟ ସ୍ଥିତି ଅଲଗା ହୋଇଥାଏ। ଉଭୟ କିଶୋର କୁମାରଙ୍କ ଗୀତ ଭଲ ପାଉଥିଲୁ। ଚଳଚ୍ଚିତ୍ର ଦେଖି ମଜା ନେଉଥିଲୁ। ୱିମ୍ବିଲଡନ୍ ଯୁଗଳ ଫାଇନାଲ୍ ବେଳେ ଯେତେବେଳେ ଆମେ ପ୍ରଥମ ସେଟ୍ ହାରି ଯାଇଥିଲୁ, ହାଲକା ହେବା ସହ ଖେଳର ମଜା ନେବା ଲାଗି ‘ୟେ ଦୋସତି ହାମ ନେହିଁ ତୋଡ଼େଙ୍ଗେ…’ ଗୀତ ଗାଇ ପୁନର୍ବାର କୋର୍ଟକୁ ଫେରିଥିଲୁ। ମ୍ୟାଚ୍‌ ବି ଜିତି ନେଇଥିଲୁ। ମୁଁ ନିଜେ ୧୦୫ ଥର ଶୋଲେ ଚଳଚ୍ଚିତ୍ର ଦେଖିଛି। ଆମେ ସେତେବେଳେ ଉଭୟ ଉଭୟଙ୍କୁ ସେହି ପ୍ରସିଦ୍ଧ ଚଳଚ୍ଚିତ୍ରର ଜୟ-ବୀରୁ ଯୋଡ଼ିଠାରୁ କମ୍ ଭାବୁ ନଥିଲୁ।

ପ୍ରତ୍ୟେକ ପିଲା ଭିତରେ ଜଣେ ବିଜେତା ଲୁଚି ରହିଛି
ପ୍ରତ୍ୟେକ ପିଲା ଜଣେ ଜଣେ ବିଶ୍ବବିଜେତା ହୋଇପାରିବେ। ନିଜ ତିନି ଦଶନ୍ଧିର ଟେନିସ୍ ଜୀବନରେ କରିଥିବା ଅଭିଜ୍ଞତାରୁ ଲିଆଣ୍ଡର ଆଜି ଏଭଳି ଦୃଢ଼ତା ପ୍ରକାଶ କରିଥିଲେ। ସେ କହିଥିଲେ, ‘‘ କଠିନ ପରିଶ୍ରମ, ସାହସ, କିଛି କରିଦେଖାଇବାର ନିଶା, ଆତ୍ମବିଶ୍ବାସ ବଳରେ ପ୍ରତ୍ୟେକ ପିଲା ଜଣେ ବିଜେତା ହୋଇପାରିବେ। ଅନ୍ତତଃ ମୋ ଟେନିସ ଜୀବନରୁ ଏହା ପ୍ରମାଣିତ ହୋଇଛି। ଏଣୁ ସମସ୍ତଙ୍କୁ ନିଜ ଉପରେ ଭରସା ରଖି ଲକ୍ଷ୍ୟ ଧାର୍ଯ୍ୟ କରି ଏହାକୁ ପୂରଣ କରିବା ଲାଗି କଠିନ ପରିଶ୍ରମ କରିବା ଦରକାର।’’

ଟେଲିଗ୍ରାମରେ ଡେଭିସ୍ କପ୍ ଡାକରା
ଅଷ୍ଟ୍ରେଲିଆରେ ଥିଲା ବେଳେ ମାତ୍ର ୧୫ ବର୍ଷ ବୟସରେ ମୁଁ ଭାରତୀୟ ଡେଭିସ୍ କପ୍ ଦଳକୁ ଡାକରା ପାଇଥିଲି। ଅଧିନାୟକ ନରେଶ କୁମାର‌ ମୋତେ ଟେଲିଗ୍ରାମ କରି ଏକଥା ଜଣାଇଥିଲେ। ଏହାକୁ ମୁଁ ବିଶ୍ବାସ କରି ପାରିନଥିଲି। ବାପାଙ୍କ ସହ କଥା ହେଲା ପରେ ୩୩ ଘଣ୍ଟାର ବିମାନ ଯାତ୍ରା ପରେ ଦିଲ୍ଲୀ ପହଞ୍ଚିଥିଲି। ସେଠାରୁ ଶତାବ୍ଦୀ ଏକ୍ସପ୍ରେସ୍ ଧରି ଚଣ୍ଡିଗଡ ଯାଇଥିଲି। ସେଠାରୁ ସିଧା ଅଭ୍ୟାସ କରିବାକୁ ଯାଇଥିଲି। ରୋହିତ ରାଜପାଲଙ୍କୁ ବାଦ୍ ଦେଇ ‌ନରେଶ କୁମାର ମୋତେ ଭାରତୀୟ ଡେଭିସ୍ କପ୍ ଦଳରେ ସ୍ଥାନ ଦେଇଥିଲେ। ଜାପାନ ବିପକ୍ଷରେ ମୁଁ ମୋ ପ୍ରଥମ ଡେଭିସ୍ କପ୍ ମ୍ୟାଚ୍ ଖେଳିଥିଲି। ଏହି ଅବସରରେ ଲିଆଣ୍ଡର ଜିସାନ ଅଲ୍ଲୀଙ୍କ ସହ ପାଞ୍ଚ ଘଣ୍ଟା ଧରି ଖେଳିଥିବା ଯୁଗଳ ମ୍ୟାଚ୍‌କୁ ମନେ ପକାଇଥିଲେ। ଏହା ପରେ ହିଁ ପେସାଦାର ହେବାକୁ ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଥିଲେ। କନିଷ୍ଠ ସ୍ତରରେ ବିଶ୍ବର ଏକ ନମ୍ବର ଖେଳାଳି ଥିଲା ବେଳେ ଅଲିମ୍ପିକ୍ସ ପଦକ ଜିତିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏଥିଲାଗି ଆମେରିକା ଓ ଇଂଲଣ୍ଡରେ ଥିବା ବଡ଼ ବଡ଼ ବିଶ୍ବବିଦ୍ୟାଳୟ ଓ କଲେଜରେ ପଢ଼ିବା ଲାଗି ମିଳୁଥିବା ବୃତ୍ତିକୁ ଗ୍ରହଣ କରି ନଥି‌ଲେ। ଆମେରିକା ଯାଇ ଟେନିସ୍ ଅଭ୍ୟାସ କରିବା ସହ ମହାନ ଖେଳାଳି ପିଟ୍ ସାମ୍ପ୍ରାସଙ୍କୁ ଭେଟିଥି‌ଲେ। ଜୀବନର ପ୍ରଥମ ଘର ଲିଆଣ୍ଡର ସାମ୍ପ୍ରାସଙ୍କଠାରୁ ହିଁ କିଣିଥିଲେ। ଘର ବିକିବା ପରେ ସାମ୍ପ୍ରାସ ତାଙ୍କଠାରୁ ଅଲିମ୍ପିକ୍ସ ପଦକ ଜିତିବାର ପ୍ରତିଶ୍ରୁତି ନେଇଥିଲେ। ବରିଷ୍ଠ ସ୍ତରର ପ୍ରଥମ ୧୦ ମାସ ଗୋଟିଏ ମ୍ୟାଚ୍ ଜିତି ନଥିଲେ। ୧୯୯୩ରେ ଭାରତୀୟ ଡେଭିସ୍ କପ୍ ଦଳ ତାରକା ଖଚିତ ଶକ୍ତିଶାଳୀ ଫ୍ରାନ୍ସକୁ ସେମାନଙ୍କ ଘରେ ହରାଇବା ନିଜ ଜୀବନର ଅନ୍ୟତମ ବଡ଼ ସଫଳତା ଭାବେ ବର୍ଣ୍ଣନା କରିଥିଲେ ଲିଆଣ୍ଡର। ଏହାକୁ ମଧ୍ୟ ଟେନିସ୍ ଜଗତର ଅନ୍ୟତମ ବଡ଼ ବିପର୍ଯ୍ୟୟର ଆଖ୍ୟା ଦେଇଥିଲେ ସେ। ସାମରିକ କଳା ଆକିଡ଼ୋରେ ବ୍ଲାକ୍ ବେଲ୍ଟ ହାସଲ କରିଥିବା ସୂଚନା ଦେଇଥିଲେ ଲିଆଣ୍ଡର।

ରାତିରେ ଛାୟା ଅଭ୍ୟାସ କରୁଥିଲି
ମାଡ୍ରାସରେ ରହିଲା ବେଳେ ଦୈନନ୍ଦିନ ଜୀବନଚର୍ଯ୍ୟା ବହୁତ କଷ୍ଟକର ଥିଲା। ପାଢ଼ପଠା ଓ ପ୍ରଶିକ୍ଷଣ ଭିତରେ ଆମେ ଏକପ୍ରକାର ପେଷି ହୋଇଯାଉଥିଲୁ। ସପ୍ତାହକୁ ପାଞ୍ଚ ଦିନର କଠିନ ପରିଶ୍ରମ ପରେ ଶନିବାର ସ୍କୁଲ୍ ରହୁ ନଥିଲା। ହେଲେ ରାତି ସାଢ଼େ ଦଶଟାରେ‌ ଶୋଇବାକୁ ଯିବା ପୂର୍ବରୁ ଶରୀରରେ ଆଉ ଟିକିଏ ବି ଶକ୍ତି ରହୁ ନଥିଲା। ତଥାପି ସାଥୀ ଖେଳାଳିମାନେ ଶୋଇଯିବା ପରେ ମୁଁ ପ୍ରଶିକ୍ଷକଙ୍କୁ କହି ପୂର୍ବରୁ ମୋ ରୁମରେ ରଖିଥିବା ମହମବତି ଜଳାଇ ଆଇନା ସମ୍ମୁଖରେ ପୁଣି ଥରେ ଜୋତା, ଜର୍ସି ପିନ୍ଧି ଦୁଇ ଘଣ୍ଟା ଧରି ଛାୟା ଅଭ୍ୟାସ କରୁଥିଲି। ଏହା କରି ମୁଁ ବ୍ୟାକହ୍ୟାଣ୍ଡ୍ ଗ୍ରାଉଣ୍ଡ ଷ୍ଟ୍ରୋକ୍, ଗୋଡ଼କୁ ନୁଆଁଇବା, ପର୍ଫେଟ ପୋଜିସନ୍ ନେବାର କଳାକୁ ଆ‌ହୁରି ଶାଣିତ କରୁଥିଲି। ଯେତେବେଳେ ୧୯୯୦ରେ ମୁଁ ଜଣେ କନିଷ୍ଠ ଏକକ ଖେଳାଳି ଭାବେ ୱିମ୍ବିଲଡନ୍ ଗଲି, ସେହି ଛାୟା ଅଭ୍ୟାସ ବହୁତ କାମରେ ଆସିଥିଲା। ସେମିଫାଇନାଲ୍ ଓ ଫାଇନାଲରେ ଜିତିବାରେ ମୋତେ ବହୁତ ସହାୟକ ହୋଇଥିଲା।

ସମ୍ବନ୍ଧିତ ଖବର